ରାତି ପାହିଲେ ‘ଜନତା କର୍ଫ୍ୟୁ’ : ଓଡ଼ିଶାରେ ଗଡ଼ିବନି ବସ୍, ବନ୍ଦ ରହିବ ଦୋକାନ ବଜାର, ଜରୁରୀ କାମ ନ ଥିଲେ ଘରେ ରହିବାକୁ ମୋଦୀଙ୍କ ଆହ୍ବାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆସନ୍ତାକାଲି ଦେଶବାସୀ ଜନତା କର୍ଫ୍ୟୁ ପାଳିବେ । ସକାଳ ୭ଟାରୁ ରାତି ୯ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ୧୪ ଘଣ୍ଟା ସମୟରେ ସବୁକିଛି ବନ୍ଦ ରଖି ଘରେ ରହିବାକୁ ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏଭଳି ଆହ୍ୱାନକୁ ସମର୍ଥନ ଜଣାଇଛି ଓଡ଼ିଶା । ଆସନ୍ତାକାଲି ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ଓ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ କରୋନା ସଂକ୍ରମଣର ମୁକାବିଲା ଲାଗି ଆଜି ରାଜ୍ୟ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କରୋନା ମୁକାବିଲା ଲାଗି ରାଜ୍ୟର ୫ ଜିଲ୍ଲା ଓ ୮ ସହରର ସଂପୂର୍ଣ୍ଣ ( ନିଆର୍ ଟୋଟାଲ୍) ଲକଡାଉନ୍ ଘୋଷଣା କରିଛନ୍ତି।

ଭାରତୀୟ ରେଳବାଇ ଆସନ୍ତାକାଳି  ପାଇଁ ୩, ୭୦୦ ପାସେଞ୍ଜର୍ ଟ୍ରେନ୍ ଏବଂ ଦୂରଗାମୀ ମେଲ୍/ଏକ୍ସପ୍ରେସ୍ ଟ୍ରେନ୍ ବାତିଲ କରିଛି।ଶୁକ୍ରବାର ସନ୍ଧ୍ୟାରେ ରେଳବାଇ ବୋର୍ଡ ତରଫରୁ ଦିଆଯାଇଥିବା ବିଜ୍ଞପ୍ତି ଅନୁସାରେ, ଶନିବାର/ରବିବାର ମଧ୍ୟରାତ୍ରୀରୁ ରବିବାର ରାତି ୧୦ଟାଯାଏଁ ଦେଶର କୌଣସି ରେଳ ଷ୍ଟେସନରୁ କୌଣସି ପାସେଞ୍ଜର୍ କିଂବା ଏକ୍ସପ୍ରେସ୍ ଟ୍ରେନ୍ ଛାଡ଼ିବ ନାହିଁ। ରବିବାର ଜନତା କର୍ଫ୍ୟୁ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଟ୍ରେନ୍ ଚଳାଚଳ ବନ୍ଦ ଘୋଷଣା କରାଯାଇଛି । ପୁରୀ, ଭୁବନେଶ୍ୱର, ସମ୍ବଲପୁର, ରାୟଗଡା, ବଲାଙ୍ଗୀର, ବିଶାଖାପାଟଣାରୁ ବାହାରୁଥିବା ସମସ୍ତ ସୁପରଫାଷ୍ଟ ଓ ଏକ୍ରପ୍ରେସ ଟ୍ରେନକୁ ଗୋଟିଏ ଦିନ ପାଇଁ ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର, ପୁରୀ, ଭଦ୍ରକ, ବ୍ରହ୍ମପୁର, ପଲାସା, କଟକ, ଖୋର୍ଦ୍ଧା ରୋଡ୍, ପାରାଦୀପ, ଅନୁଗୁଳ, ଗୁଣୁପୁରରୁ ସମସ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି ।

Oneindia

ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବା ପାଇଁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଆଗେଇ ଆସିଛି।ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଜନତା କର୍ଫ୍ୟୁକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରିଛି। ରବିବାର ଓଡ଼ିଶାରେ ଜନତା କର୍ଫ୍ୟୁ ପାଇଁ ୨୦ ଲକ୍ଷ ଦୋକାନ ବନ୍ଦ ରହିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।

ଗତ କିଛି ଦିନ ମଧ୍ୟରେ ବିଦେଶରୁ ୩୦୦୦ରୁ ଅଧିକ ଲୋକ ଓଡିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର। ତେଣୁ ପ୍ରଥମ ପର୍ୟ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର,  ରାଉରକେଲା,  ଭଦ୍ରକ,  ପୁରୀ,  ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ୟ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ (ନିଅର୍ ଟୋଟାଲ୍) ଲକ୍ ଡାଉନ୍ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର