ବଲାଙ୍ଗୀର ବ୍ଲକ୍‌ ଶିକ୍ଷା କାର୍ଯ୍ୟାଳୟରେ ଦୁର୍ନୀତି, ଛୁଟି ବାହାନାରେ ମାଷ୍ଟରମାଇଣ୍ଡ କିରାଣି ଫେରାର୍‌

ବଲାଙ୍ଗୀର: ଶିକ୍ଷା ବିଭାଗର ମହାକେଳେଙ୍କାରୀର ଲଗାତାର ତଥ୍ୟଭିତ୍ତିକ ଖବର ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ଶିକ୍ଷା ବିଭାଗର ଚେତା ପଶିଛି। ଘଟଣା ଲୋକଲୋଚନକୁ ଆସିବା ପରେ ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ଶିକ୍ଷାଧିକାରୀ ଘଟଣାର ଯୁଗ୍ମ ତଦନ୍ତ ନିର୍ଦ୍ଦେଶ ଦେବା ସହ ବିଇଓଙ୍କୁ କାର୍ଯ୍ୟାଳୟକୁ ଡାକି ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷେ, ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସମ୍ପୃକ୍ତ କିରାଣି ଛୁଟି ବାହାନାରେ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବଲାଙ୍ଗୀର ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣି ପ୍ରମୋଦ ରଥ ଜାନୁଆରି ପହିଲାରୁ ଛୁଟିରେ ରହିଛନ୍ତି। ଭିଜିଲାନ୍ସ ତଦନ୍ତ ପରେ ସେ ଛୁଟିରେ ଚାଲିଯାଇଥିବା ଜଣାପଡ଼ିଛି। ଏପଟେ ବ୍ଲକ୍‌ ଶିକ୍ଷାଧିକାରୀ ରିଚପାଲ ସାଗର ଥିଲେ ବି ଲୁଚି ବୁଲୁଛନ୍ତି। ଗଣମାଧ୍ୟମ ହାବୁଡ଼ରେ ପଡ଼ିଲା ବେଳକୁ ଏବେ ତାଙ୍କ ସଫେଇ ଦିନକୁ ଦିନ ବଦଳୁଛି। କେତେବେଳେ ଫାଇଲପତ୍ର ଦେଖିଲା ପରେ କହିପାରିବେ କହୁଥିବାବେଳେ ଆଉ କେତେବେଳେ ଫାଇଲପତ୍ରରେ ଦସ୍ତଖତ ସେ କରିଛନ୍ତି ନା ନାହିଁ ତାହା ବି ଜାଣି ନାହାନ୍ତି ବୋଲି କହୁଛନ୍ତି। ଘଟଣାର ସବିଶେଷ ଜାଣିବାକୁ ଡିଇଓ ତଦନ୍ତ ନିର୍ଦ୍ଦେଶ ଦେବା ସହ ବିଇଓ ରିଚପାଲ ସାଗରଙ୍କୁ କାର୍ଯ୍ୟାଳୟକୁ ଡାକି ପଚରାଉଚରା କରିଛନ୍ତି। ଏପଟେ କେଳେଙ୍କାରୀର ଚେର ବହୁ ଦୂରକୁ ଲମ୍ବିଥିବା ଜଣାପଡ଼ିଛି। କେଳେଙ୍କାରୀର କିଛି ଦସ୍ତାବିଜ୍ ‘ସମ୍ବାଦ’ ହାତରେ ଲାଗିଛି। କନିଷ୍ଠ ଯନ୍ତ୍ରୀ ପ୍ରମୋଦ ରଥ ନିଜ ବାପା କେଶବ ରଥଙ୍କ ନାଁରେ ନକଲି କାଗଜପତ୍ର କରି ଲକ୍ଷଲକ୍ଷ ଟଙ୍କା ଉଠାଇଥିବା ବେଳେ ନକଲି କାଗଜପତ୍ରରେ ପେନ୍‌ସନ୍‌ ପାଉଣା ଟଙ୍କା ବି ବଢ଼ାଇଥିଲେ। ପେନ୍‌ସନ୍‌ଧାରୀଙ୍କ ଭିତରେ କେଶବ ରଥଙ୍କ ଜିପିଏଫ୍‌ ଆକାଉଣ୍ଟ ନମ୍ବର ୦୦୬୮୧୩୧ ପିଏସ୍‌ ରହିଛି। ପିଏଫ୍‌ ବାବଦକୁ ୩୧ହଜାର ୩୫୪ ଟଙ୍କା, ଟିଆଇ ବାବଦକୁ ୨ହଜାର ୧୯୫ ଟଙ୍କା ଏଭଳି ମୋଟ ୩୩ହଜାର ୫୪୯ଟଙ୍କା ପେନ୍‌ସନ୍‌ ବାବଦକୁ ତାଙ୍କର ଏସ୍‌ବିଆଇ ଆକାଉଣ୍ଟ ନମ୍ବର ୧୧୩୪୧୮୫୫୪୯୨ରେ ଗତ ୨୦୧୩ ମସିହାରୁ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ସରକାରୀ ତହବିଲରୁ ଆସିଛି। ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେବଳ କେଶବ ଚନ୍ଦ୍ର ରଥ ନୁହନ୍ତି, ଆଉ ଅନେକଙ୍କ ନାଁରେ ନକଲି କାଗଜପତ୍ର ଜରିଆରେ ଟଙ୍କା ଲୁଟ୍‌ ହୋଇଛି। ନକଲି କାଗଜପତ୍ର ଟ୍ରେଜେରିକୁ ପଠାଇ କୋଟିକୋଟି ଟଙ୍କାର ହରିଲୁଟ ହୋଇଛି। ଡିଇଓ ଧ୍ରୁବଚରଣ ବେହେରା କହିଛନ୍ତି, ତଦନ୍ତ କରାଯାଇ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ। ସେ ଯୋଗଦେବା ପରେ ଏହି ସଂକ୍ରାନ୍ତରେ ବିଇଓଙ୍କୁ ପ୍ରାଥମିକ ପଚରାଉଚରା କରିସାରିଥିବା କହିଛନ୍ତି। ତେବେ ଆଗକୁ ଶିକ୍ଷା ବିଭାଗ ଓ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନକୁ ସମସ୍ତେ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର