ଜନ ଶୁଣାଣିରେ ସମସ୍ୟା ବଖାଣିଲେ ନିର୍ମାଣ ଶ୍ରମିକ

ଭୁବନେଶ୍ୱର : ସେଣ୍ଟର ଫର୍‌ ଆଡ୍‌ଭୋକେସି ଆଣ୍ଡ୍‌ ରିସର୍ଚ(ସିଏଫ୍‌ଏଆର) ଓ ଆଜିମ୍‌ ପ୍ରେମ୍‌ଜି ଫିଲାନ୍‌ଥ୍ରୋପି ଇନିସିଏଟିଭ୍‌ ପକ୍ଷରୁ ନିର୍ମାଶ ଶ୍ରମିକଙ୍କ ସମସ୍ୟା ସମ୍ପର୍କିତ ଜନଶୁଣାଣି ଶିବିର ଓ୍ଵାଇଏମ୍‌ସିଏ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନିର୍ମାଣ ଶ୍ରମିକମାନେ ଉପସ୍ଥିତ ହୋଇ ଓଡ଼ିଶା ସରକାରଙ୍କ କଲ୍ୟାଣ ବୋର୍ଡର ଉଦାସୀନତା ଓ ଶ୍ରମିକମାନେ ଲେବର କାର୍ଡ ପାଇବା ନେଇ କିପରି ଠକାମୀର ଶିକାର ହେଉଛନ୍ତି ସେ ସମ୍ପର୍କରେ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ।

ଶିବିରରେ ଉପସ୍ଥିତ ଥିବା ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ଶ୍ରମିକମାନଙ୍କ ଅଭିଯୋଗ ଶୁଣିବା ପରେ ଲେବର କାର୍ଡ କରାଇଦେବା ନେଇ କହି ଶ୍ରମିକଙ୍କୁଠାରୁ ଅର୍ଥ ଶୋଷଣ କରୁଥିବା ଦଲାଲଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଏଥିସହିତ ନିର୍ମାଣ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ନେଇ ମଧ୍ୟ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ।

ଶିବିରରେ ଅବସରପ୍ରାପ୍ତ ବିଚାରପତି ଏଚ୍‌.ବି ଦାଶ, ସହକାରୀ ଶ୍ରମ କମିସନର ପ୍ରଦୀପ ମହାପାତ୍ର, ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା, କିଶୋର ଜେନା, ନବକିଶୋର ମହାନ୍ତିି, ଘାସିରମ ପଣ୍ଡା, ସନ୍ଦୀପ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଝରଣାସାହି, ମା ମଙ୍ଗଳା ବସ୍ତି, ଗଙ୍ଗନଗର, ଈଶାନେଶ୍ୱର,ଭୀମପୁର ଆଦି ବସ୍ତିର ନିର୍ମାଶ ଶ୍ରମିକମାନେ ଏହି ଶିବିରରେ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। ଏହି ଅବସରରେ ସିଏଫ୍‌ଏଆରର ରାଜ୍ୟ ପ୍ରକଳ୍ପ ସହ ସଂଯୋଜିକା ମମତା ସିଂହ ଅତିଥି ପରିଚୟ ଦେଇଥିଲେ। ସଂଯୋଜକ ସମୀର ରଞ୍ଜନ ଦାସ ବିବରଣୀ ଉପସ୍ଥାପନ କରିଥିଲେ। ରାଜ୍ୟ ପ୍ରକଳ୍ପ ପରିଚାଳିକା ପୂଜାଫୁଲ ପଟ୍ଟନାୟକ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର