ଜନ୍ମମାଟିରେ ଜାନକୀବଲ୍ଲଭଙ୍କ ୯୩ତମ ଜୟନ୍ତୀ ପାଳିତ, ସବୁକ୍ଷେତ୍ରରେ ସେ ଚିର ଜାଜ୍ବଲ୍ୟମାନ

ନିରାକାରପୁର: ସୃଜନଶୀଳତାର ସୁନାର ଫସଲଠାରୁ ସାମ୍ବାଦିକତାର ସମ୍ବେଦନଶୀଳ କ୍ଷେତ୍ର, ରାଜନୀତିର କଂଟକିତ କ୍ଷେତ୍ର, ସମାଜସେବାର ବୃହତ୍ତର କ୍ଷେତ୍ର, ଜନଜାଗରଣ ଓ ସାଧନାର ମନ୍ତ୍ର ଉଚ୍ଚାରଣରୁ ସାଫଲ୍ୟର ଶୀର୍ଷରୋହଣ ସବୁକ୍ଷେତ୍ରରେ ରହିଛି ଜାନକୀବଲ୍ଲଭଙ୍କ ଚିର ଜାଜ୍ବଲ୍ୟମାନ ଚିହ୍ନ। ଆଜି ଜାନକୀବଲ୍ଲଭ ସ୍ମୃତି କମିଟି ପକ୍ଷରୁ ଜନ୍ମମାଟି ରାମେଶ୍ବରଠାରେ ଆୟୋଜିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୩ତମ ଜୟନ୍ତୀ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରି ସେ ଯେଉଁ ସଫଳତା ହାସଲ କରିଛନ୍ତି ତାହା ଅବର୍ଣ୍ଣନୀୟ। ଆଜିର ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ଆବଶ୍ୟକ। ମୁଖ୍ୟବକ୍ତା ଭାବେ କିସ୍‌ ବିଶ୍ବବିଦ୍ୟାଳୟର କୁଳପତି ଡ. ହରେକୃଷ୍ଣ ଶତପଥୀ ଯୋଗଦେଇ କହିଲେ, ଦଳମତ ନିର୍ବିଶେଷରେ ଜାନକୀବଲ୍ଲଭ ଜଣେ ଗ୍ରହଣୀୟ ବ୍ୟକ୍ତିତ୍ବ। ଅବିଚଳ ଇଚ୍ଛାଶକ୍ତି ଓ ପ୍ରଚଣ୍ତ ସ୍ବାଭିମାନର ଅଧିକାରୀ ଥିଲେ। କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତା ପଦ ଅଳଂକୃତ କରି ସେ ଜଣେ ମହାନ ନେତାଭାବେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି। ଅନ୍ୟତମ ଅତିଥିଭାବେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ଗ୍ରିନ ଆର୍ମିର ଚିଫ୍ କମାଣ୍ତର ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ ପରିବେଶ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ଓଡ଼ିଶା ମାଟିରୁ ଯେଉଁ ସଂଗ୍ରାମ ଆରମ୍ଭ ହୋଇଛି ସେଥିରେ ଆମେ ଯୋଗଦେଇ ବ୍ୟାପକ ବୃକ୍ଷରୋପଣ କଲେ ତାହା ଜାନକୀବଲ୍ଲଭଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିଥିଭାବେ କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ଜିଲ୍ଲାପରିଷଦର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ସ୍ବର୍ଗତ ପଟ୍ଟନାୟକଙ୍କର ପୁଅ ପୃଥ୍ବୀବଲ୍ଳଭ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଜାନକୀବଲ୍ଳଭଙ୍କର ଗୁଣଗାନ କରିଥିଲେ।

ଜାନକୀ ବଲ୍ଲଭ ସ୍ମୃତି କମିଟିର ଆବାହକ ଇଂ ବିଶ୍ବମୋହନ ପଟ୍ଟନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀପ୍ତିରଞ୍ଜନ ପାଇକରାୟ ମଂଚ ପରିଚାଳନା କରିଥିଲେ। ଏହି ଅବସରରେ ତପୋବନ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସ୍ମୃତି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁଙ୍କ ନେତୃତ୍ବରେ ମଦ ମୁକ୍ତ ରାମେଶ୍ବର ଉଦ୍ଦେଶ୍ୟରେ ଏକ ଫଳକ ଉନ୍ମୋଚନ କରାଯାଇଥିଲା। ଶେଷରେ କଂଗ୍ରେସ ନେତା ବିପିନ ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ପଟ୍ଟନାୟକ, ଭୂଷଣ ଛୋଟରାୟ, ବିଜୟ ମହାପାତ୍ର, ଦିବ୍ୟସିଂହ ତ୍ରିପାଠୀ, ଡ. ପୂର୍ଣ୍ଣଚନ୍ଦ୍ର ଦାସ, ଚନ୍ଦ୍ରମୋହନ ପଟ୍ଟନାୟକ, ବୀରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତ୍ୟୁଷରେ ଏକ ସଂକୀର୍ତନ ମଣ୍ତଳୀ ଗ୍ରାମ ପରିକ୍ରମା କରି ସାରିବା ପରେ ଶ୍ରଦ୍ଧାଞ୍ଜଳି ଉତ୍ସବ ପଡିଆଠାରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର