ଆସନ୍ତା ଯାତ୍ରାଋତୁରୁ ଯାତ୍ରା ବନ୍ଦ ଦାବିରେ ସଂଘ ଅଟଳ

ଯାତ୍ରା ମାଲିକ ସଂଘର ବୈଠକ

ଭୁବନେଶ୍ୱର : ଆସନ୍ତା ଯାତ୍ରା ଋତୁରୁ ରାଜ୍ୟରେ ଯାତ୍ରା ବନ୍ଦ ନିଷ୍ପତ୍ତି ଜିଦ୍‌ରେ ଅଟଳ ରହିଛି ରାଜ୍ୟ ଯାତ୍ରା ମାଲିକ ସଂଘ। ଯାତ୍ରା ଖର୍ଚ ବଢ଼ି ଚାଲିଥିବା ବେଳେ ବ୍ୟବସାୟରେ ମାନ୍ଦାବସ୍ଥା ଓ ଅନେକ ସମୟରେ ପ୍ରଶାସନ କଟକଣା ଦୃଷ୍ଟିରୁ ଗତ ଜାନୁଆରି ୧୮ତାରିଖରେ ମାଲିକ ସଂଘ ଏହି ଘୋଷଣା କରିଥିଲା।

ଚଳିତମାସ ୧୪ତାରିଖରେ ଓୟୁଏଟିର ଇମେଜ ପରିସରରେ ରାଜ୍ୟ ଯାତ୍ରା ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ଆସନ୍ତା ଯାତ୍ରା ଋତୁରେ ଯାତ୍ରା ବନ୍ଦ ନେଇ ମାଲିକ ସଂଘର ଘୋଷଣାକୁ ସମସ୍ତ କର୍ମକର୍ତା ରାଜି ହୋଇଥିଲେ। ଏହି ଅବସରରେ ଯାତ୍ରାଗାଁ ଓ ଇନ୍ଦ୍ରଭୁବନର ପ୍ରଯୋଜକ ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କୁ ଯାତ୍ରା ମାଲିକ ସଂଘରେ ସାମିଲ ପାଇଁ ସ୍ୱାଗତ କରାଯାଇଥିଲା। ସେହିପରି ନୂଆ ଯାତ୍ରା ପ୍ରଯୋଜକ ପ୍ରଫୁଲ୍ଲ ପ୍ରଧାନ ମଧ୍ୟ ସଂଘରେ ସାମିଲ ହୋଇଥିଲେ। ଏହି ବୈଠକରେ କଳିଙ୍ଗ ଗଣନାଟ୍ୟର ମାଲିକ ମନ୍ତ୍ରୀ ପ୍ରଦୀପ ମହାରଥୀ, ତୁଳସୀର ଅନନ୍ତ ନାରାୟଣ ଧଳ, କୋଣାର୍କ/ଧଉଳିର ଭାରତ ଭୂଷଣ ଦେଓ, ଶିବାନୀର ପ୍ରଦୀପ ବଳ ସାମନ୍ତ, ବାଘା ଯତୀନର ରବୀନ୍ଦ୍ର ରାଏ, ପାର୍ବତୀ/ତ୍ରିନାଥର ନୟନ ଆଚାର୍ଯ୍ୟ, ଗୌରୀର ବସନ୍ତ ସ୍ୱାଇଁ, ସଚ୍ଚିଦାନନ୍ଦର ମନୁ ଭାଇ, ରଂଗମହଲର ସତ୍ୟ ଜେନା, ଯାତ୍ରାଗାଁ/ଇନ୍ଦ୍ରଭୁବନର ମନୋଜ ନାୟକ ଓ ବିଶ୍ୱ ଦରବାରର କିଶୋର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ମିସନରେଟ୍‌ ପୁଲିସକୁ ଗୃହ ବିଭାଗର ଚିଠି : ନିୟମ ଅନୁଯାୟୀ ଯାତ୍ରା ପାର୍ଟିଙ୍କୁ ଅନୁମତି ଦିଅ

ଭୁବନେଶ୍ୱର : ନିୟମ ଅନୁଯାୟୀ ଯାତ୍ରା ପାର୍ଟିକୁ ଯାତ୍ରା ପରିବେଷଣ କରିବାକୁ ଅନୁମତି ପ୍ରଦାନ କରିବାକୁ କମିସନରେଟ ପୁଲିସକୁ ଚିଠି ଲେଖିଛି ଗୃହ ବିଭାଗ। ଡୁମୁଡୁମା ଅଞ୍ଚଳର ଜଣେ ବ୍ୟକ୍ତି ମାଟ୍ରିକ୍‌ ଓ +୨ ପରୀକ୍ଷା ଚାଲୁଥିବା ବେଳେ ଯାତ୍ରା ପ୍ରଦର୍ଶନ ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ଉପୁଜିବ ବୋଲି ଏକ ଦରଖାସ୍ତ ଆବେଦନ କରିଥିଲେ। ପରେ ଯାତ୍ରା ପାର୍ଟି ମାଲିକଙ୍କ ପକ୍ଷରୁ ଗୃହ ବିଭାଗକୁ ଯାତ୍ରା ପରିବେଷଣ କରିବା ପାଇଁ ଅନୁମତି ଦେବାକୁ ଚିଠି ଲେଖିଥିଲେ। ତେଣୁ ଅଗ୍ନି ନିରାପତ୍ତା ଓ ଶବ୍ଦ ପ୍ରଦୂଷଣ ନିୟମ ଓ ଅନ୍ୟ ନିୟମାବଳୀକୁ ନଜରରେ ରଖି ଅନୁମତି ପ୍ରଦାନ କରିବାକୁ ଚଳିତମାସ ୮ତାରିଖରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା କମିସନରରେଟ ପୁଲିସକୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର