ହଜିଯାଇଛି ଜାଟିଗୁଡ଼ାର ଠିକଣା, ଭୁଲ ସୀମା ନିର୍ଦ୍ଧାରଣ ଯୋଗୁଁ  ପହଞ୍ଚୁନି ବିକା‌ଶ

ଗୋଟିଏ ବ୍ଲକ୍‌ରେ  ଦେଉଛନ୍ତି ଭୋଟ, ଆଉ ଗୋଟିଏ ବ୍ଲକ୍‌ରୁ  ଆଣୁଛନ୍ତି ରାସନ

ଘୁ.ଉଦୟଗିରି :  ଠିକଣା ପାଉନାହାନ୍ତି ଗ୍ରାମବାସୀ, ସେମାନେ କେଉଁ ବ୍ଲକ୍‌ ଏବଂ କେଉଁ ପଞ୍ଚାୟତ ଅଧୀନରେ  ଅଛନ୍ତି, ଆଜି ବି ଅସ୍ପଷ୍ଟ। ଗୋଟିଏ ବ୍ଲକ୍‌ରେ ଭୋଟର ହୋଇଥିବା ବେଳେ  ଆଉ ଗୋଟିଏ ବ୍ଲକ୍‌ରେ ହିତାଧିକାରୀ ଭାବେ ପଞ୍ଜୀକୃତ ହୋଇଛନ୍ତି।

ଗ୍ରାମବାସୀ ଭୋଟ ଦେଉଛନ୍ତି ଗୋଟିଏ ପଂଚାୟତରେ, ଆଉ ରାସନ ଆଣୁଛନ୍ତି ଆଉ ଗୋଟିଏ ପଞ୍ଚାୟତରୁ। କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତର ଜାଟିଗୁଡ଼ାରେ ଏଭଳି ସମସ୍ୟା ଦେଖାଦେଇଛି। ରାଇକିଆ ଏବଂ ଟିକାବାଲି ବ୍ଲକ୍‌ ସୀମାନ୍ତ ପାହାଡ଼ ପର୍ବତ ଘେରା ଜଙ୍ଗଲ  ଭିତରେ ଏହି ଗାଁ ରହିଛି। ଗ୍ରାମବାସୀଙ୍କୁ ପଚାରିଲେ ସଠିକ ଭାବେ କହିପାରୁ ନାହାନ୍ତି ସେମାନେ କେଉଁ ବ୍ଲକ୍‌ ଓ କେଉଁ ପଞ୍ଚାୟତର। ଏହାର କାରଣ ହେଲା ଗ୍ରାମବାସୀ  ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତର ଗତାମାହା ଭୋଟ କେନ୍ଦ୍ରରେ ଭୋଟ ଦେଉଛନ୍ତି। କିନ୍ତୁ ମାସିକ  ଚାଉଳ, ଗହମ, କିରାସିନି ଭଳି ରାସନ  ଟିକାବାଲି ବ୍ଲକ୍‌ ଅନ୍ତର୍ଗତ ଗଦଗୁଡା ପଞ୍ଚାୟତର ହିତାଧିକାରୀ ଭାବେ ପାଉଛନ୍ତି।

ପେଟାପାଙ୍ଗା ପଞ୍ଚାୟତର ୧୧ନଂ ୱାର୍ଡରେ ରହିଛି ଜାଟିଗୁଡା ଗାଁ। ଏହି ୱାର୍ଡରେ ଟିଣ୍ଡିକାମ୍ବା ଓ  ମଡ଼ରମାହା ଦୁଇଟି ଗାଁ ରହିଛି।  ଏହି ଗାଁର ପ୍ରାୟ ଲୋକ ଗଦଗୁଡା ପଞ୍ଚାୟତ ୫ କିମି ଘାଟି ଜଙ୍ଗଲ ରାସ୍ତାରେ ଚାଲିଚାଲି ଯାଇ ଚାଉଳ ଆଣୁଥିବା ବେଳେ ଅଳ୍ପ କିଛି ପରିବାର ପେଟାପାଙ୍ଗା ପଞ୍ଚାୟତ ୮ କିମି ରାସ୍ତା ଯାଇ ଚାଉଳ ଆଣୁଛନ୍ତି। ପ୍ରଶ୍ନ ଉଠୁଛି ଗୋଟିଏ ଗାଁ,  କିନ୍ତୁ ଚାଉଳ ଆଣୁଛନ୍ତି ଦୁଇଟି ପଞ୍ଚାୟତରୁ। ଭୋଟ ଦେଉଛନ୍ତି ଗୋଟିଏ ପଞ୍ଚାୟତରେ ଚାଉଳ ଆଣୁଛନ୍ତି ଅନ୍ୟ ପଞ୍ଚାୟତରୁ। ଏହି ଗୋଲକ ଧନ୍ଦା ଭିତରେ ଜାଟିଗୁଡା ଗ୍ରାମବାସୀ ପେଶି ହେଉଥିବା ବେଳେ  ପ୍ରଶାସନ ଠିକ୍‌ ଭବେ ଗାଁର ସୀମା ନିର୍ଦ୍ଧାରଣ ନ କରିବା ଯୋଗୁଁ ଗାଁର ବିକାଶ ଏକ ପ୍ରକାର  ଠପ ହୋଇଯାଇଛି। ଏବେ ବି ଏହି ଗାଁ’କୁ ଭଲ ରାସ୍ତାଟିଏ ନଥିବା ଜଣାପଡ଼ିଛି। ନେତା ଓ ପ୍ରାଶାସନିକ ଅଧିକାରୀଙ୍କ ପାଦ ପଡିନଥିବା ଜାଟିଗୁଡା ଗାଁ ଏବେ ବିକାଶ ଠାରୁ ବହୁ ଦୂରରେ।

ଏହା ଏକ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ପଞ୍ଚାୟତରାଜ ବିଭାଗର ଭୁଲ ନିଷ୍ପତ୍ତି ଯୋଗୁ ଏହା ଅବହେଳିତ ହୋଇ ରହିଛି। ଦୁଇଟି ନାଆରେ ଗୋଡ଼ ରଖି ମଣିଷ ଜୀବନ ହାରିଲା ଭଳି ପ୍ରଶାସନର ଭୁଲ ଯୋଗୁଁ ଜାଟିଗୁଡା ଗାଁ ଦୁଇଟି ପଞ୍ଚାୟତ ସହ ଯୋଡି ହୋଇ ରହିଥିବା କାରଣରୁ ସମସ୍ୟା ଦ୍ୱିଗୁଣିତ ହୋଇଛି।  ଆଉ ବିକାଶ ସାତ ସାତସପନ ହୋଇ ରହିଯାଇଛି। କୌଣସି ସରକାରୀ ଉନ୍ନୟନ କାର୍ଯ୍ୟ ହୋଇପାରୁନି। ଏହି ଗୋଲକ ଧନ୍ଦା ଭିତରେ ଜାତିଗୁଡା ଗାଁ ଛନ୍ଦି ହୋଇଥିବା ବେଳେ ଏହାର ଅନ୍ତ କେବେ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର