ଭୁବନେଶ୍ୱର : ଅତୁଳନୀୟ ବ୍ୟକ୍ତିତ୍ବ ଥିଲେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ। ତାଙ୍କୁ ଆଉ କାହା ସହ ତୁଳନା କରାଯାଇପାରିବ ନାହିଁ। ୮୦ ଦଶକରେ ଓଡ଼ିଶା ଯେଉଁ ଆର୍ଥିକ ଦୁଃସ୍ଥିତି ଭିତରେ ଗତି କରୁଥିଲା, ସେତେବେଳେ ଜାନକୀ ବଲ୍ଲଭ ତା’ର ଦୃଢ଼ ମୁକାବିଲା କରିଥିଲେ। ଓଡ଼ିଆ ଯୁବକମାନଙ୍କୁ କର୍ମସଂସ୍ଥାନ ଦେବା ପାଇଁ ହଜାରେ ଦିନରେ ହଜାର କୋଟି ଟଙ୍କାରେ ହଜାର ଶିଳ୍ପର ଆହ୍ୱାନ ଦେଇଥିଲେ। ତାହା ହିଁ ଥିଲା ଓଡ଼ିଶାରେ ବିକାଶର ଭିତ୍ତିଭୂମି। ସେ ମାନବ ସେବାକୁ ମାଧବ ସେବା ବୋଲି ଭାବୁଥିଲେ। ତାଙ୍କ ଭଳି ଜଣେ ପ୍ରଜ୍ଞାପୁରୁଷଙ୍କୁ ଯେତେ କୃତଜ୍ଞତା ଜଣାଇଲେ ବି କମ୍ ପଡ଼ିବ। ଶୁକ୍ରବାର ଦିନ ବୁଦ୍ଧମନ୍ଦିର ସଭାଗୃହରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଭାଷାତତ୍ତ୍ୱବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ ଏହା କହିଛନ୍ତି।
‘ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି’ର ଅଧ୍ୟକ୍ଷ ବିମଳେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ଓ ସ୍ମୃତି ସମ୍ମାନ ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ହରେକୃଷ୍ଣ ଶତପଥୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ, ଜାନକୀ ବାବୁ ସଂସ୍କୃତ ଭାଷା ସାହିତ୍ୟର କେବଳ ପ୍ରଚଣ୍ଡ ବିଦ୍ୱାନ ନଥିଲେ। ସେ ସଂସ୍କୃତ ଓ ସଂସ୍କୃତିର ସଂରକ୍ଷକ ଥିଲେ। ସେ ରାଜନୀତି କ୍ଷେତ୍ରରେ ଥିଲେ ମଧ୍ୟ ପ୍ରକୃତରେ ସେ ଜଣେ ଗୃହୀ ସନ୍ଥ ଥିଲେ।
ବିଶିଷ୍ଟ ଅତିଥି ସାହିତ୍ୟିକ ଦାଶ ବେନହୁର କହିଲେ, ଜାନକୀ ବଲ୍ଲଭ ସାହିତ୍ୟ, ଦର୍ଶନ ଓ ରାଜନୀତିକୁ ଏକାଠି କରିଥିଲେ। ରାଜନୀତି କ୍ଷେତ୍ରରେ ତାଙ୍କର ସଂପୃକ୍ତି, ସହବଦ୍ଧତା ଓ ନିରବତା ତାଙ୍କୁ ମହାନ ଜନନେତା କରିଛି। ବିଶିଷ୍ଟ ଅତିଥି ଭାବେ ଝାଡଖଣ୍ଡ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ସଂଗଠକ ଦୀନେଶ ଷଡ଼ଙ୍ଗୀ କହିଲେ, ଜାନକୀ ବାବୁଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଜନନେତା। ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷକ। ନବକୃଷ୍ଣ ଚୌଧୁରୀଙ୍କ ପରେ ଜାନକୀ ବଲ୍ଲଭ ହିଁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ଥିଲେ। କିନ୍ତୁ ଏବେ ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ପ୍ରବାସୀ କହି ଓଡ଼ିଶା ଠାରୁ ଦୂରେଇ ଦିଆଯାଉଛି। ଯାହା ଜାନକୀ ବାବୁ ଥିଲେ ସମ୍ଭବ ହୋଇନଥାନ୍ତା ବୋଲି କ୍ଷୋଭ ପ୍ରକାଶ କରିଥିଲେ।
ଏହି ଅବସରରେ ସମାଜସେବା ପାଇଁ ଦିନେଶ ଷଡ଼ଙ୍ଗୀ, ସାହିତ୍ୟ ପାଇଁ ପର୍ଶୁରାମ ଦ୍ୱିବେଦୀ ଓ ସାମ୍ବାଦିକତା ପାଇଁ ଦେବପ୍ରସାଦ ମିଶ୍ର ଓ ଇଂ ଗୋପୀନାଥ ପଟ୍ଟନାୟକଙ୍କୁ ‘ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିଲା। ସାଧାରଣ ସମ୍ପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ, କୋଷାଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ ଅତିଥି ପରିଚୟ ଓ ପ୍ରଫେସର୍ ବୁଦ୍ଧଦେବ ମିଶ୍ର ଧନ୍ୟବାଦ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୁଳପତି ନରେନ୍ଦ୍ର ମିଶ୍ର, ସୁରେଶ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇ ବକ୍ତବ୍ୟ ରଖିଥିଲେ। ସାମାଜିକ ଅନୁଷ୍ଠାନ ହେଲ୍ପମେଟ୍ ପକ୍ଷରୁ ଜନନାୟକ ଜାନକୀ ବଲ୍ଲଭ କୁଇଜ୍, ବକ୍ତୃତା ଓ ଚିତ୍ରାଙ୍କନର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ନିବେଦିତା ଭଞ୍ଜ, ବିୟତ୍ପ୍ରଜ୍ଞା ତ୍ରିପାଠୀ, ସୀତା ବଲ୍ଲଭ ମହାପାତ୍ର, ସୁଦର୍ଶନ ଛୋଟରାୟ ଓ ବାସ୍ତୁବିତ ମନୋଜ ଲେଙ୍କା ପରିଚାଳନା କରିଥିଲେ।