ଜାମୁଝାଡ଼ି-ଧାମରା ରାସ୍ତା ନିର୍ମାଣ, ମାତ୍ର ୩ ଇଞ୍ଚରେ ଅଟକିଛି କାମ

ବାସୁଦେବପୁର: ଜାମୁଝାଡି-ଧାମରା ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ ସାମନାକୁ ଆସିଛି। ଏହି ବ୍ୟୟ ବହୁଳ ପ୍ରକଳ୍ପର ନିର୍ମାଣ ଅବଧି ସରିଯାଇଥିଲେ ବି ଜମି ଅଧିଗ୍ରହଣ ଶେଷ ହୋଇ ପାରିନାହିଁ।

ବାସୁଦେବପୁର ସହରର କଲେଜ ଛକଠାରେ ରାସ୍ତା ସହ ଡ୍ରେନ ନିର୍ମାଣରେ ପୂର୍ତ୍ତ  ବିଭାଗର ବିଚିତ୍ର ନୀତି ଦେଖିବାକୁ ମିଳିଛି। ସେଠାରେ ହେଉଥିବା ଡ୍ରେନ ଜଣେ ସାଧାରଣ ଲୋକର ପ୍ଲଟ ସମ୍ମୁଖରେ ଅଟକି ରହିଛି। ଉକ୍ତ ବ୍ୟକ୍ତିର ସୀମାରେ ରହିଥିବା ଏକ ପିଲରକୁ ନେଇ ବିବାଦୀୟ ପରିସ୍ଥିତି ଦେଖାଦେଇଛି। ପିଲରଟି ନିଜ ଜମିରେ ରହିଥିବା ବେଳେ ଡ୍ରେନର ସୀମାକୁ ୩ ଇଞ୍ଚ ବାଧା ସୃଷ୍ଟି କରୁଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ପିଲରଟିକୁ ବଞ୍ଚାଇ ଟିକେ ବଙ୍କା କରି ନିର୍ମାଣ କରୁଥିବା ବେଳେ କେତେକ ସହରବାସୀ ଏହାକୁ ସିଧାକରି ନିର୍ମାଣ କରିବାକୁ ଅଡି ବସିଥିଲେ।

ସେଥିପାଇଁ ସେହି ସ୍ଥାନରେ ଡ୍ରେନ ନିର୍ମାଣ ଦୀର୍ଘଦିନ ଧରି ଅଟକି ରହିଛି। ଅନ୍ୟପଟେ ଉକ୍ତ ସହରର ଡାକ୍ତରଖାନା ଛକରେ ନିର୍ମାଣର ଭିନ୍ନ ରୂପ ଦେଖିବାକୁ ମିଳିଛି। ଏହି ୩୦୦ କୋଟିର ପ୍ରକଳ୍ପ ନିର୍ମାଣ ପୂର୍ବରୁ ସ୍ଥାନୀୟ ସହରର ଜନଗହଳିକୁ ଦୃଷ୍ଟିରେ ରଖି ୧୪ ମିଟର କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ଅଟକଳ ହୋଇଥିବା ବେଳେ ବଡବଡିଆଙ୍କ ଜମି ଅଧିଗ୍ରହଣ କରିବାରେ ବିଫଳ ହୋଇଛି। ଉକ୍ତ ସ୍ଥାନରେ ଜମି ଅଧିଗ୍ରହଣ କରିବା ତ ଦୂରର କଥା ବାକି ଅଟକଳର ୩ ମିଟର ଓସାରର ରାସ୍ତାକୁ ଫାଙ୍କି ନିର୍ମାଣ ଚାଲିଛି। ଏହି ତିନି ମିଟର ରାସ୍ତା ପାର୍ଶ୍ୱ ଜମି ଜଣେ ପ୍ରଭାବଶାଳୀ ଲୋକର ବ୍ୟବସାୟ ପ୍ରତିଷ୍ଠାନ ରହିଛି ଯାହାକି, ପ୍ରଶାସନ ଉକ୍ତ ବ୍ୟକ୍ତିଙ୍କ ନିକଟରେ ଆଣ୍ଠେଇ ପଡିବା ସହ ପାତର ଅନ୍ତର ନୀତିରେ ଜମି ଅଧିଗ୍ରହଣ ବ୍ୟବସ୍ଥା ଜାରି ରଖିଥିବା ଅନେକ ସହରବାସୀ ସ୍ବର ଉଠାଇଛନ୍ତି। ୩୦୦ କୋଟି ଟଙ୍କାର ପ୍ରକଳ୍ପକୁ ଠିକା ନେଇଥିବା ନିର୍ମାଣ ସଂସ୍ଥା ଓ ପୂର୍ତ୍ତ ବିଭାଗ ୨୦୧୯ ମାର୍ଚ୍ଚରେ ଅାରମ୍ଭ କରିଥିବା ବେଳେ ଆଜି ଯାଏ ଜମି ଅଧିଗ୍ରହଣ ବିବାଦରେ ଛନ୍ଦି ହୋଇଛି।

ଏହି ପ୍ରକଳ୍ପ ଅବଧିର ଦିନ ଗଡୁଥିବା ବେଳେ ଯେ କୌଣସି ଉପାୟରେ ନିର୍ମାଣ ସାରିଦେବାକୁ ମସୁଧା କରୁଥିବା ଦେଖିବାକୁ ମିଳିଛି। ଜମି ଅଧିଗ୍ରହଣ ବାଧାପ୍ରାପ୍ତ ପାଇଁ ସଙ୍କୁଚିତ କରି ନିର୍ମାଣ ସାରି ଦେବାକୁ ପ୍ରୟାସ ଚାଲିଛି। ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଧାମରା ବନ୍ଦର ଓ ପ୍ରତିରକ୍ଷା ବିଭାଗକୁ ସଂଯୋଗ ରାସ୍ତାକୁ ପ୍ରଶସ୍ତ କରିବା ଲକ୍ଷ୍ୟରେ ୧୬ ନମ୍ବର ଜାତୀୟ ରାଜପଥର ଜାମୁଝାଡିରୁ ଧାମରା ପାଖାପାଖି ୬୨ କିଲୋମିଟର ରାସ୍ତା ପାଇଁ  ୩୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଜମି ନ ଥିବା କାରଣରୁ ସ୍ଥାନୀୟ ସହରର ହାଇସ୍କୁଲ ଛକରୁ ତାରିଣୀ ଛକ ମଧ୍ୟରେ ପାଖାପାଖି ୬୦ ଡେସିମିଲ ଜମି କିଣିବାକୁ ସରକାରଙ୍କ ରାସ୍ତା ଓ ଗୃହ ବିଭାଗ ଅଣ୍ଟା ଭିଡିଥିଲା। ସେଥିପାଇଁ ୯୪ ଜଣଙ୍କ ଠାରୁ ଏହି ଜମି କ୍ରୟ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ ୨ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ କରିବାକୁ ବ୍ୟବସ୍ଥା କରାଯାଇଛି। ତେବେ ୪ ବର୍ଷ ବିତିଯାଇଥିଲେ ବି ପ୍ରଶାସନ ମାତ୍ର ୩୦ ଲୋକଙ୍କ ନିକଟରୁ ୭୯ ଲକ୍ଷ ଟଙ୍କା ବ୍ୟୟ କରାଯାଇ ୧୯ ଡେସିମିଲ ଜମି ଅଧିଗ୍ରହଣ କରାଯାଇଛି। ତେବେ ଠିକ୍‌ ଭାବେ ଜମି ଅଧିଗ୍ରହଣ ଓ ନିର୍ମାଣ ପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର