ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ପ୍ରଜ୍ଞାପୁରୁଷ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ଶ୍ରାଦ୍ଧସଭା ଆସନ୍ତା ଏପ୍ରିଲ ୨୧ରେ ପାଳନ ହେବ। ଆଜି ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସତ୍ୟନଗରସ୍ଥିତ ହୋଟେଲ ପାର୍କ ଏଭିନ୍ୟୁ ଠାରେ କମିଟିର ସଭାପତି ବିମଳେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।
ପୂର୍ବବର୍ଷ ମାନଙ୍କ ଭଳି ସମାଜରେ ଜୀବନବ୍ୟାପୀ ସାଧନା କରିଥିବା ସାହିତ୍ୟିକ, ସମାଜସେବୀ ଓ ସାମ୍ବାଦିକଙ୍କୁ ଚଳିତବର୍ଷ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୨୩ ପ୍ରଦାନ କରାଯିବ ବୋଲି ସାଧାରଣ ସମ୍ପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି। କମିଟିର କୋଷାଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ପରେ ଆମେରିକାରେ ଆୟୁର୍ବେଦ ଔଷଧକୁ ଦ୍ରୁତଗତିରେ ପ୍ରୟୋଗ କରୁଥିବା ଗବେଷକ ଡ. ଅଭୟ ପତିଙ୍କୁ ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ସମ୍ବର୍ଦ୍ଧିତ କରି ଏହା ଏକ ଅପୂର୍ବ ମିଳନ ବୋଲି କହିବା ସଙ୍ଗେ ସଙ୍ଗେ ଜାନକୀ ବାବୁଙ୍କ ଆୟୁର୍ବେଦ ପ୍ରୀତି ଓ ଏକାମ୍ର କାନନରେ ଔଷଧୀୟ ଚାରା ରୋପଣ କରିବାର ଉଦାହରଣ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ସୌରେନ୍ଦ୍ର ମହାପାତ୍ର, ପ୍ରଫେସର ବୁଦ୍ଧଦେବ ମିଶ୍ର, ସୀତାବଲ୍ଲଭ ମହାପାତ୍ର, ପୂର୍ବତନ ଆଇଜି ଅରୁଣ ଉପାଧ୍ୟାୟ, କଂଗ୍ରେସ ନେତା ବିଶ୍ୱଜିତ ଦାସ, ମନୋରଞ୍ଜନ ଦାସ, ଚିନ୍ମୟ ଦାସ, ଆଲୋକ ମହାନ୍ତି, ମଧୁସ୍ମିତା ଆଚାର୍ଯ୍ୟ, ପଦ୍ମାକର ଗୁରୁ, ମନୋଜ ଲେଙ୍କା, ଶାନ୍ତନୁ ସାହୁ, ସନତ ଦାସ, ମହମ୍ମଦ ଇମଦାଦ, ପୁଷ୍ପରାଜ ପ୍ରଧାନ, ରାମ ନାରାୟଣ ମିଶ୍ର, ଜ୍ଞାନ ରଞ୍ଜନ ମଲ୍ଲିକ, ଶ୍ରୀକାନ୍ତ ମିଶ୍ର, ନିବେଦିତା ଭଞ୍ଜ, ଦେବଜାନୀ ରାୟ, ରସିକଚାନ୍ଦ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏଥିସହିତ ପୂର୍ବ ପ୍ରଶାସକ ନରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ୫ଜଣିଆ ଚୟନ କମିଟି ଗଠନ କରାଯାଇଛି। ଭୁବନେଶ୍ୱର ବାର୍ ଆସୋସିଏସନର ପୂର୍ବତନ ଉପସଭାପତି ଶୀଳଭଦ୍ର ଶାସ୍ତ୍ରୀ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/m19-1.jpg)