ଖୋର୍ଦ୍ଧା : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ଯଥାର୍ଥରେ ନବ ଉତ୍କଳର ନିର୍ମାତା। ବର୍ତ୍ତମାନ ପିଢ଼ି ତାଙ୍କୁ ଜଣେ ସଫଳ ରାଜନେତା ଭାବେ ହିଁ ଜାଣନ୍ତି। କିନ୍ତୁ ସେ ଯେ ଏକାଧାରରେ ଅନେକ ପ୍ରତିଭାର ଅଧିକାରୀ ଥିଲେ ତାହା ଅନେକ ଭୁଲିଯାଉଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ।

Advertisment

ଶୁକ୍ରବାର ଦିନ ସ୍ଥାନୀୟ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନରେ ଅନୁଷ୍ଠିତ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ, ସେ ନିଜର ସାମ୍ବାଦିକ ଜୀବନର ଗୁରୁ ଭାବେ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମ୍ମାନ ଦେଉଥିବା ବେଳେ ରାଜନୈତିକ ଗୁରୁ ଭାବେ ଜାନକୀବାବୁଙ୍କ ପ୍ରତି ସର୍ବଦା କୃତଜ୍ଞ। ଜାନକୀବାବୁ କିଭଳି ତାଙ୍କୁ ସାମ୍ବାଦିକ ଜୀବନରୁ ରାଜନୈତିକ ଜୀବନକୁ ଆଣିଲେ ତା’ର ସ୍ମୃତିଚାରଣ କରି କହିଥିଲେ ଯେ ଖୋର୍ଦ୍ଧା ତାଙ୍କର ଜନ୍ମମାଟି। ଏହି ମାଟିର ବର୍ତ୍ତମାନର ଯୁବପିଢ଼ି ଜାନକୀବାବୁଙ୍କ ସମ୍ପର୍କରେ ଜାଣିବାର ଓ ଆମମାନେ ସେମାନଙ୍କୁ ଜଣାଇବାର ଆବଶ୍ୟକତା ରହିଛି। ଏଭଳି ସ୍ମୃତି ଉଦ୍ୟାନ ପରବର୍ତ୍ତୀ ଶହଶହ ବର୍ଷ ଯାଏଁ ତାଙ୍କର କୃତି ଓ କୀର୍ତ୍ତି ଲୋକଙ୍କୁ ଜଣାଇବାରେ ସହାୟକ ହେବ ବୋଲି କହିଥିଲେ। ଏହାସହ ସ୍ମୃତି ଉଦ୍ୟାନର ବିକାଶ ପାଇଁ କେତେ ଖର୍ଚ୍ଚ ହେବ ସେନେଇ ଏକ ବିଶଦ୍‌ ବିବରଣୀ ତାଙ୍କୁ ଦେଲେ ଆସନ୍ତା ୭ ଦିନ ମଧ୍ୟରେ ନିଜର ସାଂସଦ ହାତପାଣ୍ଠିରୁ ଅନୁଦାନର ବ୍ୟବସ୍ଥା କରିବା ସହ ୬ ମାସ ମଧ୍ୟରେ ଏହାର ବିକାଶକୁ ସାକାର କରିବା ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଆଜିର ବୈଠକରେ ଜାନକୀବଲ୍ଲଭ ସ୍ମୃତି ଉଦ୍ୟାନର ସମ୍ପାଦକ ସଂଜୟ ପଟ୍ଟନାୟକ ଓ ଉଦ୍‌ଘୋଷକ ମିତାଲି ମଞ୍ଚ ପରିଚାଳନା କରିଥିଲେ। ପୂର୍ବତନ ବିଧାୟକ ଡ. ଦିଲୀପ ଶ୍ରୀଚନ୍ଦନ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ, ଏହାର ଜନତାଙ୍କ ବିକାଶ ପ୍ରତି ପ୍ରତିବଦ୍ଧତା ଥିବା ଜାନକୀବାବୁଙ୍କ ଭଳି ରାଜନେତା ବିରଳ ବୋଲି କହିଥିଲେ। ସ୍ମୃତି ଟ୍ରଷ୍ଟର କୋଷାଧ୍ୟକ୍ଷ ତଥା ଖୋର୍ଦ୍ଧା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ରୀ ସୁଦତ୍ତା ପଟ୍ଟନାୟକ, ତାଙ୍କର ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଓଡ଼ିଶାର ୧୩ଜଣ ସୁନାମଧନ୍ୟ କଣ୍ଠଶିଳ୍ପୀ, ଗୀତିକାର ଓ ସଂଗୀତକାର ଯଥା ବରିଷ୍ଠ କଣ୍ଠଶିଳ୍ପୀ ତାନ୍‌ସେନ୍ ସିଂହ, ଗୀତିକାର ଓ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ, କଣ୍ଠଶିଳ୍ପୀ ଓ ଗୀତିକାର ସୁବାସ ଦାସ, ଗୀତିକାର ପ୍ରେମ୍ ଆନନ୍ଦ, କଣ୍ଠଶିଳ୍ପୀ ମିତାଲି ଚିନ୍ନାରା, ଝୁମୁକି ରଥ, ଶୈଳଭାମା ମହାପାତ୍ର, ବିଭୁକିଶୋର, ସୌରଭ ନାୟକ, କିଷ୍ଣା ମିଶ୍ର, ଦୀପ୍ତିରେଖା ପାଢ଼ୀ, ନାଜିଆ ଆଲାମ୍, ଜୟଶ୍ରୀ ଧଳ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସେମାନେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସହ ସେମାନଙ୍କ ଜୀବନର ସମ୍ପର୍କ, ଜାନକୀବାବୁଙ୍କ କଳା, ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଆବେଗର ସ୍ମୃତିଚାରଣ କରିଥିଲେ।