ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଓଡ଼ିଶା ପୁଲିସ ଆଈମା’ କାହାଣୀ କହୁଛି। ପ୍ରତ୍ୟେକ ଦିନ ନୂଆ ନୂଆ କାହାଣୀ ପ୍ଲଟ କରୁଛି। ଫେଡେରାଲ ଷ୍ଟ୍ରକଚରରେ ଅଛି ଯଦି ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠିବ। ସେଠି କେନ୍ଦ୍ରୀୟ ସଂସ୍ଥା ଯାଞ୍ଚ କରିବ। ରାଜ୍ୟ ସରକାର ଓ ପୁଲିସ ଆଈମା କାହାଣୀ ଛାଡି ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡ ଉଠାଇବି। ଏଇ ଘଟଣାକୁ ନେଇ ବିଜେପି ବିଧାନସଭା ହୁଲୁସ୍ତୁଲ କରିବ। ନବ ଦାସଙ୍କ ହତ୍ୟା ରାଜନୈତିକ କି ବାଣିଜ୍ୟକ କାରଣ ତାହା ତଦନ୍ତ ସାପେକ୍ଷ ବୋଲି ବିରୋଧୀ ଦଳ ନେତା କହିଛନ୍ତି।

Advertisment

ସେହିପରି ପୁଲିସ ସଙ୍ଘର ସାମ୍ବାଦିକ ସମ୍ମିଳନୀକୁ ନେଇ ବିରୋଧୀଦଳ ନେତା ବର୍ଷିଛନ୍ତି। ସେ କହିଛନ୍ତି ଯେ, ଗତକାଲି ଏକ ପୁଲିସ ସଙ୍ଘ ସାମ୍ବିଧାନିକ ପଦବିରେ ଥିବା ରାଜ୍ୟର ବିରୋଧୀ ଦଳ ନେତାଙ୍କ ଉପରେ ପ୍ରଶ୍ନ କରୁଛି ଏବଂ ମନ୍ତବ୍ୟ ପ୍ରତ୍ୟାହାର କରିବା ପାଇଁ କହୁଛି। ଓଡ଼ିଶା ପୁଲିସ କିପରି କେତେ ବିଶୃଙ୍ଖଳା ଆଚରଣ କରିପାରେ ତାହା ଦର୍ଶାଉଛି। ଏମାନେ କେଉଁ ସତ ସାହସରେ ଆଉ କାହା ସାହସରେ ଏମିତି କରି ପାରୁଛନ୍ତି ବୋଲି କହିଛନ୍ତି।

ବିରୋଧୀ ଦଳ ନେତା ଆହୁରି କହିଛନ୍ତି ଯେ, ସେମାନେ କିଏ ମୋତେ ଉପଦେଶ ଦେବା ପାଇଁ। ମୁଁ ଲୋକ ପ୍ରତିନିଧି। ଲୋକେ ମୋର ମାଲିକ। ସେମାନେ ମୋତେ ଉପଦେଶ ଦେବେ। ସରକାରୀ କର୍ମଚାରୀ ମୋତେ କଣ ଉପଦେଶ ଦେବେ। ଏହା ହେଉଛି ଓଡ଼ିଶା ପୁଲିସର ବିଶୃଙ୍ଖଳିତ ଆଚରଣ।

ଯେତେବେଳେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ କହିଲେ ପୁଲିସ କମିସନ ନେଉଛି, ସେତେବେଳେ କାହିଁକି ପୁଲିସ ସଙ୍ଘ କିଛି କହିଲାନି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଜୟ ନାରାୟଣ। ପୁଲିସକୁ ଦଳୀୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଯେଉଁଥିପାଇଁ ପୁଲିସ ଏପରି ବିଶୃଙ୍ଖଳିତ ଆଚରଣ କରୁଛି ବୋଲି ସେ କହିଛନ୍ତି।