ପୁରୀରେ ଜନ ଆନ୍ଦୋଳନ ସମୂହର ରାଷ୍ଟ୍ରୀୟ ଅଧିବେଶନ : ମୂଲ୍ୟବୋଧହୀନ ରାଜନୀତିର ନମୁନା ମହାରାଷ୍ଟ୍ର – ମେଧା ପାଟେକର

ଯୋଗଦେଲେ ୨୨ ରାଜ୍ୟର ୪୦୦ ପ୍ରତିନିଧି

ପୁରୀ : ମହାରାଷ୍ଟ୍ରରେ ଗତ କିଛି ଦିନ ହେବ ଯେଉଁ ପ୍ରକାର ରାଜନୀତି କରାଯାଇଛି, ତାହା ମୂଲ୍ୟବୋଧହୀନ ଓ ସ୍ବାର୍ଥଜଡ଼ିତ ରାଜନୀତିର ନମୁନା। ଏଥିରେ ଜନମତ ଓ ଲୋକଙ୍କ ଜନାଦେଶକୁ ଅପମାନ ତଥା ଉପେକ୍ଷା କରାଯାଇଛି। ‌ଯେଉଁମାନେ ଏଭଳି ସ୍ବାର୍ଥ ରାଜନୀତି କରୁଛନ୍ତି ସେମାନଙ୍କୁ ଭୋଟର କଡ଼ା ଜବାବ ଦିଅନ୍ତୁ ବୋ‌ଲି ଆଜି ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ତଥା ପ୍ରଖ୍ୟାତ ସାମାଜିକ କର୍ମୀ ମେଧା ପାଟେକର ଆହ୍ବାନ ଦେଇଛନ୍ତି।

ରାଷ୍ଟ୍ରୀୟ ଜନ ଆନ୍ଦୋଳନ ସମୂହ (ଏନ୍‌ଏପିଏମ୍‌)ର ୨୫ ତମ ରାଷ୍ଟ୍ରୀୟ ସମ୍ମିଳନୀ ଆଜିଠାରୁ ପୁରୀରେ ଡୁଡୁୱାଲା ଧର୍ମଶାଳାରେ ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ୨୨ଟି ରାଜ୍ୟର ପ୍ରାୟ ୪୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଛନ୍ତି। ଏହି ରାଷ୍ଟ୍ରୀୟ ସମ୍ମିଳନୀ‌ରେ ଅନୁଷ୍ଠାନର ପ୍ରତିଷ୍ଠାତା ମେଧା ପାଟେକର ଯୋଗଦେଇ ଦେଶର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ ଦେଶ ଏବେ ଘଡ଼ିସନ୍ଧି ଦେଇ ଗତି କରୁଛି। ଜାତି-ଧର୍ମ ଓ ସଂପ୍ରଦାୟ ନାମରେ ରାଜନୀତି କରାଯାଉଛି। ଦେଶରେ ସାଧରଣ ଜନତାଙ୍କ ମାନବାଧିକାର କ୍ଷୁଣ୍ଣ ହେଉଛି। ସରକାର କଂପାନି ସ୍ବାର୍ଥ ପାଇଁ ଆଇନ ବଦ‌ଳାଇ ଦେଉଛନ୍ତି। ଦେଶ ଉପରେ ଜଳବ‌ାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିଲାଣି। ଦିଲ୍ଲୀ ପ୍ରଦୂଷଣର ସୀମା ଟପିଲାଣି। ଏଭଳି ସମୟରେ ଦେଶର ସମ୍ବିଧାନ ଓ ଗାଣତାନ୍ତ୍ରିକ ବ୍ୟବସ୍ଥ‌ାକୁ ବଞ୍ଚାଇବାକୁ ହେବ ବୋଲି ସେ କହିଥିଲେ। ଏହାଛଡ଼ା ବର୍ତ୍ତମାନ ଦେଶରେ ଚାଲଥିବା ମୂଲ୍ୟବୋଧ ହୀନ ରାଜନୀତିକୁ କଡ଼ା ସମାଲୋଚନା କରି ଗାନ୍ଧୀ ଓ ଆମ୍ବେଦରକଙ୍କ ଚିନ୍ତାଧାରା‌ରେ ବିଶ୍ବାସ ରଖୁଥିବା ଜନ ଆନ୍ଦୋଳନ ସମୂହର କର୍ମକର୍ତ୍ତାଙ୍କୁ ଦେଶକୁ ଅହିଂସ‌ା ମାର୍ଗରେ ଏକତ୍ରିତ କରି ଦେଶର ଅଖଣ୍ଡତା ରକ୍ଷା କରିବାକୁ ମେଧା ଆହ୍ବାନ ଦେଇଥିଲେ।

