ଯାତ୍ରା କଳାକାର ଖୋଲିବେ କ୍ଷୁଦ୍ର ଉଦ୍ୟୋଗ, ଜେକେ-୨ ନାଁରେ ବିକ୍ରି ହେବ ଉତ୍ପାଦ

ଭୁବନେଶ୍ୱର : ମୁହଁରେ ରଙ୍ଗ ବୋଳି ମଞ୍ଚରେ ଦର୍ଶକଙ୍କୁ ମନୋରଂଜନ ଭେଟି ଦେଉଥିବା ଯାତ୍ରା କଳାକାର ଏଥର ଭେଟିଦେବେ ଉତ୍ପାଦ। ଜେକେ-୨ ନାଁରେ ମାର୍କେଟରେ ଉପଲବ୍ଧ ହେବ ଯାତ୍ରା କଳାକାରଙ୍କ ଦ୍ବାରା ପ୍ରସ୍ତୁତ ଭିନ୍ନ ଭିନ୍ନ ଉତ୍ପାଦ। କରୋନା କଷଣ ଦେବା ପରେ ରୋଜଗାରର ଏଭଳି ବିକଳ୍ପ ବାଟ ଖୋଲିଛନ୍ତି ଯାତ୍ରା ଜଗତର କିଛି ଚିହ୍ନା ମୁହଁ। ମିନେ‌ରାଲ ପାଣିଠୁ ନେଇ ଧୂପକାଠି, ତେଲ, ମସଲା, କ୍ଷୀର ଉତ୍ପାଦ, ସାନିଟାରି ପ୍ୟାଡ୍‌ ଆଦିର ଉଦ୍ୟୋଗ ଖୋଲିବେ ଯାତ୍ରା କଳାକାର। କେବଳ ନିଜେ ଆତ୍ମନିର୍ଭରଶୀଳ ହେବେ ନାହିଁ, ଅନେକଙ୍କୁ ନିଯୁକ୍ତି ମଧ୍ୟ ଦେବେ।

ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘର ଉପଦେଷ୍ଟା ତଥା ଅଭିନେତା ବାପି ପଣ୍ଡା କହିଛନ୍ତି, ବର୍ତମାନ ସୁଦ୍ଧା ୬୫ଜଣ କଳାକାର ନିଜସ୍ବ ଉଦ୍ୟୋଗ ପାଇଁ ପ୍ରସ୍ତୁତ ହେଲେଣି। ୩-୪ ଦିନ ମଧ୍ୟରେ ଜଗତସିଂପୁରରେ ଧୂପକାଠି ଉଦ୍ୟୋଗ ଆରମ୍ଭ ହେବ। ରାଇବଣିଆରେ ମିନେରାଲ୍‌ ପାଣିର ଉଦ୍ୟୋଗ ଖୋଲିବାକୁ ଯାଉଛି। ‌ଅଭିନେତା ଦୈତ୍ୟାରୀ ପଣ୍ଡା ମାଛ ଚାଷ କରିବାକୁ ଯାଉଥିବା ବେଳେ ରଂଜିତ ପାତ୍ର ସୋରିଷ ତେଲ ଉତ୍ପାଦ ପ୍ରସ୍ତୁତ କରିବେ। ବାପି ପଣ୍ଡା ନିଜେ ମସଲା ଉତ୍ପାଦ ପ୍ରସ୍ତୁତ କରିବେ। ଇତି ମଧ୍ୟରେ ସେ ୨୭ଜଣଙ୍କୁ ନିଜ ୟୁନିଟ୍‌‌ରେ କାମ ଦେବେ ବୋଲି କହିଛନ୍ତି।

Events High

ସେହିଭଳି ଯାତ୍ରା ଜଗତର କିଛି ଅଭିନେତ୍ରୀ ମଧ୍ୟ ଉଦ୍ୟୋଗ ପାଇଁ ଅଣ୍ଟା ଭିଡ଼ିଛନ୍ତି। ତମସା ମିଶ୍ର ପୋଷାକ, ସୀମା ସାନିଟାରି ପ୍ୟାଡ୍‌, ପ୍ରତିମା ପେପର୍‌ ପ୍ଲେଟ୍‌ ଭଳି ଉତ୍ପାଦ ତିଆରି କରିବେ। ଶ୍ରୀ ପଣ୍ଡା କହିଛନ୍ତି, ଜୁନ୍‌ ମାସରେ ଶିଳ୍ପପତି ଡ. ଶରତ କୁମାର ସାହୁ ଆମ ସମସ୍ୟାକୁ ଉପଲବ୍ଧି କରି କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ପରାମର୍ଶ ପୂର୍ବକ ଆମେ ସଂଘ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ନିର୍ଦେଶକ, ସହ ନିର୍ଦେଶକଙ୍କ ସହ ବୈଠକ କରିଛୁ। ଇତିମଧ୍ୟରେ କଟକ କାର୍ଯ୍ୟାଳୟରେ ୩ଥର ବୈଠକ ହୋଇସାରିଲାଣି। କିଛି କଳାକାରଙ୍କ ଉଦ୍ୟୋଗ ପ୍ରକଳ୍ପ ଏଇ ନିକଟରେ ଆରମ୍ଭ ହେବାକୁ ଯାଉଛି। ଆଉ କିଛି କାମ ଚାଲୁ ରହିଛି। ଏହି ଧାରାରେ ଯୋଡ଼ି ହେଉଥିବା କଳାକାରମାନେ ନିଜ ଜମିରେ କ୍ଷୁଦ୍ର ଉଦ୍ୟୋଗ ବସାଇବାକୁ ନିଷ୍ପତ୍ତି ନେଇଛନ୍ତି।

ସଂଘର ସମ୍ପାଦକ ଆର୍‌.କେ ହୀରାଲାଲ କହିଛନ୍ତି, କଳା ଦୁନିଆ ଭିତରେ ସୀମିତ ରହିଥିବା କଳାକାରମାନେ କେବଳ ନିଜେ ଆତ୍ମନିର୍ଭରଶୀଳ ହେବେ ନାହିଁ। ବରଂ ଆଉ କିଛି ବ୍ୟକ୍ତିବିଶେଷଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ। ବାପି ପଣ୍ଡା କହିଛନ୍ତି, କଳାକାର ହୋଇଥିବାରୁ ଯାତ୍ରା ମଞ୍ଚକୁ ଛାଡ଼ି ହେବ ନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ଆମେ ଉଦ୍ୟୋଗଗୁଡ଼ିକ ଘରର ମହିଳାମାନଙ୍କ ନାମରେ ଆରମ୍ଭ କରିବୁ। ଫଳରେ ଯାତ୍ରାରେ ଅଭିନୟ କରିବାରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ। ସେ ଏକଥା ମଧ୍ୟ କହିଛନ୍ତି, ଯାତ୍ରାକୁ ବାଦ୍‌ ଦେଲେ ଆମ ପାଇଁ ଆଉ କିଛି ବିକଳ୍ପ ନଥିଲା। କରୋନା ଭଳି ପରିସ୍ଥିତି ଯେ କେବେ ସୃଷ୍ଟି ହେବ ସେ ଧାରଣା ବି ନଥିଲା। କିନ୍ତୁ କରୋନା ବିକଳ୍ପ ପନ୍ଥା ଖୋଜିବା ଶିଖେଇ ଦେଲା। ଏହା କେବଳ ଅସୁବିଧା ବେଳେ ଆମ ପେଟପାଟଣା କଥା ବୁଝିବ ନାହିଁ ବରଂ ଅନେକଙ୍କୁ ରୋଜଗାର ଦେବ। ଯଦିଓ ଖୁବ୍‌ କମ୍‌ କଳାକାର ଏବେ ଏହି ଧାରାରେ ଯୋଡ଼ି ହୋଇଛନ୍ତି, କିନ୍ତୁ ଆଗାମୀ ଦିନରେ ବହୁ କଳାକାରମାନେ ସାମିଲ୍‌ ହେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର