ଜିଲ୍ଲାରେ କାୟାବିସ୍ତାର କଲାଣି ଜଣ୍ଡିସ୍‌

କୋଇଡ଼ା ଓ ଲହୁଣିପଡ଼ାରେ ୪୦ରୁ ଅଧିକ ଚିହ୍ନଟ

ରାଉରକେଲା: ଖଣି ଖାଦାନଭରା କୋଇଡ଼ା ସହ ଲହୁଣିପଡ଼ା ବ୍ଲକ୍‌ରେ କାୟାବିସ୍ତାର କଲାଣି ଜଣ୍ଡିସ୍‌। ଟେନ୍‌ସାରେ ୫୦ ରକ୍ତ ନମୁନାରୁ ୩୨ ଜଣ୍ଡିସ୍‌ ପଜିଟିଭ୍‌ ଥିବା ଜଣାପଡିଛି। ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ବରସୁଆଁ ଟାଉନସିପ୍‌ରେ ୨୨ ରକ୍ତ ନମୁନାରୁ ୪ ପିଲାଙ୍କ ଜଣ୍ଡିସ୍‌ ପଜିଟିଭ୍‌ ଆସିଛି। ଅନ୍ୟ ୧୮ ଜଣଙ୍କର ଜଣ୍ଡିସ୍‌ର ଲକ୍ଷଣ ରହିଛି। ଏମାନେ ସମସ୍ତେ କୋଇଡା ବ୍ଲକ ଅନ୍ତର୍ଗତ ଗୋପପୁର ସାହିର। ସେମାନଙ୍କୁ ଜ୍ବର ଆସିବା ସହ ବାନ୍ତି ଓ ‌ପେଟ ବ୍ୟଥା ମଧ୍ୟ ହେଉଛି। ଟେନ୍‌ସା ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ଲହୁଣିପଡା ବ୍ଲକ ଅନ୍ତର୍ଗତ ବରସୁଆଁ ଟାଉନସିପ୍‌ ଓ ଏହାର ଆଖପାଖ ଅଞ୍ଚଳ ଯଥା ଶଶ୍ୟକଳା, ରାଇକେଳାରେ ପ୍ରାୟ ଅଧିକାଂଶ ଲୋକଙ୍କୁ ଗତ କିଛି ଦିନ ଧରି ଜ୍ବର ଆସିବା ସହ ବାନ୍ତି ହେଉଛି। କୋଇଡାରୁ ପୂଦୂଷିତ ନଦୀ, ନାଳ ପାଣିକୁ ବସ୍ତିବାସିନ୍ଦା ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ସେଲ୍‌ ଟାଉନସିପକୁ ଯୋଗାଣ ହେଉଥିବା ପାନୀୟ ଜଳ ବ୍ୟବହାର ଦ୍ବାରା ଜଣ୍ଡିସ୍‌ ହେଉଥିବା ପ୍ରାଥମିକ ତଦନ୍ତରୁ ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଛି।

ବ୍ୟୟସ୍କ ଲୋକମାନଙ୍କୁ କମ୍‌, ଛୋଟଛୋଟ ପିଲାମାନେ ବେଶି ଜଣ୍ଡିସ୍‌ରେ ଆକ୍ରାନ୍ତ ହେଉଛନ୍ତି। ଦିନକୁ ଦିନ ଜଣ୍ଡିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଉଭୟ କୋଇଡା ଓ ଲଡୁଣିପଡା ବ୍ଲକରେ ଆତଙ୍କ ସୃଷ୍ଟି ହୋଇଛି। ଦୈନନ୍ଦିନ କୋଇଡା ଓ ଲହୁଣିପଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଜ୍ବର, ବାନ୍ତି ଓ ପେଟବ୍ୟଥା ହେଉଥିବା ରୋଗୀ ବେଶି ଆସୁଛନ୍ତି। ଲହୁଣିପଡା ସିଏଚ୍‌ସି ମୁଖ୍ୟ ଡାକ୍ତର ରୁଦ୍ରମଣି ସାହୁ କହିଛନ୍ତି, ଲହୁଣିପଡା ବରସୁଆଁ ଟାଉନସିପ୍‌ରୁ ୨୨ରୁ ଅଧିକ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଏଥିରୁ ମଧ୍ୟରୁ ୪ ପିଲାଙ୍କ ଜଣ୍ଡିସ୍‌ ପଜିଟିଭ୍‌ ରହିଛି। ଚାରି ପିଲାଙ୍କ ମଧ୍ୟରୁ ଦୁଇ ପିଲା କେବଳ ଦମାଳୁର। ୧୮ ରକ୍ତ ନମୁନା ପରୀକ୍ଷା ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଏମାନଙ୍କ ମଧ୍ୟରୁ କେତେଜଣ ଜଣ୍ଡିସ୍‌ ପଜିଟିଭ୍‌ ଅଛନ୍ତି ଜଣାପଡିବ ବୋଲି ସେ କହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜକାନ୍ତି ମିଶ୍ର କହିଛନ୍ତି, ଲହୁଣିପଡା ଓ କୋଇଡା ଦୁଇଟି ବ୍ଲକରୁ କିଛି ଜଣ୍ଡିସ୍‌ ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ଆକ୍ରାନ୍ତ ଅଞ୍ଚଳ ଓ ଏହାର ଚତୁଃପାର୍ଶ୍ବରେ ଅଞ୍ଚଳରେ ଘରକୁ ଘରୁ ବୁଲି ରକ୍ତ ନମୁନା ସଂଗ୍ରହ କରିବାକୁ ସ୍ଥାନୀୟ ମେଡ଼ିକାଲ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ସେଲ୍‌ରୁ ଯୋଗାଣ ହେଉଥିବା ପାଣି, ନଦୀ ଓ ନାଳ ପାଣିର ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି। ଝରଣା, ନଦୀନାଳ, ଚୁଆପାଣି ଉପରେ ସ୍ଥାନୀୟ ଅଞ୍ଚଳଳ ଶହ ଶହ ବସ୍ତିବାସିନ୍ଦା ନିର୍ଭର କରୁଥିବା ହେତୁ ଆଗକୁ ପରିସ୍ଥିତି ଆହୁରି ଭୟାବହ ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର