ଦୁର୍ଘଟଣା ବଦଳାଇଦେଲା ଜୀବନର ଗତିପଥ, ସରକାରୀ ସହାୟତାକୁ ଅନାଇଛନ୍ତି ଜନାର୍ଦ୍ଦନ

ଭଞ୍ଜନଗର : ମୁଣ୍ଡ ଉପରେ ଥିଲା ପରିବାର ଭରଣପୋଷଣର ଗୁରୁ ଦାୟିତ୍ବ। ୧୦ ବର୍ଷ ତଳେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆଙ୍କ ସମେତ ୪ ଭାଇ ଓ ୩ ଭଉଣୀଙ୍କୁ ନେଇ କଷ୍ଟେମଷ୍ଟେ ତେଲଲୁଣର ସଂସାର ଚାଲିଥିଲା। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ନିଜେ ପାଠପଢ଼ା ଛାଡ଼ି ଅନ୍ୟ ଭାଇଙ୍କ ସହ ରାଜ୍ୟ ବାହାରକୁ ଯାଇ ମିସ୍ତ୍ରି ଭାବେ କାମ କରୁଥିଲେ। ହେଲେ ଦଇବ ଦାଉ ସାଧିଲା। ଆଉ ଦୁର୍ଘଟଣା ବଦଳାଇଦେଲା ଜୀବନର ମୋଡ଼। ଗୋଡ଼ ଭାଙ୍ଗିଯିବା ପରେ ଏବେ ଅନ୍ୟର ସାହାରାରେ ଦୈନନ୍ଦିନ ଜୀବନ କଟୁଛି। ଆଉ ସରକାରୀ ସହାୟତାକୁ ଅପେକ୍ଷା କରିବା ଛଡ଼ା ଆଉ କିଛି ଉପାୟ ନାହିଁ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଅଧୀନ ମଳାସପଦର ଗ୍ରାମରେ ଜନାର୍ଦ୍ଦନ ନାଇକ (୩୦)। ଯୁବାବସ୍ଥାରେ ଆଜି ସେ ଅନ୍ୟର ସାହାରାରେ ଜୀବନ କାଟୁଛନ୍ତି। ବାପା ବାଲ୍ମିକୀ ନାଇକଙ୍କ ଗତ ୧୦ ବର୍ଷ ତଳେ ଅସୁସ୍ଥତାରୁ ମୃତ୍ୟୁ ହୋଇଥିଲା। ୪ ପୁଅ ଓ ୩ ଝିଅ ଥିବା ବେଳେ ବାପାଙ୍କ ମୃତ୍ୟୁ ପରେ ପରିବାରର ଦାୟିତ୍ବ ପୁଅମାନଙ୍କ ଉପରେ ପଡ଼ିଥିଲା। ଭାଇ ମାନଙ୍କ ମଧ୍ୟରେ ଜନାର୍ଦ୍ଦନ ବଡ଼ମଝିଆ। ବଡ଼ଭାଇ ଗାଁରେ ରହି ମିସ୍ତ୍ରି ଭାବେ କାମ କରୁଥିବା ବେଳେ ଜନାର୍ଦ୍ଦନ ତାମିଲନାଡ଼ୁ ଯାଇ ମିସ୍ତ୍ରି ଭାବେ କାମ କରୁଥିଲେ।

୨୦୧୯ ମସିହା ଡିସେମ୍ବରରେ ଦଣ୍ଡଯାତ୍ରା ପ୍ରସ୍ତୁତି ପାଇଁ ସେ ଗାଁକୁ ଫେରିଥିଲେ। ଆଉ ଦିନେ ଜଣେ ବନ୍ଧୁଙ୍କ ସହ ସାକ୍ଷାତ କରିବାକୁ ବାଇକ୍‌ରେ ଫୁଲବାଣୀ ଯାଇ ସେଠାରୁ ରାତି‌ରେ ‌ଫେରୁଥିବା ସମୟରେ ଅସାବଧାନତାବଶତଃ ଏକ ଗଛରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଡାହାଣ ଗୋଡ଼ ଭାଙ୍ଗିଯାଇଥିଲା। ହେଲେ ଉପଯୁକ୍ତ ଚିକିତ୍ସା ସେ ପାଇପାରି ନଥିଲେ। ନିକଟ ଏକ ଗ୍ରାମକୁ ଯାଇ ଘ‌‌ରୋଇ ଉପଚାର କରିଥିଲେ ହେଁ, କୌଣସି ସୁଫଳ ମିଳି ନଥିଲା।

ଏବେ ବର୍ଷେ ହେଲାଣି ଜନାର୍ଦ୍ଦନ ଆଉ ଚାଲିପାରୁନାହାନ୍ତି କି ଉଠିପାରୁନାହାନ୍ତି। ଏପରିକି ନିତ୍ୟକର୍ମ କରିବା ପାଇଁ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ତାଙ୍କୁ ନିର୍ଭର କରିବାକୁ ପଡ଼ୁଛି। ବାଡ଼ି ସାହାଯ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୋଷାଡ଼ି ହୋଇ ଯିବାକୁ ପଡ଼ୁଛି। ଏଭଳି ଘଡ଼ିସନ୍ଧି ସମୟରେ ସେ ବେରୋଜଗାର ପାଲଟିଛନ୍ତି। କିଛି ବର୍ଷ ତଳେ ଜଣେ ଭଉଣୀଙ୍କୁ ବାହା ଦେଇ ସାରିଥିବା ବେଳେ ଆଉ ଦୁଇ ଭଉଣୀଙ୍କ ବିବାହ କେମିତି ହେବ, ଏହାକୁ ନେଇ ଜନାର୍ଦ୍ଦନ ଚିନ୍ତାରେ ପଡ଼ିଛନ୍ତି। ଜନାର୍ଦ୍ଦନଙ୍କ ପରିସ୍ଥିତି ଓ ପରିବାରର ଆର୍ଥିକ ଅବସ୍ଥାକୁ ଦେଖି ବଡ଼ଭାଇ ଏବେ ତାମିଲନାଡ଼ୁ ପଳାଇଛନ୍ତି। ସାନ ଭା‌ଇ ଦଶମ ଶ୍ରେଣୀରେ ପଢ଼ିବା ପରେ ଘରେ ରହିଛି। ଚିକିତ୍ସା ପାଇଁ ବହୁ ଅର୍ଥ ଆବଶ୍ୟକ ଥିବା ବେଳେ ପରିବାର ଚଳାଇବାକୁ ବି ଅର୍ଥାଭାବ ଜନାର୍ଦ୍ଦନଙ୍କ ପାଇଁ ଯେମିତି ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହୋଇଛି। ସରକାରୀ ସହାୟତା ପ୍ରଦାନ ନିମନ୍ତେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଜନାର୍ଦ୍ଦନ କହିଛନ୍ତି। ଅନ୍ୟପକ୍ଷରେ ୧୦ ବର୍ଷ ତଳୁ ବାପାଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ମାଆଙ୍କୁ ବିଧବା ଭତ୍ତା ମିଳିନଥିବା ‌ପ୍ରକାଶ କରିଛନ୍ତି। ଏଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଜନାର୍ଦ୍ଦନ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର