ଜନ୍ମମାଟିରେ ଜାନକୀବଲ୍ଲଭଙ୍କ ଜୟନ୍ତୀ : ‘ଜାନକୀବଲ୍ଲଭଙ୍କ କୀର୍ତ୍ତି ଚିର ଜାଜ୍ବଲ୍ୟମାନ’

ନିରାକାରପୁର : ଜନଶୀଳତାର ସୁନାର ଫସଲଠାରୁ ସାମ୍ବାଦିକତାର ସମ୍ବେଦନଶୀଳ କ୍ଷେତ୍ର, ରାଜନୀତିର କଣ୍ଟକିତ ପଥଠାରୁ ସମାଜସେବାର ବୃହତର କ୍ଷେତ୍ର, ଜନଜାଗରଣ ଓ ସାଧାନାର ମନ୍ତ୍ର ଉଚ୍ଚାରଣରୁ ସାଫଲ୍ୟର ଶୀର୍ଷ ଆରୋହଣ ସବୁକ୍ଷେତ୍ରରେ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ କୀର୍ତ୍ତି ଚିର ଜାଜ୍ବଲ୍ୟମାନ ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ , ଆସାମର ପୂର୍ବତନ ରାଜ୍ୟପାଳ, ପ୍ରଚଣ୍ଡ ବାଗ୍ମୀ, ଅନନ୍ୟ ସାରସ୍ବତ ସାଧକ, ଜନନେତା ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମମାଟି ରାମେଶ୍ବର ଗାଁରେ ଜାନକୀବଲ୍ଲଭ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ୯୪ତମ ଜୟନ୍ତୀ ପାଳନ ଉତ୍ସବରେ ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରି ସ୍ବର୍ଗତ ପଟ୍ଟନାୟକ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ଅବର୍ଣ୍ଣନୀୟ। ଆଜିର ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ଏହି ଅବସରରେ ମତବ୍ୟକ୍ତ କରିଛନ୍ତି।

ସ୍ମୃତି କମିଟିର ସଭାପତି ନୀଳକଣ୍ଠ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିଲେ। ସେ କହିଥିଲେ ଯେ ଦଳମତ ନିର୍ବିଶେଷରେ ଜାନକୀବାବୁ ଜଣେ ଗ୍ରହଣୀୟ ବ୍ୟକ୍ତିତ୍ବ। ଅବିଚଳ ଇଚ୍ଛାଶକ୍ତି ଓ ପ୍ରଚଣ୍ତ ସ୍ବାଭିମାନର ଅଧିକାରୀ ଥିଲେ ସ୍ବର୍ଗତ ପଟ୍ଟନାୟକ। କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତା ପଦ ଅଳଂକୃତ କରି ସେ ଜଣେ ଅନନ୍ୟ ଜନନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ବୋଲି ଶ୍ରୀ ରାଉତରାୟ କହିଥିଲେ। ଅନ୍ୟତମ ଅତିଥି ଭାବେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡ. ଦିଲୀପ ଶ୍ରୀଚନ୍ଦନ ଯୋଗଦେଇ ଏ ଅଞ୍ଚଳ ପାଇଁ ସ୍ବର୍ଗତ ପଟ୍ଟନାୟକଙ୍କ ଅବଦାନ କେହି ଭୁଲି ପାରିବେ ନାହି ବୋଲି କହିଥିଲେ। ଚାଷୀମାନଙ୍କ ଉନ୍ନତି ପାଇଁ ରାମେଶ୍ବର ଗଡ଼ଠାରେ ବ୍ୟାରେଜ୍‌ ନିର୍ମାଣ ଓ ପୁରୀରୁ-ବଲାଙ୍ଗୀର ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡ଼କ ନିର୍ମାଣ କରିଥିଲେ ବୋଲି ଡ. ଶ୍ରୀଚନ୍ଦନ ସୂଚନା ଦେଇଥିଲେ। ଅନ୍ୟତମ ଅତିଥିଭାବେ ଖୋର୍ଦ୍ଧାର ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଜାନକୀବଲ୍ଲଭ ପଟ୍ଟନାୟଙ୍କ ପୁତ୍ର ତଥା ‘ସମ୍ବାଦ’ ଗ୍ରୁପ୍‌ର ନିର୍ଦ୍ଦେଶକ ପୃଥ୍ବୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରାକାରପୁର ସମିତି ସଭ୍ୟ ବିପିନ୍ କୁମାର ଜୟସିଂହ, ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ, ରାମେଶ୍ବର ସରପଞ୍ଚ ପ୍ରମୋଦ ତ୍ରିପାଠୀ, ବିଶ୍ବଭୂଷଣ ଛୋଟରାୟ, ବିଜୟ ମହାପାତ୍ର, କୃଷ୍ଣଚନ୍ଦ୍ର ନରେନ୍ଦ୍ର, ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଦସ୍ୟ ଦୀପ୍ତିରଞ୍ଜନ ପାଇକରାୟ ମଞ୍ଚ ପରିଚାଳନା କରିଥିଲେ।

ଏହି ଅବସରରେ ଏକ ସାହିତ୍ୟ ଆସରଆୟୋଜିତ ହୋଇଥିଲା। ଶେଷରେ ସ୍ମୃତିକମିଟିର ଆବାହକ ଇଂ ବିଶ୍ବମୋହନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଚନ୍ଦ୍ରମୋହନ ପଟ୍ଟନାୟକ, ବୀରେନ୍ଦ୍ର ପଟ୍ଟନାୟକ, ରଣଜିତ ଜଗଦେବ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସକାଳୁ ସଂକୀର୍ତ୍ତନମଣ୍ତଳୀ ଗ୍ରାମ ପରିକ୍ରମା କରି ସ୍ବର୍ଗତ ପଟ୍ଟନାୟକଙ୍କ ବଗିଚାରେ ପହଞ୍ଚିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ସେହିଭଳି ଖୋର୍ଦ୍ଧାସ୍ଥିତ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନରେ ଥିବା ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦ’ର ସମ୍ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ସ୍ବର୍ଗତଃ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର