ଯାଜପୁର/ଦାନଗଦୀ : ଯାଜପୁରର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଜି ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି। ତେବେ କିଛି ମୁଷ୍ଟିମେୟ ଲୋକ କାରଖାନା ସ୍ଥାପନ ସପକ୍ଷରେ କହିଥିଲେ। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବରୁ ଏହାକୁ ଦୃଷ୍ଟିରେ ରଖି ଜନଶୁଣାଣି ସ୍ଥଳରେ ପୁଲିସ୍‌ ଛାଉଣି କରାଯାଇଥିଲା।

Advertisment

ରାଜ୍ୟ ସରକାରଙ୍କର ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯଖପୁରା ଠାରେ ମେସର୍ସ ଚେଟିନାଡ ସିମେଣ୍ଟ କର୍ପୋରେସନ ପ୍ରାଇଭେଟ୍ ଲିମିଟେଡ୍ ସିମେଣ୍ଟ କାରଖାନା କରିବା ନିମନ୍ତେ ଏମଓୟୁ ସ୍ବାକ୍ଷର କରିଛି। ଏପରିକି କାରଖାନାର ଶୁଭ ଦିଆ କାର୍ଯ୍ୟ ହୋଇଯାଇଛି। ଏହି ସିମେଣ୍ଟ କାରଖାନା ମୋଟ୍ ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବେଳେ ମୋଟ ୮୩ଏକର ଜମି ଅଧିଗ୍ରହଣ କରିଛି। ଏଠାରେ ବାର୍ଷିକ ୨.୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସିମେଣ୍ଟ ଗ୍ରାଇଡିଂ ୟୁନିଟ୍ ପ୍ରତିଷ୍ଠା କରିବଏବଂ ୧୮୫ଜଣ ଲୋକ ନିଯୁକ୍ତି ପାଇବେ ବୋଲି କୁହାଯାଉଛି।

ଆଜି ଦାନଗଦୀ ଭବନଠାରେ ଏହି ପ୍ରସ୍ତାବିତ ସିମେଣ୍ଟ କାରଖାନା ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଶିବିର ଆରମ୍ଭରୁ ବିରୋଧୀମାନେ ପ୍ରବଳ ହୋହଲ୍ଲା କରିଥିଲେ। ସିମେଣ୍ଟ କାରଖାନା ପ୍ରତିଷ୍ଠା ହେଲେ ସମଗ୍ର ଅଂଚଳବାସୀ ପ୍ରଦୂଷଣରେ ଛଟପଟ ହେବେ ବୋଲି ଏହି ଜନଶୁଣାଣିରେ ଅଧିକାଂଶ ଲୋକ ମତପ୍ରକାଶ କରିଥିଲେ। ଶୁଣାଣି ବେଳେ ମୋଟ୍ ୪୬ଜଣଙ୍କ ମଧ୍ୟରୁ ୧୬ଜଣ କାରଖାନା ସପକ୍ଷରେ କହିଥିବା ବେଳେ ୩୦ଜଣ ଏହାକୁ ଦୃଢ ବିରୋଧ କରିଥିଲେ। ଏପରିକି ୬୧୦ଜଣ ଲିଖିତ ଭାବେ ବିରୋଧ କରିଥିବା ବେଳେ ୧୦ଜଣ ସପକ୍ଷରେ ଲିଖିତ ଭାବେ ଜଣାଇଛନ୍ତି।

ଏହି ଜନଶୁଣାଣିରେ ବିରୋଧାଭାସକୁ ଲକ୍ଷ୍ୟ କରି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ପୁଲିସ ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା।