ଘରୋଇ ହସ୍ପିଟାଲରେ ଦୁଇ ଆକ୍ରାନ୍ତଙ୍କ ଚିକିତ୍ସା
ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଖୋଳତାଡ଼
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ବର୍ଷକ ପରେ ପୁଣି ଓଡ଼ିଶାକୁ ଫେରିଛି ଜାପାନିଜ୍ ଏନ୍ସାଫାଇଲିିଟିସ୍ ବା ଜାପାନୀ ଜର(ଜେଇ)। ଗତ ଦୁଇ ସପ୍ତାହ ମଧ୍ୟରେ ୩ ଜଣ ଶିଶୁ ଏହି ଜରରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଥିବା ବେଳେ ଖୋର୍ଧା ଜିଲ୍ଲା ଭୁଷଣ୍ଡପୁର ଅଞ୍ଚଳର ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକର ନାଁ ହେଉଛି ଶୁଭଲକ୍ଷ୍ମୀ ବେହେରା (୯)। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ଡିସେମ୍ବର ୨୨ ତାରିଖରୁ ଶିଶୁଟିର ମୃତ୍ୟୁ ଘଟିଥିଲେ ମଧ୍ୟ ସରକାରୀ ଭାବେ ଏହାକୁ ଗୋପନ ରଖାଯାଇଛି।
ଅପରପକ୍ଷରେ ଖୋର୍ଧା ଜିଲ୍ଲାର ଚନ୍ଦକା ଅଞ୍ଚଳର ଜଣେ ୫ ବର୍ଷର ଶିଶୁ ଏବଂ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ଜଣେ ଶିଶୁ ଏହି ଜରରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଜଣଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିବା ବେଳେ ଅନ୍ୟ ଜଣକୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଉଭୟଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାପାନୀ ଜର ନିୟନ୍ତ୍ରଣ ପାଇଁ ଟିକାକରଣ କରାଯାଇଥିବା ସତ୍ତ୍ୱେ ଏଥିରେ ୩ଜଣ ଆକ୍ରାନ୍ତ ହେବାକୁ ନେଇ ହଇଚଇ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଜର ବ୍ୟାପିଲା ତାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ ଘର ପାଖ ଅଞ୍ଚଳରେ ଅନ୍ୟ କେହି ଏଥିରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହାର ଯାଞ୍ଚ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକ ଶୁଭଲକ୍ଷ୍ମୀ ବେହେରାଙ୍କୁ ୨ ସପ୍ତାହ ପୂର୍ବରୁ ଜାପାନୀ ଜର ଟିକା ଦିଆଯାଇଥିଲା। ଏହା ସତ୍ତ୍ୱେ ତାଙ୍କ ଦେହ ଖରାପ ହୋଇଥିଲା। ଗତବର୍ଷ ଡିସେମ୍ବର ମାସ ୨୧ତାରିଖରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ମାତ୍ର ୨୨ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି ଚନ୍ଦକା ଅଞ୍ଚଳର ଶିଶୁକନ୍ୟାଟି ଗତବର୍ଷ ଡିସେମ୍ବର ମାସ ୮ତାରିଖରେ ଜେଇ ଟିକା ନେଇଥିଲେ। ତାଙ୍କୁ ଜେଇ ସନ୍ଦେହରେ ଗତମାସ ୧୯ତାରିଖରେ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ଚଳିତମାସ ୩ତାରିଖରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିବା ଜଣାପଡ଼ିଛି। ତେବେ ଭୋଗରାଇ ଅଞ୍ଚଳର ନାବାଳିକା ଜଣଙ୍କୁ ଜେଇ ସନ୍ଦେହରେ ଏବେବି ଚିକିତ୍ସା କରାଯାଉଛି। ଯଦିଓ ତାଙ୍କର ଏ ପର୍ଯ୍ୟନ୍ତ ପରୀକ୍ଷା ରିପୋର୍ଟ ଆସିନାହିଁ। ଏ ସଂକ୍ରାନ୍ତୀୟ ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ମାଲକାନାଗିରିରେ ଜାପାନିଜ୍ ଏନସେଫାଲାଇଟିସ୍ ବ୍ୟାପିବା ସହ ଏହା ଘାତକ ରୂପ ନେଇଥିଲା। ସରକାରୀ ଭାବେ ଜେଇରେ ଆକ୍ରାନ୍ତ ହୋଇ ୧୦୩ ଜଣ ଶିଶୁ ପ୍ରାଣ ହରାଇଥିବାବେଳେ ଶହ ଶହ ଆକ୍ରାନ୍ତ ହୋଇଥିଲେ। ଏହି ଘଟଣା ସେତେବେଳେ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ପରେ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଜେଇକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସହ ପରବର୍ତୀ ସମୟରେ ଟିକାକରଣ କରାଯାଇଥିଲା। ପରେ ପରେ ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଏକାସାଙ୍ଗରେ ଜେଇର ଟିକାକରଣ କରାଯାଇଥିଲା। ତେବେ ଗତବର୍ଷ ରାଜ୍ୟରେ ଗୋଟିଏ ହେଲେ ଜେଇ ଘଟଣା ନଜରକୁ ଆସି ନ ଥିଲା।
ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପରବର୍ତୀ ସମୟରେ ରାଜ୍ୟର ୧୩ଟି ଜିଲ୍ଲାରେ ଜେଇ ଟିକାକରଣ ହୋଇଥିଲା। ଚଳିତବର୍ଷ ଡିସେମ୍ବର ମାସ ୩୦ତାରିଖ ସୁଦ୍ଧା ପ୍ରାୟ ୫୨ଲକ୍ଷ ୪୧ହଜାର ୮୩୨ଜଣଙ୍କୁ ଜେଇ ଟିକା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଅନେକ ଜିଲ୍ଲାରୁ ଶେଷ ରିପୋର୍ଟ ଆସି ନ ଥିବାରୁ ଏହି ସଂଖ୍ୟାରେ ପରିବର୍ତନ ହୋଇପାରେ। ଜେଇ ଟିକାର ପ୍ରତିଷେଧକ ଶକ୍ତି ଜୀବନବ୍ୟାପୀ ହୋଇଥାଏ। ଅନେକ ସମୟରେ ଜେଇ ଟିକା ନେଇଥିବା ଶିଶୁଙ୍କ ଦେହରେ ପ୍ରତିଷେଧକ ଶକ୍ତି ହଠାତ୍ ବିକଶିତ ହୋଇ ନ ଥାଏ। ଯାହାଫଳରେ ସେମାନେ ମଧ୍ୟରେ ଜେଇରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେବେ କେଉଁ ପରିସ୍ଥିତିରେ ୩ଜଣ ଆକ୍ରାନ୍ତ ହେଲେ ତାହାର ତଦନ୍ତ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।