ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ମୂର୍ତି ରାଜଧାନୀରେ ପ୍ରତିଷ୍ଠା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ବରୀର ପୂର୍ବତନ ବିଧାୟକ ଚିନ୍ମୟ କୁମାର ବେଉରା। ରାଜଧାନୀର ବିଭିନ୍ନ ସ୍ଥାନରେ ମହାପୁରୁଷମାନଙ୍କ ପୂର୍ଣ୍ଣାବୟବ ମୂର୍ତି ସ୍ଥାପନ କରାଯାଇଛି। ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜନନାୟକ ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତି ସ୍ଥାପନ କରାଗଲେ ଓଡ଼ିଶା ପାଇଁ ତାଙ୍କର ଅବଦାନକୁ ଜନମାନସରେ ଉଜ୍ଜିବୀତ କରାଯାଇପାରିବ।

Advertisment

ଶ୍ରୀ ବେଉରା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୧୯୨୭ ମସିହାରେ ଜନ୍ମିତ ସ୍ବର୍ଗତ ପଟ୍ଟନାୟକ ଏକାଧାରାରେ ଜଣେ ସାମ୍ବାଦିକ, ସୁସାହିତ୍ୟିକ, ସଂସ୍କୃତିବିତ୍ ଓ ରାଜନୀତିଜ୍ଞଭାବେ ୩ ଦଶନ୍ଧି ଧରି ରାଜ୍ୟର ଜନଜୀବନକୁ ପ୍ରଭାବିତ କରିଛନ୍ତି। ଉଚ୍ଚକୋଟୀର ସାହିତ୍ୟ ରଚନା ବିଶେଷକରି ଅନୁବାଦ ସାହିତ୍ୟରେ ତାଙ୍କ ଅବାଦନ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରରେ ସମ୍ମାନିତ କରାଯାଇଛି। ସଂସ୍କୃତି ସାହିତ୍ୟର ବିକାଶ ଓ ପ୍ରଚାର ପାଇଁ ତାଙ୍କର ଅବିସ୍ମରଣୀୟ ଯୋଗଦାନ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲେଖାଯାଇଛି। ସେହିପରି ଜଣେ ରାଜନେତା ଭାବେ କେନ୍ଦ୍ରରେ ମନ୍ତ୍ରୀ, ରାଜ୍ୟର ୩ଥର ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ଭାବେ ଭାରତୀୟ ରାଜନୀତିକୁ ପ୍ରଭାବିତ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଶିଳ୍ପର ବିକାଶ, ଅନୁଗୁଳରେ ଜାତୀୟ ଆଲୁମିନିୟମ ଶିଳ୍ପ ପ୍ରତିଷ୍ଠା କରି ଶିଳ୍ପ ଜଗତରେ କ୍ରାନ୍ତି ଆଣିଥିଲେ। ତେଣୁ ରାଜଧାନୀର ଏକ ଜନଗହଳି ଛକରେ ତାଙ୍କ ପୂର୍ଣ୍ଣାବୟବ ମୂର୍ତି ସ୍ଥାପନ କରାଯାଉ ବୋଲି ଶ୍ରୀ ବେଉରା କହିଛନ୍ତି।