ଖୋଲିବ ଯାତ୍ରା ମଞ୍ଚ: ସର୍ବାଧିକ ୨ ହଜାର ଲୋକଙ୍କୁ ଅନୁମତି

ଫେବ୍ରୁଆରିର ସବୁ ଗାଇଡ୍‌ଲାଇନ୍ ମାର୍ଚ୍ଚରେ ବଳବତ୍ତର

ଭୁବନେଶ୍ବର : ଯାତ୍ରା ମଞ୍ଚ ଖୋଲିବ। କୋଭିଡ୍‌ କଟକଣାକୁ ମାନି ‌ଆୟୋଜକମାନେ ଯାତ୍ରା ମଞ୍ଚସ୍ଥ କରାଇପାରିବେ। ସର୍ବାଧିକ ଦୁଇ ହଜାର ଲୋକଙ୍କୁ ଯାତ୍ରା ଦେଖିବା ପାଇଁ ଅନୁମତି ମିଳିବ। ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ଆଜି ଜାରି ହୋଇଥିବା କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଯାତ୍ରା ଉପରୁ କଟକଣା ଉଠାଇ ଦିଆଯାଇଛି। ଏହା ବାଦ୍ ଫେବ୍ରୁଆରି ମାସ ପାଇଁ ଥିବା ସମସ୍ତ କଟକଣା ଓ ଅନୁମତିକୁ ମାର୍ଚ୍ଚରେ ମଧ୍ୟ ବଳବତ୍ତର ରଖାଯାଇଛି।

ଯାତ୍ରା ମଞ୍ଚସ୍ଥ ପାଇଁ ରଖାଯାଇଥିବା ସର୍ତ୍ତ ଅନୁଯାୟୀ ଜିଲ୍ଲାପାଳ କିମ୍ବା ମହାନଗର ନିଗମ କମିସନର୍‌ ଯାତ୍ରା ନିମନ୍ତେ ଅନୁମତି ଦେବେ। ତେବେ ଆୟୋଜକ ଥର୍ମାଲ ସ୍କାନିଂ, ମାସ୍କ ପରିଧାନ, ଶାରୀରିକ ଦୂରତାକୁ କଡ଼ାକଡ଼ି ପାଳନ କରିବେ। ପଡ଼ିଆର ଆକାର ଦେଖି କର୍ତ୍ତୃପକ୍ଷ ଆବଶ୍ୟକ ଅନୁମତି ଦେବେ। ତେବେ ଦର୍ଶକଙ୍କ ସଂଖ୍ୟା ସର୍ବାଧିକ ଦୁଇ ହଜାର ହୋଇପାରିବ। ଦର୍ଶକ ଗ୍ୟାଲେରିରେ ପ୍ରତି ଦୁଇଟି ଚେୟାର ମଧ୍ୟରେ ୬ ଫୁଟ ଦୂରତା ରଖାଯିବ। ଆୟୋଜକମାନେ ଅନ୍‌ଲାଇନ୍ ଟିକେଟ୍‌ ବୁକିଂ ବ୍ୟବସ୍ଥା ରଖିବେ। ଯାତ୍ରା ସ୍ଥଳରେ ଟିକେଟ୍‌ ବୁକିଂ ପାଇଁ ଗହଳି ନ ଜମିବା ନିମନ୍ତେ ଅଧିକ କାଉଣ୍ଟର୍‌ ଖୋଲାଯିବ। ଆଗୁଆ ଅନ୍‌ଲାଇନ୍ ଓ କାଉଣ୍ଟର୍‌ ଟିକେଟ୍‌ ବୁକିଂ ବ୍ୟବସ୍ଥା ରଖାଯାଇପାରିବ। ସମସ୍ତ କୋଭିଡ୍‌ ନିରାପତ୍ତା ନିର୍ଦ୍ଦେଶାବଳୀ ପାଳନ କରିବା ଆୟୋଜକଙ୍କ ଦାୟିତ୍ବ ବୋଲି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ କରାଯାଇଛି।

ବିବାହ, ବ୍ରତଘର, ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଫେବ୍ରୁଆରି ପରି ମାର୍ଚ୍ଚରେ ମଧ୍ୟ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି ମିଳିବ। କୌଣସି ହଲ୍‌ରେ ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମ କଲେ ହଲ୍‌ କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କୁ ଅନୁମତି ଦିଆଯିବ। ଖୋଲା ସ୍ଥାନରେ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଲେ, ସେହି ସ୍ଥାନର ଆକାର ଦେଖି ଲୋକଙ୍କୁ ଅନୁମତି ଦିଆଯିବ। ତେବେ ଏହି ସଂଖ୍ୟା କୌଣସି ପରିସ୍ଥିତିରେ ୫୦୦ରୁ ଅଧିକ ହେବ ନାହିଁ। ଜିଲ୍ଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଠାରୁ ଅନୁମତି ବାଧ୍ୟତାମୂଳକ କରାଯାଇଛି। ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମାନ ନିୟମ କରାଯାଇଛି। ଏହି ସମସ୍ତ ପ୍ରକାର କାର୍ଯ୍ୟକ୍ରମ ବେଳେ ମାସ୍କ, ସାମାଜିକ ଦୂରତା, ଥର୍ମାଲ୍‌ ସ୍କାନିଂ ଓ ହାତ ଧୂଆ ଆଦିକୁ କଡ଼ାକଡ଼ି ପାଳନ କରିବା ପାଇଁ ନି‌େର୍ଦ୍ଦଶ ଦିଆଯାଇଛି।

ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଫେବ୍ରୁଆରି ୧ରୁ ଖୋଲିବା ପାଇଁ ଅନୁମତି ଦିଆଯାଇଥିଲା। ମାର୍ଚ୍ଚରେ ମଧ୍ୟ ତାହା ଚାଲୁ ରହିବ। ପୂର୍ବରୁ ନବମରୁ ଦ୍ବାଦଶ ‌େଶ୍ରଣୀ ପର୍ଯ୍ୟନ୍ତ କ୍ଲାସ୍‌ ଆରମ୍ଭ କରିବାକୁ ଅନୁମତି ଦିଆଯାଇଥିଲା। ଏହି ଶ୍ରେଣୀଗୁଡ଼ିକରେ ବିଦ୍ୟାଳୟ ସ୍ତରରେ ପରୀକ୍ଷା କରାଯାଇପାରିବ। ଆବଶ୍ୟକ ପଡ଼ିଲେ ଅଭିଭାବକଙ୍କ ଅନୁମତି ନିଆଯାଇ ଅନ୍‌ଲାଇନ୍ ପରୀକ୍ଷା କରାଯାଇପାରିବ। ଗଣଶିକ୍ଷା ବିଭାଗ ଏ ସମ୍ପର୍କରେ ନିଷ୍ପତ୍ତି ନେବ। ଉଚ୍ଚଶିକ୍ଷା ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ବିଭାଗ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ଆବଶ୍ୟକ ନିଷ୍ପତ୍ତି ନେବେ। ରାଜ୍ୟର ସିନେମା ହଲ୍‌ଗୁଡ଼ିକ ପୂର୍ବ ପରି ଚାଲୁ ରହିବ।

କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ପରିସରରେ ଲକ୍‌ଡାଉନ୍ କଟକଣା ଜାରି ରହିବ। ତେବେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ବାହାରେ ଅର୍ଥାତ ଜିଲ୍ଲା, ସବ୍‌ଡିଭିଜନ୍‌, ଗ୍ରାମୀଣ ଓ ସହର ସ୍ତରରେ କେନ୍ଦ୍ର ସରକାରଙ୍କ ପରାମର୍ଶ ନ ନେଇ କେହି ଲକ୍‌ଡାଉନ୍ କରିପାରିବେ ନାହିଁ। କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଭିତରେ କେବଳ ଅତ୍ୟାବଶ୍ୟକ କାରବାରକୁ ଅନୁମତି ମିଳିବ। ଆନ୍ତଃରାଜ୍ୟ ସାମଗ୍ରୀ ଓ ଯାତ୍ରୀ ପରିବହନ ପୂର୍ବ ପରି ବିନା ବାଧାରେ ଚାଲିବ।

ସମ୍ବନ୍ଧିତ ଖବର