ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ଜଓ୍ବାଦ୍, ରବିବାର ସକାଳସୁଦ୍ଧା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ

ଭୁବନେଶ୍ବର : ସମୁଦ୍ର ମଧ୍ୟରେ ହିଁ ଦୁର୍ବଳ ହୋଇଯାଇଛି ବାତ୍ୟା ଜଓ୍ବାଦ । ଆଜି ସଂଧ୍ୟା ସାଢେ ୫ଟା ସୁଦ୍ଧା ଏହା ଦୁର୍ବଳ ହୋଇ ଏକ ଗଭୀର ଅବପାତ ବା ଡିପ୍ ଡିପ୍ରେସନରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏହା ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ଗତି କରୁଛି ।

ସଂଧ୍ୟା ସାଢେ ୫ଟା ବେଳେ ଏହା ବିଶାଖାପାଟଣାଠାରୁ ୧୮୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ତଥା ଗୋପାଳପୁରଠାରୁ ୨୬୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ଓ ପୁରୀଠାରୁ ୪୨୦ କିମି ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା ।

ଆସନ୍ତା କାଲି ଅର୍ଥାତ ରବିବାର ସକାଳ ସୁଦ୍ଧା ଏହି ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଏକ ଅବପାତରେ ପରିଣତ ହେବ । ଏହା ଆସନ୍ତା କାଲି ଅର୍ଥାତ ରବିବାର ମଧ୍ୟାହ୍ଣ ସୁଦ୍ଧା ପୁରୀ ନିକଟବର୍ତ୍ତୀ ହେବ ଓ ଧୀରେ ଧୀରେ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ଲଘୁଚାପରେ ପରିଣତ ହୋଇ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ।

ଏହାର ପ୍ରଭାବରେ  ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ବି ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ  କହିଛି ।

ସମ୍ବନ୍ଧିତ ଖବର