ଚଣ୍ଡିଖୋଲ କଲେଜ ଛାତ୍ରୀନିବାସରେ ଜଣ୍ଡିସ, ୩୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ଛାତ୍ରୀନିବାସ ଅନିର୍ଦିଷ୍ଟ କାଳ ଲାଗି ବନ୍ଦ

ଚଣ୍ଡିଖୋଲ କଲେଜ ଛାତ୍ରୀନିବାସରେ ଜଣ୍ଡିସ, ୩୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ଚଣ୍ଡିଖୋଲ : ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀନିବାସରେ ୩୦ରୁ ଊର୍ଦ୍ଧ୍ବ ଛାତ୍ରୀ କାମଳ (ଜଣ୍ଡିସ) ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ପରେ ୨୯୦ ଅନ୍ତେବାସୀ ରହୁଥିବା ଛାତ୍ରୀନିବାସକୁ ଅନିର୍ଦିଷ୍ଟ କାଳ ଲାଗି ବନ୍ଦ କରାଯାଇଛି। ହଷ୍ଟେଲ କର୍ମଚାରୀ ମଧ୍ୟ ଏହି ରୋଗର ଶିକାର ହୋଇଛନ୍ତି।

ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର  ଶିବାଶିଷ ମହାରଣାଙ୍କ ସହିତ ଏକ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କଲେଜ ଅଧ୍ୟକ୍ଷ ଓ ଛାତ୍ରୀମାନଙ୍କୁ ମଧ୍ୟ ଏନେଇ ପଚରାଉଚରା କରିଛନ୍ତି। କେଉଁଠି କ’ଣ ସବୁ ଜଳଖିଆ ଖାଅ ବୋଲି ମୁଖ୍ୟ ଚିକିତ୍ସାଧିକାରୀ କେତେକ ଛାତ୍ରୀଙ୍କୁ ପଚାରିଥିଲେ। ଚଣ୍ଡିଖୋଲ ଛକ ଓ କଲେଜ ଛକ ନିକଟରେ ନିୟମିତ ଗୁପଚୁପ ଖାଇଥାଉ ବୋଲି କେତେକ ଛାତ୍ରୀ କହିଥିଲେ। ହଷ୍ଟେଲର ପାନୀୟଜଳ କିମ୍ବା ଗୁପଚୁପ ପାଣି ଏହି ରୋଗର କାରଣ ହୋଇଥାଇ ପାରେ ବୋଲି ଡାକ୍ତର ମହାରଣା ଅନୁମାନ କରୁଛନ୍ତି। ଏହାର ନିରାକରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ସେହିପରି କଲେଜ ନିକଟରେ ଥିବା ଘରୋଇ ଛାତ୍ରୀନିବାସ ସମେତ କେତେକ ଗ୍ରାମରେ ମଧ୍ୟ କିଛି ଲୋକ କାମଳ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଗତ ଜାନୁଆରି ମାସରୁ ଛାତ୍ରୀନିବାସର କେତେକ ଛାତ୍ରୀ ପ୍ରଥମେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ଧୀରେଧୀରେ ତାହା ବ୍ୟାପିବାରୁ କଲେଜ କର୍ତ୍ତୃପକ୍ଷ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ। ଜଳ ପରିମଳ ବିଭାଗ ଅଧିକାରୀ କଲେଜକୁ ଆସି ପାଣି ନମୁନା ସଂଗ୍ରହ କରି ରିପୋର୍ଟ ଦେଇଥିଲେ। ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡାକ୍ତର ଘଟଣାସ୍ଥଳ ପରିଦର୍ଶନ କରି ପାଣି ଟାଙ୍କି ଓ ବୋରିଂରେ ବ୍ଲିଚିଙ୍ଗ ପାଉଡର ସିଞ୍ଚନ କରିଥିଲେ। ଏବେ କଲେଜରେ ପରୀକ୍ଷା ଆରମ୍ଭ ହୋଇଛି। ଛାତ୍ରୀନିବାସ ବନ୍ଦ ହେବାରୁ ଦୂରଦୂରାନ୍ତର ଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ସମସ୍ୟା ଭୋଗୁଥିବା ସୂଚନା ଦେଇଛନ୍ତି। ତୁରନ୍ତ ଏହି ରୋଗର ନିରାକରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe