ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଢିଙ୍କିଆ ପଞ୍ଚାୟତ ଦୁଇ ଫାଳ: ମନ୍ତ୍ରୀଙ୍କ ଉପସ୍ଥିତିରେ ଛକାପଞ୍ଝା

ଜଗତସିଂହପୁର/କୁଜଙ୍ଗ : ଜେଏସ୍‌ଡବ୍ଲ୍ୟୁର ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ରବିବାର ଜଗତ୍‌ସିଂହପୁରର ବହୁଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତ ଦୁଇଫାଳ! ରବିବାର ଦିନ ଜିଲ୍ଲାପାଳ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ଖୋଦ୍‌ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉପସ୍ଥିତିରେ ଉଭୟ ସପକ୍ଷ ଓ ବିପକ୍ଷବାଦୀମାନେ ନିଜନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲାବେଳେ ପ୍ରକଳ୍ପକୁ ନେଇ ଏକପ୍ରକାର ଛକାପଞ୍ଝା ପରିଲକ୍ଷିତ ହୋଇଥିଲା।

ରବିବାର ଦିନ ଜିଲ୍ଲାପ୍ରଶାସନ ପକ୍ଷରୁ ଢିଙ୍କିଆ ପଞ୍ଚାୟତରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଜଳସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଦାସ, ଜଗତସିଂହପୁର ଜିଲ୍ଳାପାଳ ପାରୁଲ ପଟୱାରୀ, ଆରକ୍ଷୀ ଅଧୀକ୍ଷକ ଅଖିଳେଶ୍ବର ସିଂ, ବିଡିଓ କୈଳାସ ଚନ୍ଦ୍ର ବେହେରା, ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ, ସାଂସଦଙ୍କ ପ୍ରତିନିଧି ପୀତବାସ ଗୋଚ୍ଛାୟତ, ୪ନଂ ଜୋନ୍ ଜିଲ୍ଳା ପରିଷଦ ସଦସ୍ୟା ଇତିଶ୍ରୀ ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଆରମ୍ଭରୁ ଢିଙ୍କିଆ ସମିତିସଭ୍ୟ ଦେବେନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ଏକ ବିରାଟ ଶୋଭାଯାତ୍ରାରେ ପୁଲଖାଇ ମନ୍ଦିର ନିକଟରୁ ବାହାରି ପଞ୍ଚାୟତ ଅଫିସ୍ ପର୍ଯ୍ୟନ୍ତ ଆସିଥିଲେ। ପରେ ମଞ୍ଚାସୀନ ଅଧିକାରୀଙ୍କ ସହ ଦେବେନ୍ଦ୍ରଙ୍କର ଯୁକ୍ତିତର୍କ ହୋଇଥିଲା। ଏରସମା ବିଡିଓଙ୍କର ଚିଠି ମୁତାବକ ଏଠାରେ ଜିଲ୍ଲା ପ୍ରଶାସନ ଲୋକମାନଙ୍କର ମତ ସଂଗ୍ରହ କରିବେ, ମାତ୍ର ଜେଏସ୍‌ଡବ୍ଲ୍ୟୁ ଅଧିକାରୀ ଏଠାରେ କାହିଁକି ଉପସ୍ଥିତ ଅଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଏହାକୁ ନେଇ କିଛି ସମୟ ବିଡିଓ ଶ୍ରୀ ବେହେରା ଓ ଦେବେନ୍ଦ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେଠାରେ ଦେବେନ୍ଦ୍ର କମ୍ପାନିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଢିଙ୍କିଆ ଗ୍ରାମର ଆଉ କିଛି ଲୋକ ମଧ୍ୟ ପ୍ରକଳ୍ପ ବିରୋଧରେ ମତ ରଖିଥିଲେ। ।

ଅନ୍ୟପଟେ ଗୋବିନ୍ଦପୁର ଗାଁର ରଞ୍ଜନ ବର୍ଦ୍ଧନ କହିଥିଲେ, ଢିଙ୍କିଆ ପଞ୍ଚାୟତ କେବଳ ଗୋଟିଏ ଗାଁ ଢିଙ୍କିଆକୁ ନେଇ କରାଯାଇ ନାହିଁ। ସେମାନେ ଯାହା କହୁଛନ୍ତି, ତାହା ଠିକ୍ ବୋଲି ଭାବିବା ଉଚିତ୍ ନୁହେଁ। ଏହି ପ୍ରକଳ୍ପ ହେଉ ବୋଲି ଗୋବିନ୍ଦପୁରର ୯୦% ଲୋକ ଚାହୁଁଛନ୍ତି। ପାନ ବରଜ ଟଙ୍କା ଏବେ ଆଉ କାହା ପାଖରେ ନଥିବାରୁ ଲୋକମାନେ ଜୀବିକା ବଦଳରେ ଜୀବିକା ଚାହୁଁଛନ୍ତି। ଏହି କମ୍ପାନିହେଲେ ଲୋକଙ୍କୁ ନିଶ୍ଚିତ ଭାବେ କର୍ମ ନିଯୁକ୍ତି ମିଳିବ। ମାତ୍ର, ଢିଙ୍କିଆର କିଛି ନେତା ସାଧାରଣ ଲୋକଙ୍କୁ ଭୟଭୀତ କରାଉଥିବାରୁ ସେମାନେ ଏଠାକୁ ଆସିପାରୁ ନାହାନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ଗୋବିନ୍ଦପୁରରେ ଆଉ ଏକ କାର୍ଯ୍ୟକ୍ରମ କରିବାକୁ ସେ ଅନୁରୋଧ କରିଥିଲେ। ତାଙ୍କ ମତାମତକୁ ବି କିିଛି ଲୋକ ସମର୍ଥନ କରିଥିଲେ।

ଏହିଭଳି ଭାବେ ଛକାପଞ୍ଝା, ତର୍କ ବିତର୍କରେ ଆଜିର ମତାମତ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର