ଜଟଣୀ: ଜଟଣୀ ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ। ଏଠାରେ ସିଜିନ୍ ଅନୁସାରେ ବିଭିନ୍ନ ଜିନିଷ ହୋଲସେଲ୍ ଦରରେ ତଥା ବଜାର ଅପେକ୍ଷା କମ୍ ଦାମରେ ମିଳିଥାଏ। ଗମନା ଗମନ ସୁବିଧା ଥିବାରୁ ଦୋକାନୀ ଓ ଗ୍ରାହକମାନେ କିଣିବାକୁ ଏଠାକୁ ଛୁଟି ଆସିଥାନ୍ତି। ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ତେଣୁ ବାଣ ପାଇଁ ଜଟଣୀକୁ ହବ୍ କୁହାଯାଉଥିବା ବେଳେ ଗଣେଶ ପୂଜା ପରଠାରୁ ବାଣ ବିକ୍ରି ଆରମ୍ଭ ହୋଇଯାଇଛି। ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଭୁବନେଶ୍ୱର, କଟକ ଭଳି ଅନେକ ଜିଲ୍ଲାରୁ ବ୍ୟବସାୟୀ ଏଠାରୁ ବାଣ କିଣି ଖୁଚୁରା ବେପାର କରନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ବାଣ ସହିତ ତାମିଲନାଡୁର ଶିବକାଶୀରୁ ବିପୁଳ ବାଣ ଏଠାକୁ ଆମଦାନୀ ହୋଇଥାଏ। ବର୍ଷସାରା ବିବାହ, ବ୍ରତ ଓ ଯାନିଯାତ୍ରା ପାଇଁ ଲୋକେ ଏଠାରୁ ବାଣ କିଣନ୍ତି। ତେବେ ପାର୍ବଣ ସମୟରେ ବେପାର ଭଲ ହୁଏ। ବ୍ୟବସାୟୀମାନେ ମଧ୍ୟ ସରକାରଙ୍କୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଟିକସ ଦିଅନ୍ତି। ଚଳିତବର୍ଷ ମଧ୍ୟ ଜଟଣୀରେ ବାଣ ବ୍ୟବସାୟ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ପୁଲିସ ନିକଟରେ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ଏଥିସହ ଅସ୍ଥାୟୀ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଜଟଣୀ ଷଣ୍ଢପୁରରେ ଜାଗା ଚିହ୍ନଟ କରାଯାଇଛି। ସରକାରୀ ଗାଇଡଲାଇନ୍ ଅନୁସାରେ ବାଣ ବ୍ୟବସାୟ କରିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଚଳିତବର୍ଷ ଶିବକାଶୀରୁ ଅର୍ଡର ତୁଳନାରେ କମ୍ ବାଣ ଆସିଥିବା ଜଣାପଡ଼ିଛି।
ଲୋକଙ୍କ ଚାହିଦାକୁ ନଜରରେ ରଖି ଏଠାକାର ହୋଲସେଲ୍ ବ୍ୟବସାୟୀମାନେ ତାମିଲନାଡୁର ଶିବକାଶୀରୁ କୋଟି କୋଟି ଟଙ୍କାର ବାଣ ଆଣିଥାନ୍ତି। ପ୍ରଦୂଷଣ ଜନିତ କଟକଣା ପାଇଁ ଦେଶୀବାଣ ବିକ୍ରି ଉପରେ ରୋକ୍ ଲାଗିଥିବା ବେଳେ ବିଶେଷକରି ସବୁଜ ବାଣ ବିକ୍ରିକୁ ଅନୁମତି ଦିଆଯାଇଛି। ତେଣୁ ଚଳିତବର୍ଷ ଅଧିକ ସବୁଜ ବାଣ ବିକ୍ରି ହେବା ନେଇ ବ୍ୟବସାୟୀ ଆଶଙ୍କା ରଖିଛନ୍ତି। ଅନ୍ୟପଟେ ଦୀପାବଳି ପାଇଁ ଜଟଣୀରେ ଖୁଚୁରା ବ୍ୟବସାୟୀଙ୍କୁ ବେପାର କରିବାକୁ ୪ଦିନ ସମୟ ଦିଆଯିବାକୁ ଥିବାବେଳେ ହୋଲସେଲ୍ ବ୍ୟବସାୟୀଙ୍କୁ ୧୫ଦିନ ସମୟ ଦିଆଯିବ। ଏହାରି ମଧ୍ୟରେ ବ୍ୟବସାୟୀମାନେ ଯେଉଁ ସ୍ଥାନରେ ବ୍ୟବସାୟ କରିବାକୁ ଅନୁମତି ନେଇଥିବେ, କେବଳ ସହି ସ୍ଥାନରେ ଦୋକାନ କରିବେ। ଚଳିତବର୍ଷ ବଜାରକୁ ନୂଆକରି ଡ୍ରୋନ୍, ହେଲିକପ୍ଟର ଓ ମିସାଇଲ ବାଣ ଆସିଛି। ସେଗୁଡ଼ିକର ଦାମ୍ ୨୫୦ ରୁ ୩୦୦ ଟଙ୍କା ରହିଛି। ସେହିପରି ଆଇଟମ ଚକ୍ର(ବିଭିନ୍ନ ରଙ୍ଗ), ଫୁଲଝରି, ଆକାଶ ଛତା (ବିଭିନ୍ନ ରଙ୍ଗ), ବନ୍ଧୁକ, ରୋଲ କ୍ୟାପ, କଲର କୁମ୍ପି (ବିଭିନ୍ନ ରଙ୍ଗ), ଡିଲକ୍ସ କ୍ରାକର୍, ଲାୟନ କିଙ୍ଗ, ଡ୍ରୋନ୍ ଜମ୍ପର, ରସୁଣ ବାଣ, ମ୍ୟୁଜିକାଲ୍ ରୋଲ୍, ବଟର ଫ୍ଲାଏ, ଚକଲେଟ୍ ବମ୍, ବକ୍ସ ବମ୍, ହାବେଳି, ସ୍କାଏ ସଟ୍, ଫଟୋ ଫ୍ଳାସ୍, ଗଙ୍ଗା ଯମୁନା ବମ୍, ଲଙ୍କା ବମ୍, ରକେଟ୍ ଭଳି ଫ୍ୟାନ୍ସି ବାଣ ସହ ହାତ ତିଆରି ବାଣ ମଧ୍ୟ ମିଳୁଛି। ବିଗତବର୍ଷ ଅପେକ୍ଷା ଚଳିତ ବର୍ଷ ବାଣ ଦର ଟିକେ କମ ରହିଥିବା ଜଣାପଡ଼ିଛି। ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଭଲ ବେପାର ହେବା ନେଇ ବ୍ୟବସାୟୀମାନେ ଆଶା ରଖିଛନ୍ତି।
ତେବେ ପାଇକାରୀ ସଂଘର ସଭାପତି ତ୍ରିଲୋଚନ ପଟ୍ଟନାୟକ କହିଲେ, ‘‘ଚଳିତବର୍ଷ ଜଟଣୀକୁ କମ୍ ବାଣ ଆସିଛି।
ଶିବକାଶୀରୁ ଯେଉଁ ପରିମାଣରେ ବାଣ ଆସିବା କଥା, ଅଧା ବା ୫୦ ପ୍ରତିଶତ ବାଣ ହିଁ ଆସିଛି। ତେଣୁ କିଛି ବ୍ୟବସାୟୀ ରାୟପୁର ଆଦିରୁ ବାଣ ଆଣିଛନ୍ତି। ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦେଶୀ ବାଣ ବିକ୍ରି ଉପରେ କଟକଣା ଥିବା ବେଳେ ଯେଉଁ କମ୍ପାନି ଗ୍ରୀନ ସାର୍ଟିଫିକେଟ୍ ପାଇଛନ୍ତି, ତା’ ବାଣ ବିକ୍ରି କରାଯିବ। ଚଳିତବର୍ଷ ପାଗ ଭଲ ଥିବାରୁ ବେପାର ଭଲ ହେବ ବୋଲି ଆଶା ରଖିଛୁ।’’ ସେହିପରି ଜଟଣୀର ପ୍ରମୋଦ ସିଜିନ୍ ସେଣ୍ଟରର ମାଲିକ ପ୍ରମୋଦ ଦାସ କହିଛନ୍ତି, ‘‘ଗତ ୩ଦିନ ହେଲା ବାଣ ଦୋକାନ ଖୋଲା ହୋଇଛି। ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ବେପାର ଭଲହେବ ବୋଲି ଆଶଙ୍କା ରଖିଛୁ। ତେବେ ଏଥର କେବଳ ସବୁଜ ବାଣ ବିକ୍ରି କରାଯାଉଛି। ଦେଶୀବାଣକୁ ସମ୍ପୂର୍ଣ୍ଣ ବନ୍ଦ କରିଛୁ। ଆଖପାଖ ଅଞ୍ଚଳ ସମେତ ବାହାର ଜିଲ୍ଲାରୁ ଲୋକେ ଆସି ବାଣ ନେଉଛନ୍ତି। ଶିବକାଶୀ ବାଣର ଚାହିଦା ଥିବାରୁ ବିକ୍ରି ଭଲ ହେଉଛି। ଆଗକୁ ମଧ୍ୟ ଅଧିକ ବିକ୍ରି ହେବ ବୋଲି ଭାବୁଛୁ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/firework.jpg)