ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ଜଓ୍ବାଦ୍, ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହେବ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବା ଡିପ୍ ଡିପ୍ରେସନ ଆଜି ମଧ୍ୟାହ୍ନରେ ଏକ ସାମୁଦ୍ରିକ ବାତ୍ୟା ଜଓ୍ବାଦରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏହା ରବିବାର ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ଜଓ୍ବାଦ୍  ଉତ୍ତର-ପଶ୍ଚିମ ଦିଗରେ ଗତି କରି ଡିସେମ୍ବର ୪ ସକାଳ ସୁଦ୍ଧା ଉତ୍ତର-ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ ଓ ସଂଧ୍ୟା ବେଳକୁ ପୁଣି ଉତ୍ତର, ଉତ୍ତର-ପୂର୍ବ ଦିଗକୁ ବୁଲିବ ଓ ୫ ତାରିଖ ରବିବାର ମଧ୍ୟାହ୍ନସୁଦ୍ଧା ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବ ଓ ଧୀରେ ଧୀରେ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ  । ତେବେ ସମୁଦ୍ର ଭିତରେ ଥିବାବେଳେ ଏହି ବାତ୍ୟା ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ, କିନ୍ତୁ ସ୍ଥଳଭାଗ ପାଖେଇ ଆସିବା ବେଳକୁ ଏହା ସାମାନ୍ୟ ଦୁର୍ବଳ ହୋଇ ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇସାରିଥିବ । ଏହି କାରଣରୁ ଫନି ତୁଳନାରେ ଏହାର ଶକ୍ତି କମ ରହିବ ବୋଲି ଆଶା କରାଯାଉଛି ।

ଏହି ବାତ୍ୟାର ପ୍ରଭାବରେ ଉତ୍ତର-ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା, ସମଗ୍ର ଉପକୂଳ ଓଡ଼ିଶା ଓ ପଶ୍ଚିବଙ୍ଗର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ତେବେ ଓଡ଼ିଶା ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି । ଆଜି ଅର୍ଥାତ ଶୁକ୍ରବାର ମଧ୍ୟରାତିରୁ ବର୍ଷା ଓ ପବନ ବଢିବାର ସମ୍ଭାବନା ରହିଛି । ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଛୁଇଁବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର