ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର : ରାଜ୍ୟ ସରକାର ଗତ ଫେବ୍ରୁଆରୀ ମାସରେ ୫୦୦ ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ। ହେଲେ ସ୍ଥାନୀୟ ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାହତ ଆଳ ଦର୍ଶାଇ ଯାତ୍ରା ପାଇଁ ଅନୁମତି ଦେଉନାହାନ୍ତି। ଫଳରେ ରାଜ୍ୟରେ ଶହ ଶହ କଳାକାର କାମ ନପାଇ ବାହାରକୁ ଯାଇ ନିଜ ପିଲାମାନଙ୍କ ସହ ବନ୍ଧା ପଡ଼ି ନିର୍ଯାତନର ଶିକାର ହେଉଛନ୍ତି। ଅନେକ କଳାକାର ରୋଗଗ୍ରସ୍ତ ହୋଇ ଅର୍ଥାଭାବରୁ ଚିକିତ୍ସା ମଧ୍ୟ ହେଉପାରୁନାହାନ୍ତି। ସରକାର ତୁରନ୍ତ ଦୁଇ ହଜାର ଦର୍ଶକରେ ମଞ୍ଚ ଖୋଲିବାକୁ ଅନୁମତି ଦେବାକୁ ଦାବି କରି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ଆଜି ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ କଳାକାରମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାପାଇଁ ବିଧାନସଭା ଅଭିମୁଖେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା।

ସରକାର ସବୁ ସ୍ଥାନରେ ସଭା ସମିତି ଏବଂ ନିର୍ବାଚନରେ ରାଲି ପାଇଁ ଅନୁମତି ଦେଉଥିବା ବେଳେ ଯାତ୍ରା କରିବା ପାଇଁ ଅନୁମତି ଦେବାରେ କ’ଣ ଅସୁବିଧା ଅଛି ବୋଲି ସଂଘ ସଭାପତି ଦୈତାରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ସରକାରଙ୍କର କରୋନା କଟକଣାକୁ ସମ୍ମାନ ଜଣାଇ ଘରେ ବସି ରହିଛୁ ତଥାପି ସରକାର ସିନେମା ହଲ ଖୋଲିବା ପାଇଁ ଅନୁମତି ଦେଲେ କିନ୍ତୁ ଯାତ୍ରା ପେଣ୍ଡାଲ ପାଇଁ ଅନୁମତି ସତ୍ତ୍ବେ କ’ଣ ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଉନାହାନ୍ତି ବୋଲି ସଂଘର ସଂପାଦକ ରମେଶ ଚନ୍ଦ୍ର ନାୟକ ପ୍ରଶ୍ନ କରିଛନ୍ତି। ସରକାର ଯେ ପର୍ଯ୍ୟନ୍ତ ଆଲୋଚନା କରି ଦାବିପୂରଣ ଦିଗରେ ପଦକ୍ଷେପ ନେଇନାହାନ୍ତି ସେ ପର୍ଯ୍ୟନ୍ତ ଅନଶନରେ ବସିରହିବେ ବୋଲି କଳାକାରମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର