ଜାପାନି କନିଆଙ୍କୁ ଓଡ଼ିଆ ବର, ଭୁବନେଶ୍ବରରେ ହେଲା ବାହାଘର

ରାମଚନ୍ଦ୍ରପୁର: ଜାପାନୀ ଝିଅ ସାଚୀଙ୍କୁ ଜୀବନସାଥୀ କରିଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଅଳତି ଗ୍ରାମର ଶରତ କୁମାର ବରାଳ ଏବଂ ରଞ୍ଜୁରାଣୀ ବରାଳଙ୍କ ଏକମାତ୍ର ପୁଅ ସିଦ୍ଧାନ୍ତ (୩୦)। ଭୁବନେଶ୍ବରର ଏକ ମଣ୍ଡପରେ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିବାହ ଉତ୍ସବରେ ଉଭୟଙ୍କ ହାତଗଣ୍ଠି ପଡ଼ିଛି। ବାହାଘର ପରେ ନବଦମ୍ପତି ‌ପୈତୃକ ଗ୍ରାମ ଅଳତିକୁ ଫେରିଛନ୍ତି।

ସିଦ୍ଧାନ୍ତ ଉଚ୍ଚଶିକ୍ଷା ପାଇଁ ୨୦୧୫ ମସିହାରେ ଜାପାନ ଯାଇଥିଲେ। ସେଠାରେ ଗ୍ଲୋବିସ ବିଶ୍ବବିଦ୍ୟାଳୟରେ ଏମ୍‌ବିଏ କରିବା ସମୟରେ ସହପାଠିନୀ ଜାପାନ ଓସାକାର ସାଚୀଙ୍କ ସହ ତାଙ୍କ ପ୍ରେମସମ୍ପର୍କ ଗଠି ଉଠିଥିଲା। ପରେ ସିଦ୍ଧାନ୍ତ ହଂକଂର ଏକ ଘରୋଇ କମ୍ପାନିରେ ଚାକିରି ଜୀବନ ଆରମ୍ଭ କରିଥିଲେ। ସାଚୀ ମଧ୍ୟ ଜାପାନର ଓସା‌କା ସହରରେ ଚାକିରି କରୁଛନ୍ତି। ଉଭୟ ପରସ୍ପରଠାରୁ ଦୂରରେ ରହିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କ ନିବିଡ଼ ଥିଲା। ଶେଷରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ନିଷ୍ପତ୍ତି ନେଇଥିଲେ।

ଏ ସମ୍ପର୍କରେ ସିଦ୍ଧାନ୍ତ ବାପାମା’ଙ୍କୁ ଜଣାଇବା ପରେ ପୁଅର ନିଷ୍ପତ୍ତିକୁ ସେମାନେ ଉଚିତ ମନେ କରିଥିଲେ। ଗୁରୁଜନଙ୍କ ଅନୁମତି ପରେ ଉଭୟ ଓଡ଼ିଶା ଆସିଥିଲେ। ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରିଠାରେ ଏକ ମଣ୍ଡପରେ ଧୁମଧାମରେ ଉଭୟଙ୍କ ବିବାହ ଗତକାଲି ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ଆଜି ପରିବାର ସହ ନବଦମ୍ପତି ନିଜ ପୈତୃକ ଗାଁ ଅଳତିକୁ ଫେରିଛନ୍ତି। ସାଚୀ ଜଣେ ବିଦେଶିନୀ ହୋଇ ମଧ୍ୟ ଭାରତୀୟ ସଂସ୍କୃତିକୁ ଆପଣାଇଛନ୍ତି। ସେ ଓଡ଼ିଆ କହିପାରୁ ନଥିଲେ ମଧ୍ୟ ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ସମ୍ପର୍କରେ ଅବଗତ ଅଛନ୍ତି। ସେ ଏସବୁକୁ ସମ୍ମାନ ଦିଅନ୍ତି ବୋଲି କହିଛନ୍ତି। ବିଦେଶିନୀ ହେଲେ ମଧ୍ୟ ଖାଣ୍ଟି ଓଡ଼ିଆ ଘରର ବୋହୂ ହେବା ପାଇଁ ଉଦ୍ୟମ କରିବେ ବୋଲି ସାଚୀ କହିଛନ୍ତି।

ସମ୍ବନ୍ଧିତ ଖବର