ପ୍ରଫେସର ମନୋରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥ‌ା ଏନ୍‌ଏପିଏମ୍‌ର ଓଡ଼ିଶା ଶାଖା ମୁଖ୍ୟ ପ୍ରଫୁଲ୍ଲ ସାମନ୍ତରା ସମସ୍ତଙ୍କୁ ଏକାଠି ଚାଲର ଆହ୍ବାନ ଦେଇଥିଲେ। ଜଳ, ଜମି ଓ ଜଂଗଲର ସୁରକ୍ଷା ପାଇଁ ଆହ୍ବାନ ଦେବା ସହ ବର୍ତ୍ତମାନ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ସଙ୍କଟ ଦେଇ ଗତି କରୁଛି ବୋଲି କହିଥିଲେ। ମହାତ୍ମା ଗାନ୍ଧୀଙ୍କ ବିଚାରରେ ଧର୍ମନିରପେକ୍ଷ ରାଷ୍ଟ୍ରୀୟତା, ଜଳବାୟୁ ସଙ୍କଟର ସମାଧାନ ଓ ସାମାଜିକ ନ୍ୟାୟ ଉପରେ ସେ ମତ ରଖିଥିଲେ। ଜାତି-ଧର୍ମରୁ ଊର୍ଦ୍ଧ୍ବରେ ରହି ଦେଶର ଅଖଣ୍ଡତାକୁ କିଭଳି ରକ୍ଷା କରାଯାଇପାରିବ ସେ ସଂପର୍କରେ ସେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅରୁଣା ରାୟ, ଦଳିତ ନେତା ବେଲୱାଡା ୱିଲସନ, ତିସ୍ତା ଶୀତଳ ଭଦ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ନିୟମଗିରି ଓ ପୋସ୍କୋ ପ୍ରତିରୋଧ ଆନ୍ଦୋଳନର କିଛି ସକ୍ରିୟ ଆନ୍ଦୋଳନକାରୀ ସେମାନଙ୍କ ଅନୁଭୂତି ବଖାଣିଥିଲେ। କାଶ୍ମୀର ସମସ୍ୟା, ସାମାଜିକ ଓ ରାଜନୈତିକ ପରିବର୍ତ୍ତନରେ ସାଂସ୍କୃତିକ ପ୍ରତିରୋଧର ଭୂମିକା ସଂପର୍କରେ ଆଲୋଚନା କରାଯାଇଥିଲା। ଆସନ୍ତାକାଲି ଉପକୂଳ ସୁରକ୍ଷ‌ା ପାଇଁ ପୁରୀ ସମୁଦ୍ର ବେଳାଭୂମିରେ ଏକ ମାନବ ଶୃଙ୍ଖଳ କରାଯିବ ‌ବୋଲି ଶ୍ରୀ ସାମନ୍ତରା ସୂଚନା ଦେଇଥିଲେ।

ଦେଶର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ଜନ ଆନ୍ଦୋଳନଗୁଡିକ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏନ୍‌ଏପିଏମ୍‌ ୧୯୯୪ରେ ଗଠନ କରାଯାଇଥିଲା। ସଂଗଠନ ସହଯୋଗରେ ସୂଚନା ଅଧିକାର ଆଇନ-୨୦୦୫, ଜଂଗଲ ଅଧିକାର ଆଇନ-୨୦୦୬, ନୂଆ ଜମି ଅଧିଗ୍ରହଣ ଆଇନ-୨୦୧୩ ଭଳି ଅନେକ ଜନାଭିମୁଖୀ ଆଇନର ପ୍ରଣୟନ କରାଯାଇଛି । ଆସନ୍ତା ୨୫ ତାରିଖରେ ଏହି ସମ୍ମିଳନୀ ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର