ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବଜାରରେ ଆଜି ଏମିତି ଏକ ଘଟଣା ଘଟିଛି, ଯାହାକି ନିର୍ବାଚନୀ ତାତିଠାରୁ ବଳି ଯାଇଛି। ୪ ବର୍ଷର ନିଷ୍ପାପ ଶିଶୁକୁ ଜଣେ ପିଶାଚ ଦୁଷ୍କର୍ମ ପରେ ହତ୍ୟା କରିଛି। ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ‌ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତକୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ପ୍ରାୟ ୫ ଘଣ୍ଟା ଧରି ଜଟଣୀ ଥାନାକୁ ଘେରାଉ କରି ରଖିଥିଲେ। ଏ ସମ୍ପର୍କରେ ଖବର ପାଇ ଡିସିପି ଅନୁପ ସାହୁ ଏକ ପ୍ଲାଟୁନ୍‌ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Advertisment

ଗତକାଲି ରାତି ୮ଟା ବେଳର ଘଟଣା। ଘର ଆଗରେ ଖେଳୁଥିଲା ୪ ବର୍ଷର ଝିଅ। ଖାଇବା ପାଇଁ ଡାକିବାକୁ ଗଲାବେଳକୁ ଝିଅ ନଥିଲା। ଦୀର୍ଘ ଘଣ୍ଟାଏ ଖୋଜାଖୋଜି କରିବା ପରେ ଆଖପାଖରେ କେଉଁଠି ପାଇନଥିଲେ। ପରିବାର ଲୋକଙ୍କ କାନ୍ଦବୋବାଳି ଶୁଣି ସାହିର ସବୁ ଲୋକ ଦାଣ୍ଡକୁ ଚାଲି ଆସିଥିଲେ। ମାତ୍ର, କିନ୍ତୁ କୁନା ସ୍ବାଇଁଙ୍କ ଘରର କବାଟ ବନ୍ଦ ଥିବା ଦେଖି ସନ୍ଦେହରେ କିଛି ଲୋକ କବାଟ ବାଡେଇଥିଲେ। କିନ୍ତୁ ସେ କିମ୍ବା ତାଙ୍କ ଘରେ ଭଡ଼ାରେ ରହୁଥିବା ଆନନ୍ଦ ପ୍ରଧାନ କବାଟ ଖୋଲି ନ ଥିଲେ।

ଏ ନେଇ ପଡୋଶୀ କୃଷ୍ଣ ପ୍ରଧାନ କହିଛନ୍ତି ଯେ, କବାଟ ନ ଖୋଲିବାରୁ ସାହିଲୋକ ଘରର ସ୍କାଇଲାଇଟ୍ ଭାଙ୍ଗିଥିଲେ। ଭିତରେ କନ୍ଥା, ଲୁଗାପଟା ଜମା ହୋଇଥିବା ସ୍ଥାନରେ ଛୋଟିଆ ହାତଟିଏ ଦେଖାଯାଇଥିଲା। ଭିତରେ ଶିଶୁଟି ରକ୍ତାକ୍ତ ଅବସ୍ଥାରେ ଅଚେତ ପଡ଼ିଥିବା ଓ ନିକଟରେ ଆନନ୍ଦ (୩୨) ଶୋଇଥିବା ଦେଖିବାକୁ ପାଇଥିଲେ।

ଏହା ଦେଖି ସାହିଲୋକ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ। ଉତ୍ତ୍ୟକ୍ତ ଲୋକେ ଆନନ୍ଦକୁ ଧରି ନିସ୍ତୁକ ମାଡ଼ ମାରି ସାହିର ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଇଥିଲେ।

ରାତି ପ୍ରାୟ ୧୨ଟା ବେଳେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୁମୂର୍ଷୁ ଅବସ୍ଥାରେ ଥିବା ଆନନ୍ଦକୁ ପ୍ରଥମେ ଜଟଣୀ ମେଡିକାଲ୍ ପରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ହସ୍‌ପିଟାଲ୍କୁ ସ୍ଥାନାନ୍ତର କରିଥିଲେ। ଏହାସହ ପୀଡ଼ିତା ଶିଶୁଟିକୁ ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ତେବେ ଘଟଣା ଏତିକିରେ ଥମିନଥିଲା। ଶିଶୁଟିର ବାପା ଥାନାରୁ ଫେରି ତାଙ୍କୁ ଥାନାରେ ଜଣେ ବାଡେଇଥିବା ଅଭିଯୋଗ କରିଥିଲେ। ଏହା ଶୁଣିସାରିବା ପରେ ସାହିର ଶତାଧିକ ଲୋକ ଭୋର ପ୍ରାୟ ୫ଟାରେ ଥାନା ଆଗରେ ଜମା ହୋଇଥିଲେ। ୬ଟା ବେଳେ ଥାନା ସମ୍ମୁଖ ରାସ୍ତାରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିବା ସହ ଥାନା ଆଗରେ ଧାରଣାରେ ବସିଥିଲେ।

ଏ ସମ୍ପର୍କରେ ଖବର ପାଇ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟ, କଂଗ୍ରେସ ପ୍ରାର୍ଥୀ ସୁର ରାଉତରାୟ ଓ ବିଜେପି ପ୍ରାର୍ଥୀ ବିଶ୍ବରଂଜନ ବଡ଼ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିିସ୍ଥିତି ଅଣାୟତ୍ତ ହେବାରୁ ଡିସିପି ଅନୁପ କୁମାର ସାହୁ ୧ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ସହ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ।

ଏ ନେଇ ଡିସିପି ଶ୍ରୀ ସାହୁ କହିଛନ୍ତି ଯେ ଘଟଣାରେ ଦୁଇଟି ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ନିମନ୍ତେ ସାଇଣ୍ଟିଫିକ୍ ଟିମ୍ ସହ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଅଭିଯୁକ୍ତ ପୁଲିସ୍‌ ହେପାଜତରେ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ତେବେ ସଂଧ୍ୟାରେ ଜଟଣୀ ତହସିଲଦାର ପ୍ରେମାଂଶୁ ଚାନ୍ଦ ଓ ଅତିରିକ୍ତ ତହସିଲଦାର ଦିଲୀପ ଷଡଙ୍ଗୀ ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

ଗିରଫ ଅଭିଯୁକ୍ତ ଆନନ୍ଦ ପ୍ରଧାନର ଘର ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।