ଖୋର୍ଦ୍ଧା: ଜାନକୀବଲ୍ଲଭ ଥିଲେ ଜଣେ ଧୁରୀଣ ରାଜନେତା, ବିଦ୍ବାନ୍ ମୁଖ୍ୟମନ୍ତ୍ରୀ, ସୃଜନଶୀଳ ସାହିତ୍ୟିକ ଓ ପ୍ରଚଣ୍ଡ ସ୍ବାଭିମାନୀ ବ୍ୟକ୍ତିତ୍ବ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଆଜି ୯୯ତମ ଜୟନ୍ତୀ ଅବସରରେ ଯୋଗ ଦେଇ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି। ଖୋର୍ଦ୍ଧାସ୍ଥିତ ଜାନକୀବଲ୍ଲଭ ପଟ୍ଟନାୟକ ପାର୍କରେ ଆୟୋଜିତ ସ୍ମୃତିଚାରଣ ସଭାରେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଯୋଗ ଦେଇ ଏ ମାଟି ପ୍ରତି ଜାନକୀ ବାବୁଙ୍କର ଅବଦାନକୁ ଦୋହରାଇଥିଲେ। ଆସନ୍ତାବର୍ଷ ଜାନକୀ ବାବୁଙ୍କର ଜନ୍ମ ଶତବାର୍ଷିକୀ ପାଳିତ ହେବାକୁ ଥିବାବେଳେ ରାଜଧାନୀ ତଥା ବିଭିନ୍ନ ଜିଲ୍ଲାରେ ଏହି ଜୟନ୍ତୀକୁ ବ୍ୟାପକ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଜାନକୀବଲ୍ଲଭ ସ୍ମୃତି କମିଟି ସଭାପତି ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ମଞ୍ଚାସୀନ ହୋଇ ଜାନକୀ ବାବୁଙ୍କୁ ଜଣେ ବିଦ୍ବାନ୍ ମୁଖ୍ୟମନ୍ତ୍ରୀ ବୋଲି ଅଭିହିତ କରିଥିଲେ। ତାଙ୍କର କୃତି ଓ ସୃଜନୀ ଅନନ୍ୟ। ଆସନ୍ତାବର୍ଷ ଶତବାର୍ଷିକୀ ଅବସରରେ ଜାନକୀ ବାବୁଙ୍କର ସମସ୍ତ ସୃଜନ, କୃତିକୁ ଏକାଠି କରି ପ୍ରଦର୍ଶନୀ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ପୂର୍ବତନ ବିଧାୟକ ଡ. ଦିଲୀପ ଶ୍ରୀଚନ୍ଦନ ଯୋଗ ଦେଇ କହିଥିଲେ, ଓଡ଼ିଶାରେ ସ୍ଥାୟୀ ସରକାର ଦେବାରେ ସେ ଥିଲେ ପ୍ରାକ୍ ପୁରୋଧା। ସେ ଥିଲେ ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏ କି ଓଡ଼ିଶାରେ ରାଜନୈତିକ ଅସ୍ଥିରତାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଆସନ୍ତାବର୍ଷ ଏମିତି ଜଣେ ବ୍ୟକ୍ତିତ୍ବଙ୍କର ଜନ୍ମ ଶତବାର୍ଷିକୀ ପାଳନ ହେବାକୁ ଯାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନୂତନ ଓଡ଼ିଶା ଗଠନରେ ଜାନକୀ ବାବୁଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ଆୟୋଜକ ଟ୍ରଷ୍ଟ ସଭାପତି ଶ୍ରୀ ପଟ୍ଟନାୟକ ନିଜ ସଭାପତିତ୍ବ ଅଭିଭାଷଣରେ ଜାନକୀ ବାବୁଙ୍କର ସ୍ବାଭିମାନ ଏବଂ ଆତ୍ମବିଶ୍ବାସର କଥାକୁ ଦୋହରାଇଥିଲେ। କହିଥିଲେ, ବହୁମୁଖୀ ପ୍ରତିଭାର ଅଧିକାରୀ ଜାନକୀ ବାବୁ ଅନ୍ୟତମ ବ୍ୟକ୍ତିତ୍ବ ଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅତୁଟ ଭକ୍ତି। କେବଳ ସେଇଥି ପାଇଁ ଆସାମର ରାଜ୍ୟପାଳ ଥିବା ସମୟରେ ସେ ଦୁଇ ଦୁଇଟି ଜଗନ୍ନାଥ ମନ୍ଦିର ସେଠି ତୋଳାଇଥିଲେ। ଟ୍ରଷ୍ଟର ସମ୍ପାଦକ ଡ. ସଞ୍ଜୟ ପଟ୍ଟନାୟକ ସଭା ସଂଯୋଜନା କରିଥିବା ବେଳେ ଅମିତ୍ ମହାନ୍ତି ଧନ୍ୟବାଦ ଦେଇଥିଲେ। ସଭାରେ ବରିଷ୍ଠ କଂଗ୍ରେସ ନେତା ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ସଭା ପୂର୍ବରୁ ପାର୍କ ସ୍ଥିତ ଜାନକୀ ବାବୁଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।