କୃଷିଭିତ୍ତିକ ଉଦ୍ୟୋଗକୁ ମିଳିବ ପ୍ରୋତ୍ସାହନ

ପ୍ରଦାନ ଓ ଜନସେବା କେନ୍ଦ୍ର ସହ ଆପିକଲ୍‌ର ଚୁକ୍ତିପତ୍ର ସ୍ବାକ୍ଷରିତ

ଭୁବନେଶ୍ବର : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରଚଳନ ହେବ ‘କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା-୨୦୧୮’। ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଅଧିକ କୃଷି ଉଦ୍ୟୋଗ ସ୍ଥାପନ ତଥା ତୃଣମୂଳ ସ୍ତରରେ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସଫଳ ରୂପାୟନ। ଏଥି ପାଇଁ ଆଜି ‘ପ୍ରଦାନ’ ଓ ‘ଜନସେବା କେନ୍ଦ୍ର’ ସହ ଆପିକଲ୍‌ର ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ‘ପ୍ରଦାନ’ ସହ ହୋଇଥିବା ଚୁକ୍ତି ଅନୁଯାୟୀ ରାଜ୍ୟର ୧୨ଟି ଜିଲ୍ଲାର ୪୦ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ୍‌ରେ ଏକ ହଜାର ଜଣ କୃଷି ଉଦ୍ୟୋଗୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ସ୍ଥାପନ ନିମନ୍ତେ ଚୟନ କରାଯାଇ ସଶକ୍ତିକରଣ କରାଯିବ। ପ୍ରତି ଉଦ୍ୟୋଗୀ ୨୦୦ରୁ ଅଧିକ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରି ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ। ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିବ। ଅତି କମ୍‌ରେ ଦୁଇ ଲକ୍ଷ ଚାଷୀଙ୍କୁ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ ତଥା କୃଷି ଯାନ୍ତ୍ରିକୀକରଣ ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରି ଆତ୍ମନିର୍ଭରଶୀଳ ହେବା ନିମନ୍ତେ ସହାୟକ ହେବେ। ପ୍ରତି କୃଷି ଉଦ୍ୟୋଗୀ ସଂପୃକ୍ତ ଅଞ୍ଚଳରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଏକକ ସେବା ପ୍ରଦାନକାରୀ ଭାବେ କାର୍ଯ୍ୟ କରିବେ। କୃଷକ ଉତ୍ପାଦନ ସଂଘ ଓ ଆଗ୍ରହୀ କୃଷକ ଗୋଷ୍ଠୀମାନଙ୍କୁ ନେଇ ଉଦ୍ୟୋଗୀ ଜଣଙ୍କ ନିଜ ଅଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ବିଭିନ୍ନ ଯୋଜନାରେ ଉପଲବ୍ଧ ସୁବିଧା ସମ୍ବନ୍ଧରେ ଅବଗତ କରାଇବା ସହ କୃଷି ଉପକରଣ ଯୋଗାଇବାରେ ଓ କୃଷିଜାତ ସାମଗ୍ରୀର ବିପଣନରେ ସାହାଯ୍ୟ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ଜନସେବା କେନ୍ଦ୍ର ସହ ହୋଇଥିବା ଚୁକ୍ତି ଅନୁଯାୟୀ ଜନସେବା କେନ୍ଦ୍ର ଗ୍ରାମାଞ୍ଚଳରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ସ୍ଥାପନ ନିମନ୍ତେ ଉତ୍ସାହୀ ଉଦ୍ୟୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଆବେଦନ ପ୍ରକ୍ରିୟା ସମ୍ବନ୍ଧରେ ଆବଶ୍ୟକ ପରାମର୍ଶ ଓ ସାହାଯ୍ୟ ଯୋଗାଇଦେବେ। ଏହା ଫଳରେ ଉତ୍ସାହୀ ଉ‌େଦ୍ୟାଗୀ ଏହି ଯୋଜନାରେ ଉପଲବ୍ଧ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତିର ସୁଯୋଗ ପାଇପାରିବେ। ଯୋଜନାରେ ମୁଖ୍ୟତଃ ଅନୁସୂଚିତ ଜାତି, ଜନଜାତି, ମହିଳା ଉଦ୍ୟୋଗୀ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଏହା ବାଦ୍ ଜନସେବା କେନ୍ଦ୍ର ମାଧ୍ୟମରେ ଉତ୍ସାହୀ ଉଦ୍ୟୋଗୀମାନଙ୍କୁ ଅନ୍‌ଲାଇନ୍‌ ପ୍ରକ୍ରିୟା ସମ୍ବନ୍ଧରେ ପ୍ରଶିକ୍ଷଣ ଯୋଗାଇ ଦିଆଯିବ।

ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିସନର୍‌ ପ୍ରଦୀପ୍ତ କୁମାର ମହାପାତ୍ର, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, କୃଷି ନି‌େର୍ଦ୍ଦଶକ ଏମ୍ ମୁଥୁକୁମାର, ଉଦ୍ୟାନ କୃଷି ନି‌େର୍ଦ୍ଦଶକ ବି କେ ଉପାଧ୍ୟାୟ, ଆପିକଲ୍‌ର ଅଧ୍ୟକ୍ଷ ପ୍ରଭାତଆଦିତ୍ୟ ମିଶ୍ର ଓ ପରିଚାଳନା ନିର୍ଦ୍ଦେଶକ ଏସ୍‌ ଏସ୍‌ଦେଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର