କଟକ: ‘ଜାତୀୟ ସାତସାହି ନୃତ୍ୟୋତ୍ସବ’ ଚଳିତ ମାସ ୧୦ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। କଟକ ଉପର ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ହେବାକୁ ଥିବା ଏହି ମେଳା ୧୮ ଯାଏଁ ଚାଲିବ। ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସାତସାହି ନୃତ୍ୟୋତ୍ସବ କମିଟିର କର୍ମକର୍ତ୍ତା ଏହି ସୂଚନା ଦେଇଛନ୍ତି।
୨୦୧୦ ରେ ଏହି ଅନୁଷ୍ଠାନ ଆରମ୍ଭ କରାଯାଇଥିବା ବେଳେ ରାଜବଗିଚା ପଡିଆରେ ଉତ୍ସବ ପାଳନ କରାଯାଉଥିଲା। ହେଲେ ମହାମାରୀ କୋଭିଡ଼ ପାଇଁ ଦୁଇ ବର୍ଷ ହେବ ବନ୍ଦ ରହିଥିଲେ ହେଁ ଚଳିତ ମାସ ବଡ଼ ଧରଣର ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛି। ଇତିମଧ୍ୟରେ କମିଟି ଜିଲ୍ଲାସ୍ତରୀୟ ଉତ୍ସବର ମାନ୍ୟତା ପଇସାରିଛି। ଏହି ୯ ଦିନ ଧରି ଚାଲିବାକୁ ଥିବା ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆ ଯାଇଛି। ନଅ ଦିନ ମଧ୍ୟରେ ୬୫ରୁ ଊର୍ଦ୍ଧ୍ବ ବିଭିନ୍ନ ସାଂସ୍କୃତିକ ଦଳ ମୁକ୍ତାକାଶ ମଞ୍ଚରେ ନୃତ୍ୟ ପରିବେଷଣ କରିବାର ବ୍ୟବସ୍ଥା ରହିଛି। ପ୍ରତିବର୍ଷ ପରି ଏଥର ମଧ୍ୟ କ୍ୟାନସର, ଥାଲାସେମିଆ, ମଧୁମେହ ରୋଗରେ ପୀଡ଼ିତ ଓ ଭିନ୍ନକ୍ଷମ, ଅନାଥ ଶିଶୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯିବ। ଏଥିସହ ଥାଲାସେମିଆ, କ୍ୟାନସର, ମଧୁମେହ ପୀଡ଼ିତ ଶିଶୁ ଓ ଭିନ୍ନକ୍ଷମ, ଅନାଥ ଅନୁଷ୍ଠାନକୁ ଦୁଇଲକ୍ଷ ଟଙ୍କା କମିଟି ପକ୍ଷରୁ ପ୍ରଦାନ କରାଯିବ।
ସେହିଭଳି ଉପର ବାଲିଯାତ୍ରା ପଡ଼ିଆରେ ବସିବ ୧୦୦ରୁ ଊର୍ଦ୍ଧ୍ବ ଷ୍ଟଲ। ଏଥିରେ ଦେଶର ବିଭିନ୍ନ ରାଜ୍ୟର ବ୍ୟବସାୟୀ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଯୋଗଦେବେ। ବାଣିଜ୍ୟ ମେଳାକୁ ସଫଳ କରିବା ପାଇଁ ନୃତ୍ୟେତ୍ସବ କମିଟି ସହିତ ବୈଶାଖୀ ବାଣିଜ୍ୟ ମେଳା କମିଟି ସହଯୋଗର ହାତ ବଢ଼େଇଛନ୍ତି । ଏହି ମେଳାରେ ମୀନାବଜାର, ପିଲାଙ୍କ ପାଇଁ ଖେଳଉପକରଣ, ଖଦୀ ବସ୍ତ୍ର, ଘରକରଣା ସାମଗ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଉତ୍ପାଦନ ସୁଲଭମୂଲ୍ୟରେ ମିଳିବ। ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସଚେତନତାଧର୍ମୀ ଷ୍ଟଲ ସାଙ୍ଗକୁ କଟକ ସହରରେ ଜାଇକା କାମକୁ ନେଇ ଜନସଚେତନାଧର୍ମୀ ଷ୍ଟଲ୍ ମଧ୍ୟ ଖୋଲିବ ବୋଲି କମିଟିର ଅଧକ୍ଷ ତଥା ମହାନଗର ନିଗମ ମେୟର ସୁବାଷ ସିଂ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଦୀପେଶ ମହାପାତ୍ରଙ୍କ ସମେତ ଅନୁଷ୍ଠାନର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।