ଭାପୁର : ଭାପୁର କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

Advertisment

ବୁଧବାର ପୂର୍ବାହ୍ନରେ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀ ପଟ୍ଟନାୟକ ଯୋଗଦେବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ। ଏଥିରେ ଭାପୁର ବ୍ଲକ୍‌ ଅଧୀନ ୨୦ଟି ପଞ୍ଚାୟତରୁ ଜନସାଧାରଣ ଉପସ୍ଥିତ ରହିବା ସହିତ ବିଭିନ୍ନ ସମସ୍ୟା ବାବଦରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜନଶୁଣାଣି ଶିବିରରେ ୬୨ଟି ଆପତ୍ତି ଅଭିଯୋଗ ହୋଇଥିଲା। ସେଥିମଧ୍ୟରୁ ୩୫ଟି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ସେହିଭଳି ଏହି ଅବସରରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଭାପୁର ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷକରି ଉପନିବନ୍ଧକ କାର୍ଯ୍ୟାଳୟ ପ୍ରତିଷ୍ଠା, ଶାଳପଡ଼ା ଓ ରାକମାରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ତୁରନ୍ତ କାର୍ଯ୍ୟକ୍ଷମ ହେବା, ଭାପୁରରେ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ, ବିଦ୍ୟୁତ୍ ସବଡିଭିଜନ୍‌, ଭାପୁର ପୋଷ୍ଟ ଅଫିସର ନିଜସ୍ବ ଗୃହ ନିର୍ମାଣ, ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ଗୃହ, ଭାପୁରରୁ ସାଗରଗୁଆଁ ଯାଇଥିବା ଗ୍ରାମ୍ୟଉନ୍ନୟନ ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ କରିବା ଆଦି ନେଇ ବିଧାୟକଙ୍କୁ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭାପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବିଧାୟକଙ୍କ ବ୍ଲକ୍‌ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂହ, ବିଡିଓ ରଣଜିତ କୁମାର ମଲ୍ଲିକ, ତହସିଲ୍‌ଦାର ଲଗ୍ନଜିତ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ୨୦ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ସାମନ୍ତରାୟ, ୧୮ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର କୁମାର ଧଳ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ତଥା ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାମନ୍ତରାୟ, କ୍ରିୟାନୁଷ୍ଠାନ କମିଟି ସମ୍ପାଦକ ପ୍ରଭାକର ସାହୁ, ଆଇନଜୀବୀ ପ୍ରସନ୍ନ କୁମାର ପଣ୍ତା, ଅଧ୍ୟାପକ ସୁମନ୍ତ ଜେନା, ଗଙ୍ଗାଧର ବାରିକ ବିଭିନ୍ନ ସମସ୍ୟା ନେଇ ନିଜ ନିଜର ମତ ରଖିଥିଲେ। ଲକ୍ଷ୍ମୀଧର ମହାପାତ୍ର, ଶରତ ମହାପାତ୍ର, ବିଜୟ କୁମାର ମିଶ୍ର, ପଦ୍ମଚରଣ ବେହେରା, ହାଡ଼ିବନ୍ଧୁ ଦାଶ, ସାଧୁ ଚରଣ ସିଂହ, ଯଦୁମଣି ବେହେରା, ପଦ୍ମନାଭ ବେହେରା ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ଆସନ୍ତା ମାସରେ ମଧ୍ୟ ଏଠାରେ ଅନୁରୂପ ଭାବେ ଶିବିର ଆୟୋଜିତ ହେବ ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ। ଶିବିରରେ ବିଭିନ୍ନ ବିଭାଗର ବହୁ ବରିଷ୍ଠ ସରକାରୀ ଅଧିକାରୀ ଓ ୨୦ଟି ପଞ୍ଚାୟତର ଜନପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।