ବହୁପ୍ରତୀକ୍ଷିତ ଜାନିବିଲି ପ୍ରକଳ୍ପ ଉଦ୍‌ଘାଟିତ : ବ୍ରହ୍ମପୁରବାସୀଙ୍କ ସ୍ବପ୍ନ ସାକାର ହୋଇଛି – ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରଥମ ସମନ୍ବିତ ଜଳଯୋଗାଣ ପ୍ରକଳ୍ପ, ସ୍ମାର୍ଟ ପାର୍କ ଯୋଜନା ଆରମ୍ଭ, ଖର୍ଚ୍ଚ ହେବ ୨ଶହ କୋଟି

ବ୍ରହ୍ମପୁର : ବହୁ ପ୍ରତୀକ୍ଷିତ ଜାନିବିଲି ବୃହତ୍ ଜଳଯୋଗାଣ ପ୍ରକଳ୍ପ ଆଜି ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୩୧କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଏହା ହେଉଛି ରାଜ୍ୟର ପ୍ରଥମ ସମନ୍ବିତ ଜଳଯୋଗାଣ ପ୍ରକଳ୍ପ। ଏଥିସହିତ, ରାଜ୍ୟର ୧୧୪ଟି ସହରାଞ୍ଚଳରେ ୪ଶହ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ପାର୍କ ନିର୍ମାଣ ଓ ଶ୍ମଶାନର ଉନ୍ନତିକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ସିଟି ହାଇସ୍କୁଲ ପଡିଆ ଠାରେ ଅବତରଣ କରିବା ପରେ ସକାଳ ୧୧ଟା୧୫ରେ ଖଲ୍ଲିକୋଟ କଲେଜ ଷ୍ଟାଡିୟମ ସଭାସ୍ଥଳରେ ପହଞ୍ଚିଥିଲେ। ସେଠାରେ ସେ ବ୍ରହ୍ମପୁର ପାଇଁ ୪୭୭କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ। ଏଥିସହିତ. ବହୁ ପ୍ରତୀକ୍ଷିତ ୪୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ପ୍ରଥମ ସମନ୍ବିତ ଜଳଯୋଗାଣ ପ୍ରକଳ୍ପକୁ ଟ୍ୟାପ୍ ଖୋଲି ଉଦ୍‌ଘାଟନ କରିଥିଲେ। ଏହି ମେଗା ପ୍ରକଳ୍ପ ଦ୍ବାରା ବ୍ରହ୍ମପୁର ସହରବାସୀ ଏବ˚ ଉପକଣ୍ଠ ୧୬ଟି ପଞ୍ଚାୟତର ୫୩ଟି ଗ୍ରାମର ଲୋକ ଉପକୃତ ହେବେ।

ଏହାପରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଆଜି ବ୍ରହ୍ମପୁର ବାସୀଙ୍କ ଲାଗି ବୃହତ ଜଳଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଫଳରେ, ସହରବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହୋଇଛି।

ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ୨୦୧୬ ମସିହା ନଭେମ୍ବର ୩୦ ତାରିଖରେ ଜାନିବିଲି ବୃହତ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସରି କାର୍ଯ୍ୟକ୍ଷମ ହୋଇ ପାରିଛି।‌

ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, କିଛି ବର୍ଷ ତଳେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରର ସହରର ବିକାଶ ତାଙ୍କର ଦାୟିତ୍ବ ବୋଲି କହିଥିଲେ। ଆଜି ସେହି ପ୍ରତିଶ୍ରୁତି ସେ ପୂରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ପାଇଁ ବୃହତ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିବା ପରେ ସହରବାସୀଙ୍କ ବହୁ ବର୍ଷର ଦୁଃଖ ଦୂର ହୋଇଛି।

ଅନୁରୂପ ମନ୍ତବ୍ୟ ଦେଇ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଓ ବ୍ରହ୍ମପୁର ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଥିଲେ ଯେ, ବ୍ରହ୍ମପୁର ସହରରେ ପାଣି ସମସ୍ୟା ବହୁଦିନର। ଏଠାକୁ ପ୍ରଧାନମନ୍ତ୍ରୀ ଓ ବହୁ ମୁଖ୍ୟମନ୍ତ୍ରୀ ଆସି ପ୍ରତିଶ୍ରୁତି ଦେଇ ଗଲେ। ହେଲେ କାହା ହାତରେ କିଛି ହୋଇ ପାରିଲାନି। ଶେଷରେ ବିକାଶ ପୁରୁଷ ନବୀନ ବାବୁ ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେଇଛନ୍ତି।

କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ବିଧାୟକ ଦେବରାଜ ମହାନ୍ତି, ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟା˚ଶୁ ପ୍ରଧାନ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସାନଖେମୁଣ୍ତି ବିଧାୟିକା ନନ୍ଦିନୀ ଦେବୀ, ଜିଲ୍ଲା ପରିଷଦ ସଭାପତି ସୁବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ନଗର ଉନ୍ନୟନ ବିଭାଗର ସଚିବ ଜି.ମାଥିଭାଥନନ୍‌ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଏହି ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ପି କେ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର