ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ, ଜନ୍ମ ନେଲେ ଶ୍ରୀକୃଷ୍ଣ

ନାଭିକଟା ନୀତି ସଂପନ୍ନ, ଆଜି ନନ୍ଦୋତ୍ସବ

ପୁରୀ: ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ତଥା ଜନ୍ମାଷ୍ଟମୀ ନୀତି ଆଜି ବିଳମ୍ୱିତ ରାତିରେ ସଂପନ୍ନ ହୋଇଛି। ଏଥି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ତଥା ପୂଜାର୍ଚ୍ଚନାର ବିଧି ପାଳନ ହୋଇଛି। ସକାଳେ ଦ୍ୱାରଫିଟା, ମଙ୍ଗଳ ଆଳତି, ଅବକାଶ, ବଲ୍ଲଭ, ସକାଳଧୂପ, ପ୍ରଥମ ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ, ଦ୍ୱିତୀୟ ଭୋଗମଣ୍ଡପ, ସନ୍ଧ୍ୟା ଆଳତି ପରେ ସନ୍ଧ୍ୟାଧୂପ ନୀତି ହୋଇଥିଲା। ମହାପ୍ରଭୁଙ୍କୁ ସଂଧ୍ୟାଧୂପ ବେଶରେ ଅଳଙ୍କାର ଲାଗି ପରେ ଶ୍ରୀକୃଷ୍ଣ ଜନ୍ମ ନୀତି ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଜନ୍ମାଷ୍ଟମୀରେ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗେ। ଚଳିତ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ଏହି ନୀତି ସଂପନ୍ନ ହୋଇଛି।

ବିଧି ମୁତାବକ, ଶୁଦ୍ଧସୁଆର ସେବକ ଭଣ୍ଡାର ଘର ଦ୍ୱାର ଆଗରେ ପୋଛା ମାରିବା ପରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତ୍ର ଭଦ୍ରମଣ୍ଡଳ ଆଙ୍କିଥିଲେ। ପୋଖରିଆ ଭିତରେ ପାଣିପଡ଼ି ଧୋପଖାଳ ହୋଇଥିଲା। ଭଦ୍ରମଣ୍ଡଳ ପାଖରେ ପୂଜା ଠା’ ବସିଥିଲା। କୃଷ୍ଣଜନ୍ମ ପଟିକୁ ପୂଜାପଣ୍ଡା ପଦ୍ମ ପାଖୁଡ଼ା ମଣ୍ଡଳ ଉପରେ ରଖିଥିଲେ। ପଦ୍ମପାଖୁଡାର ନ ମୂର୍ତ୍ତି ଯଥା, ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗ ଋଷି, କୃଷ୍ଣଙ୍କ ମୂର୍ତ୍ତି ଅଙ୍କା ଯାଇଥିଲା। ସୁବର୍ଣ୍ଣର ମୂର୍ତ୍ତିକୁ ମଣ୍ଡଳ ଉପରେ ବିଜେ କରାଯିବା ସହ ଚକଡ଼ା ଛାମୁରେ ୯ଟି ପନ୍ତିଭୋଗ ବଢ଼ା ଯାଇଥିଲା। ଫୁଲମାଳ ଓ ଚନ୍ଦନ ଲାଗି ହେବା ପରେ ଦକ୍ଷିଣୀ ଘରୁ ମଦନମୋହନ ସିଂହାସନ ଉପରକୁ ବିଜେ କରିଥିଲେ। ମହାପ୍ରଭୁଙ୍କ ବାଡ଼ରୁ ମୁଦିରସ୍ତ ସେବକ ମଦନମୋହନଙ୍କୁ ଧଣ୍ଡିପ୍ରସାଦ ଆଜ୍ଞାମାଳ ଦେବା ପରେ ମହାଜନ ମଦନମୋହନଙ୍କୁ ହାତରେ ଧରି ଜନ୍ମ ଚକଡ଼ାରେ ବିଜେ କରାଇଥିଲେ। ପୂଜାପଣ୍ଡା ଗର୍ଭଉଦକ କର୍ମ ସାରି ଶୀତଳ ଭୋଗକୁ ଷୋଡ଼ଶ ଉପଚାରରେ ମଣୋହି କରିଥିଲେ। ବସୁଦେବ ଓ ଦେବକୀ ବେଶରେ ଦୁଇଜଣ ମହାଜନ ସେବକ ଶ୍ରୀକୃଷ୍ଣ ଜନ୍ମ ନୀତି ସଂପନ୍ନ କରିଥିଲେ।

ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପାଳିଆ ମହାସୁଆର ଦୁଧ ଓ ଲହୁଣୀ ସହ ବିଧି ମୁତାବକ ଅନ୍ୟାନ୍ୟ ମସଲା ଦେଇଥିଲେ। ପୂଜାପଣ୍ଡା ଏହାକୁ ସମର୍ପଣ କରି ମଣୋହି କରିଥିଲେ। ପରେ ମହାଜନ ସେବକ ରୁପା ଥାଳିରେ ଶ୍ରୀକୃଷ୍ଣଙ୍କୁ ଦେବକୀ ଓ ବସୁଦେବଙ୍କ ସହ ଜଗମୋହନ ଦେଇ ସରସ୍ୱତୀ ମନ୍ଦିର ନିକଟ ଯମୁନା ନଦୀ ତଟକୁ ନିରାଡମ୍ୱରରେ ବିଜେ କରାଇଥିଲେ। ପୂଜାପଣ୍ଡା ସେବକ ଉଗ୍ରସେନ ବେଶରେ ଭେଟ ହୋଇ ଯମୁନା ନଦୀ କୂଳରେ ଦଣ୍ଡ ପ୍ରଣାମ କରିଥିଲେ। ଏହି ସମୟରେ ବେହେରା ଖୁଣ୍ଟିଆ ଠାକୁରଙ୍କ ଉପରେ ସପ୍ତଫେଣୀ ବାସୁକୀକୁ ଧରି ଚାଲିଥିଲେ। ଉଗ୍ରସେନଙ୍କ ଦଣ୍ଡ ପ୍ରମାଣ ପରେ ମୁଦିରସ୍ତ ପ୍ରସାଦ ଲାଗି ଓ ବନ୍ଦାପନା ବଢ଼ାଇଥିଲେ। ଜନ୍ମ ଠାକୁର ଘଣ୍ଟଛତା, କାହାଳି ସହ ନାଭିକଟା ମଣ୍ଡପସ୍ଥିତ ଖଟଶେଯ ଉପରକୁ ବିଜେ କରିଥିଲେ। ଦକ୍ଷିଣୀ ଘରରୁ ରାମକୃଷ୍ଣ ଏହି ଖଟଶେଯରେ ଅଧିଷ୍ଠିତ ହୋଇଥିଲେ। ପୂଜାପଣ୍ଡା ସେବକ ଏଠାରେ ନାଭିକଟା ନୀତି ସଂପନ୍ନ କରିଥିଲେ। ନାଭି ଛେଦନ ପରେ ପଞ୍ଚାମୃତରେ ଠାକୁରଙ୍କ ସ୍ନାନ ନୀତି ସଂପନ୍ନ ହୋଇଥିଲା। ପଞ୍ଚୋପଚାରରେ ଶୀତଳ ଭୋଗ ମଣୋହି, ବନ୍ଦାପନା ବଢ଼ିଥିଲା। ପରେ ବାଳକୃଷ୍ଣଙ୍କୁ ମହାଜନ ସେବକ ହାତରେ ନେଇ ଜଗମୋହନସ୍ଥିତ ଦୋଳିରେ ରାମକୃଷ୍ଣଙ୍କ ସହ ବିଜେ କରାଇଥିଲେ। ଏଠାରେ ଶୀତଳ ଭୋଗ ଆକାରରେ ରାସି କୋରା ଓ ଲଡୁକୁ ମୁଦିରସ୍ତ ଲାଗି କରାଇଥିଲେ। ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରି ମଣୋହି କରିଥିଲେ। ବନ୍ଦାପନା ପରେ ପୋଖରିଆରେ ପାଣି ପଡି ବଡସିଂହାର ଭୋଗ ପାଇଁ ରୋଷକୁ ଡାକରା ଯାଇଥିଲା। ରୋଷରୁ ଛେକ ଆସିବା ପରେ ଦୋଳିରୁ ରାମକୃଷ୍ଣ ସିଂହାସନକୁ ଫେରିଥିଲେ ଓ ମଦନମୋହନ ଦକ୍ଷିଣୀ ଘରକୁ ବାହୁଡା ବିଜେ କରିଥିଲେ। ଏହା ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢ଼ିଥିଲା। ଆସନ୍ତାକାଲି ନନ୍ଦ ଉତ୍ସବ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର