ଜଟଣୀ ଫ୍ଲାଇ ଓଭରବ୍ରିଜ୍‌ ନିର୍ମାଣରେ ଅନିୟମିତତା ଅଭିଯୋଗ: ହାଇକୋର୍ଟଙ୍କ ଜବାବ ତଲବ

କଟକ : ଜଟଣୀରେ ନିର୍ମାଣାଧୀନ ଫ୍ଲାଇ ଓଭରବ୍ରିଜ କାର୍ଯ୍ୟ ନିମ୍ନମାନର ଦର୍ଶାଇ ରୁଜୁ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମମାମଲାର ଶୁଣାଣି କରି ୬ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ  ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପକ୍ଷଭୁକ୍ତ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ, ଖୋର୍ଦ୍ଧା ଆର୍‌ ଆଣ୍ଡ ବି ଡିଭିଜନର ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା ଆର୍‌ ଆଣ୍ଡ ବି ସବ୍‌ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା ଆର୍‌ ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନୋଟିସ୍‌ ଜାରି କରାଯାଇଛି। ଅନ୍ୟପକ୍ଷରେ ମାମଲାରେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ଲିମିଟେଡ ପକ୍ଷଭୁକ୍ତ ହୋଇଥିଲେ ମଧ୍ୟ ସଂସ୍ଥାକୁ ନୋଟିସ୍‌ ଜାରି କରାଯାଇ ନାହିଁ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ଜଟଣୀ ଅଞ୍ଚଳର ବରିଷ୍ଠ ନାଗରିକ ଭାସ୍କର ଭୁଜବଳ, ବଂଶୀଧର ମହାନ୍ତି ଓ ହରିହର ବେହେରାଙ୍କ ପକ୍ଷରୁ ଦାୟର ଏହି ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ଜଟଣୀରେ ଚାଲିଥିବା ଏହି ରେଳ ଫ୍ଲାଇ ଓଭରବ୍ରିଜ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହେଉଛି। ଯେଉଁ ପ୍ଲାନ୍‌ ଅନୁମୋଦନ ହୋଇଥିଲା ସେଥିରେ ନିର୍ମାଣ ସମୟରେ ବ୍ୟତିକ୍ରମ କରାଯାଇଛି। ଖୋର୍ଦ୍ଧା ପଟେ ଅଧିକ ୯ଟି ପିଲର ନିର୍ମାଣକାରୀ ସଂସ୍ଥା ନିର୍ମାଣ କରୁଛି ଯାହା ନିର୍ଦ୍ଧାରିତ ପ୍ଲାନର ଉଲ୍ଲଂଘନ। ଏହି ଗୁରୁତ୍ୱପୂର୍ଣ୍ଣ ଫ୍ଲାଇ ଓଭର ବ୍ରିଜ ପାଇଁ ପ୍ରସ୍ତୁତ ଡିଜାଇନ୍‌, ଡ୍ରଇଂ, ଲମ୍ବ ଓ ଅନ୍ୟନ୍ୟ ପ୍ରସଂଗରେ ନିର୍ମାଣକାରୀ ସଂସ୍ଥା ନିୟମ ଉଲ୍ଲଂଘନ କରୁଛି। ଏହି ଫ୍ଲାଇ ଓଭର ବ୍ରିଜ ନିର୍ମାଣ ସଂପର୍କିତ ଚୁକ୍ତିପତ୍ରରେ ରହିଥିବା ବିଭିନ୍ନ ସର୍ତ୍ତର ନିର୍ମାଣ ସମୟରେ ଉଲ୍ଲଂଘନ କରାଯାଇଛି। ପ୍ରତିଟି ପାଇଲିଂରେ ୬୦ ଫୁଟ ଗଭୀରରୁ ଉନ୍ନତମାନର ଲୁହା ରଡ୍‌ ବ୍ୟବହାର କରାଯିବା କଥା। କିନ୍ତୁ ନିର୍ଦ୍ଧାରିତ ଗଭୀରକୁ ଲୁହା ରଡ୍‌ ଦିଆଯାଉ ନାହିଁ। ପି-୨ରୁ ପି-୬ ପିଲର ଖୋଳିଲେ ନିର୍ଦ୍ଧାରିତ ଗଭୀରକୁ ଲୁହା ରଡ୍‌ ଦିଆଯାଇଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏ ନେଇ ଆବେଦନକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯେ।ଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଫଳରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର