ବାଲିଅନ୍ତା: ସ୍ଥାନୀୟ ଯଶୁଆପୁର ଗ୍ରାମରେ ପଞ୍ଚମ ଯଶୁଆପୁର ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟସଭା ସାଂସଦ ଅମର ପ୍ରସାଦ ପଟ୍ଟନାୟକ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ନାଲକୋ ପରିଚାଳକ ଆଶୁତୋଷ ରଥ, ପୂର୍ବତନ ଆୟକର କମିସନର ଶରତ ଦାଶ, ମହୋତ୍ସବ କମିଟି ଉପଦେଷ୍ଟା ଅଚ୍ୟୁତାନନ୍ଦ ପାତ୍ର, ଉମାଦେଇ ବ୍ରହ୍ମପୁର ସରପଞ୍ଚ ମିଲିଲତା ନାୟକ ଓ ବରିଷ୍ଠ ନେତା ଦିଲ୍ଲୀପ ମାର୍ଥା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

Advertisment

ପ୍ରାରମ୍ଭରେ ଢେଙ୍କାନାଳର ଦେବାଂଶୀ ଡ୍ୟାନ୍ସ ଏକାଡେମିର ଗୁରୁ ଗୌରୀଶଙ୍କର ଦାଶ ଓ ସା‌ଥୀ ଶିଳ୍ପୀମାନଙ୍କ ଦ୍ବାରା ଦଳଗତ ଓଡ଼ିଶୀ ନୃତ୍ୟରେ ପରିବେଷିତ ବିଷ୍ଣୁ ବନ୍ଦନା ଦର୍ଶକମାନଙ୍କୁ ଭକ୍ତି ଭାବନାରେ ବାନ୍ଧି ରଖିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଶିଳ୍ପୀମା‌ନେ ଦଳଗତ ଓଡ଼ିଶୀ ନୃତ୍ୟରେ ଓଡ଼ିଶାର କଳା, ସଂସ୍କୃତି ଆଉ ପରମ୍ପରା ଆଧାରିତ ନୃତ୍ୟ ଦର୍ଶକମାନଙ୍କ ମନ ପ୍ରାଣରେ ଜାତି ପ୍ରୀତି ଜାଗ୍ରତ କରିଥିଲା। ପରେ ସୋନପୁର ଅଞ୍ଚଳର ରୁମୁକୁଝୁମାନା ଅନୁଷ୍ଠାନର ଗୁରୁ ଶାଶ୍ବତ ତ୍ରିପାଠୀ ସମ୍ବଲପୁରୀ ନୃତ୍ୟରେ ଡାଲଖାଇ, ରସରକେଲି ପରିବେଷଣ କରିଥିଲେ। ଶେଷରେ ଯଶୁଆପୁର ବିକାଶ ପରିଷଦ ପ୍ରସ୍ତୁତ ବିଭିନ୍ନ ଲୋକନୃତ୍ୟ ପରିବେଷଣ ହୋଇଥିଲା। ବିକାଶ ପରିଷଦର ପ୍ରତିଷ୍ଠାତା ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେ‌ଷଙ୍କୁ ଅତିଥିମାନେ ସମ୍ବର୍ଧିତ କରିଥିଲେ। ।