ଘଣ୍ଟ-ଘଣ୍ଟି-ଖୋଳ ବଜାଇ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଲେ ଜଗତସିଂହପୁର ଜିଲ୍ଲାବାସୀ

ଗାଁ ଗହଳିରେ ସଙ୍କୀର୍ତ୍ତନ କଲେ
ଛୋଟ ପିଲାଠାରୁ ବୟସ୍କ ସଭିଏଁ ସାମିଲ
ତାଳି ବଜାଇ ଜିଲ୍ଲାପାଳଙ୍କ ଧନ୍ୟବାଦ

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲାରେ ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସମର୍ଥନ ମିଳିଛି । ଦିନ ସାରା ଘରେ ରହି ଜନତା କର୍ଫ୍ୟୁକୁ ପାଳନ କରିବା ପରେ ସନ୍ଧ୍ୟାରେ ଧନ୍ୟବାଦ ଦେବାରେ ହେଳା କରି ନାହାନ୍ତି ଜିଲ୍ଲାବାସୀ । ଠିକ୍ ସନ୍ଧ୍ୟା ୫ଟାରେ ହଠାତ୍ ଚାରିଆଡେ ଘଣ୍ଟ, ଘଣ୍ଟା, ବାଜା ଓ ତାଳି ମାଡରେ ପ୍ରକମ୍ପିତ ହୋଇଥିଲା । ଲୋକମାନେ ଘରୁ ବାହାରି ଆସି ହୃଦୟର ସହ ପ୍ରତିକୂଳ ପରିସ୍ଥିତିରେ ସେବା ଯୋଗାଉଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଥିଲେ । ଗଣମାଧ୍ୟମର ପ୍ରତିନିଧି, ଡାକ୍ତର, ନର୍ସ, ଅଗ୍ନିଶମ ବିଭାଗ, ପୁଲିସ, ପ୍ରଶାସନର କରୋନା ମୁକାବିଲା ପାଇଁ ଉଦ୍ୟମ କରୁଥିବା ପ୍ରତିଟି ଯୋଦ୍ଧାଙ୍କୁ ଧନ୍ୟବାଦ ପୂର୍ବକ ଏଭଳି ନିଆରା ଢ଼ଙ୍ଗରେ ପାଳନ କରିଥିଲେ ।

ଜିଲ୍ଲାସାରାର ଭିଡ଼ିଓ ଓ ଫଟୋ ସାମାଜିକ ଗଣ ମାଧ୍ୟମରେ ଏକ ସକରାତ୍ମକ ବାର୍ତ୍ତା ଦେଇଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଏଁ ଏଥିରେ ସାମିଲ ହୋଇଥିଲେ । ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍‌ନାକୁ ଆସିଥିଲା । ତାହା ହେଲା ମା ଶାରଳାଙ୍କ ମନ୍ଦିର ସମେତ ଜିଲ୍ଲା ସମସ୍ତ ମନ୍ଦିର ଗୁଡ଼ିକରେ ଏକ ସଙ୍ଗରେ ଘଣ୍ଟ ବାଜି ଉଠିଥିଲା । ଗାଁ ଗୁଡ଼ିକରେ ମନ୍ଦିରରେ ଏକ ସଙ୍ଗରେ ଆଳତୀ କରାଯାଇ ଘଣ୍ଟ, ଶଙ୍ଖ ବଜା ଯାଇଥିଲା । କିଛି ଗ୍ରାମରେ ସଙ୍କୀର୍ତ୍ତନ କରାଯାଇ ନଗର ପରିକ୍ରମାକ କରାଯାଉଥିବା ଦେଖିବାକୁ ମିଳିଛି । ଯାହା ଏକ ଭଲ ବାର୍ତ୍ତା ଦେଇଛି । ଜିଲ୍ଲାପାଳ ମଧ୍ୟ ଏଥଇରେ ସାମିଲ ହୋଇଥିଲେ ନିଜ ବାସ ଭବନରେ ରହି ତାଳି ମାରି କରୋନା ମୁକାବିଲା କରୁଥିବା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ବାସ ଭବନରେ ଘଣ୍ଟ ବାଡେଇଲେ ମନ୍ତ୍ରୀ ରଘୁନନ୍ଦନ
ଜଗତସିଂହପୁର ଟାଉନ୍ : ପ୍ରତିକୂଳ ପରିସ୍ଥିତିରେ ସେବା ଯୋଗାଉଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବାରେ ରାଜନେତା ମଧ୍ୟ ସାମିଲ ହୋଇଛନ୍ତି । ବାଲିକୁଦା-ଏରସମା ବିଧାୟକ ତଥା ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ତାଙ୍କ ବାଲିକୁଦା ସ୍ଥିତ ବାସ ଭବନରେ କରୋନା ଯୋଦ୍ଧାଙ୍କୁ ଘଣ୍ଟ ବାଡ଼େଇ ଧନ୍ୟବାଦ ଦେଇଛନ୍ତି । ଏଭଳି ଜରୁରୀ ପରିସ୍ଥିତିରେ ନିଜ ଜୀବନକୁ ବାଜିରେ ଲଗାଇ ଯେଉଁମାନେ ଦେଶରେ କୋଟି କୋଟି ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନଙ୍କୁ ଏଭଳି ପ୍ରୟାସ କାମ କରିବାକୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି ।

ଚାଳିଶି ଜଣଙ୍କର ସରିଲା କ୍ୱାରେଣ୍ଟାଇନ ସମୟ
ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲାରେ ଆଜି ସୁଧା ଜିଲ୍ଲାରେ ୧୧୪ ଜଣଙ୍କୁ ସନ୍ଦେହରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କରକ୍ୱାରେଣ୍ଟାଇନ ସମୟ ଶେଷ ହୋଇଛି । ବାକି ୭୪ ଜଣ ଆଇସୋଲେସନରେ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ପଜେଟିଭ୍ ରୋଗୀ ନାହାନ୍ତି । ତେବେ ବର୍ତ୍ତମାନ ବାହାର ରାଜ୍ୟରୁ ଅଧଇକାଂଶ ଲୋକ ଟ୍ରେନ୍ ଓ ବସ୍ ଯୋଗେ ଜିଲ୍ଲାକୁ ଆସିଛନ୍ତି । ଯାହାଙ୍କର ସମ୍ପୂର୍ଣ୍ଣ ହିସାବ ଜିଲ୍ଲା ପ୍ରଶାସନ ଗ୍ରହଣ କରି ପାରି ନଥିବା ଅଭିଯୋଗ ହୋଇଛି । କିଛି କିଛି ସ୍ଥାନରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପଂଚାୟତସ୍ତରରେ କାମ କରୁଥିବା ଜନପ୍ରତିନିଧି ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ବାହାରୁ ଆସୁଥିବା ଲୋକଙ୍କ ବିଷୟରେ ଜଣାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର