ଶୁଣ୍ଢିମୁଣ୍ଡାରୁ ଯୁବତୀଙ୍କ ଗଳିତ ଶବ ଉଦ୍ଧାର ମାମଲା: ବିବାହ ଭାଙ୍ଗିବାରୁ ହତ୍ୟା, ଯବାନ ଗିରଫ

ବଲାଙ୍ଗୀର/ସିନ୍ଧେକେଲା : ଦେଶର ରକ୍ଷକ ହେବାକୁ ଯବାନ ସାଜିଥିଲେ। ହେଲେ ନିଜ ବିବାହ କ୍ଷେତ୍ରରେ ସମସ୍ୟା ଆଣିବାରୁ ଜଣେ ଯୁବତୀଙ୍କୁ ରାସ୍ତାରୁ ହଟାଇଦେଲେ। ଏବେ ଯବାନ ଜଣକଙ୍କୁ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପୁଲିସ କୋର୍ଟଚାଲାଣ କରିଛି। ଯବାନ ଜଣକର ନାମ ସନ୍ତୋଷ ସାହୁ ଓ ସେ ବ୍ରହ୍ମପୁରର ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ଗତ ଡିସେମ୍ବର ମାସରେ ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡା ପ୍ରାଥମିକ ସ୍କୁଲରୁ ଏକ ଗଳିତ ଶବ ଉଦ୍ଧାର କରିଥିଲା ପୁଲିସ। ସେହି ମାମଲାରେ ପୁଲିସ ଯବାନ ଜଣଙ୍କୁ ଗିରଫ କରିବା ସହ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ଡିସେମ୍ବର ୯ ତାରିଖ ଗୁରୁବାର ଜଣେ ଅଜଣା ଯୁବତୀଙ୍କ ଗଳିତ ଶବ ଠାବ କରାଯାଇଥିଲା। ଗୁରୁବାର ରାତି ହୋଇ ଯାଇଥିବାରୁ ପୁଲିସ ଶୁକ୍ରବାର ଶବ ଉଦ୍ଧାର କରିଥିଲା। ସେ ସମୟରେ ଏହି ଅଚିହ୍ନା ଯୁବତୀଙ୍କୁ ଚାରି ପାଞ୍ଚ ଦିନ ଆଗରୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରିଥିଲା। କାଳେ ଯୁବତୀଙ୍କ ପରିଚୟ ମିଳିଯିବ ସେଥିପାଇଁ ବ୍ୟବଚ୍ଛେଦ ପରେ ମଧ୍ୟ ଶବକୁ ଆହୁରି ୭୨ ଘଣ୍ଟା ସଂରକ୍ଷିତ ରଖିଥିଲା ପୁଲିସ। ଯୁବତୀଙ୍କ ବିଷୟରେ କେହି କିଛି ଜାଣିଥିଲେ ମୋବାଇଲ ନମ୍ବର ୯୪୩୭୧୨୬୬୪୬କୁ ଫୋନ କରି ଜଣାଇବାକୁ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଅନୁରୋଧ ମଧ୍ୟ କରିଥିଲେ। ଏ ବିଷୟରେ ‘ସମ୍ବାଦ’ରେ ତିନିଦିନ ଧରି ଖବର ପରିବେଷଣ କରାଯାଇଥିଲା। ଯୁବତୀଙ୍କ ବେକରେ ଥିବା ଗୋଲ୍‌ଡେନ ଚେନ୍‌ରେ ଲେଖାଥିବା ‘ସୋନୁ କିଏ’ ଶୀର୍ଷକ ଖବର ବି ପ୍ରକାଶ ପାଇଥିଲା। ସେତେବେଳେ ପୁଲିସ କୌଣସି ପରିଚୟ ପାଇ ନଥିଲା। ଝିଅଟି ଭବାନୀପାଟଣା ଅଞ୍ଚଳର ଦୁର୍ଗାପ୍ରସାଦ ସାହୁଙ୍କ ଝିଅ ସୋନୁଲତା ସାହୁ ବୋଲି ଜଣାପଡ଼ିବା ପରେ ପୁଲିସ ତଦନ୍ତକୁ ତ୍ୱରାନ୍ୱିତ କରିଥିଲା। ଏହାସହ ମାମଲାରେ ବ୍ରହ୍ମପୁର ଗାନ୍ଧୀନଗର ପଡ଼ାର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ସନ୍ତୋଷ ସାହୁଙ୍କୁ ଗିରଫ କରିଥିଲା। ସେ ଦିଲ୍ଲୀରେ ଆର୍ମି ସପ୍ଲାଇ କୋର୍‌ ଡିପାର୍ଟମେଣ୍ଟରେ କାମ କରୁଥିବା ଚର୍ଚ୍ଚା ହେଉଛି।

ପୁଲିସ ଏହି ମାମଲା ବିଷୟରେ କୌଣସି ପ୍ରେସ୍‌ମିଟ ଡାକି ନଥିବା ବେଳେ ସିନ୍ଧେକେଲା ଥାନାଧିକାରୀ ଆଲୋକ ବେହେରାଙ୍କୁ ଫୋନ୍‌ ଯୋଗେ ପଚାରିବା ପାଇଁ ଚେଷ୍ଟା କଲେ ଫୋନ୍‌ ରିସିଭ କରୁ ନଥିବାରୁ ସବିଶେଷ ତଥ୍ୟ ମିଳିପାରି ନଥିଲା। ଶେଷରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀଙ୍କୁ ପଚାରିବାରୁ ସେ କହିଥିଲେ, ସୋନୁଲତା ଓ ସନ୍ତୋଷଙ୍କ ବିବାହ ସ୍ଥିର ହୋଇଥିଲା। ହେଲେ ପରେ ସୋନୁଲତାଙ୍କ ପରିବାର ତରଫରୁ ବିବାହ କରିବାକୁ ମନା କରି ଦେବାରୁ ସନ୍ତୋଷଙ୍କ ପରିବାର ଅନ୍ୟ ପଟେ ଝିଅ ଖୋଜାଖୋଜି କରୁଥିଲେ। ହେଲେ ସୋନୁଲତା ବିବାହ ଠିକ ହେଉଥିବା ଝିଅମାନଙ୍କ ଘରକୁ ଫୋନ୍‌ କରି ବିବାହ ଭାଙ୍ଗି ଦେଉଥିଲେ। ତେଣୁ ସୋନୁଲତାଙ୍କୁ ସନ୍ତୋଷ ରାସ୍ତାରୁ ହଟାଇବାକୁ ସ୍ଥିର କରିଥିଲେ। ସୋନୁଲତାଙ୍କୁ ବୁଝାସୁଝା କରିବା ପାଇଁ ଭବାନୀପାଟଣାରୁ ଖରିଆର ପଟକୁ ସନ୍ତୋଷ ଆଣିଥିଲେ। ବାଟରେ ବର୍ଷା ହେବାରୁ ଶୁଣ୍ଢିମୁଣ୍ଡା ସ୍କୁଲରେ ଅଟକିଥିଲେ ଓ ସେଠାରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇ ଶେଷରେ ସନ୍ତୋଷ ସୋନୁଲତାଙ୍କୁ ହତ୍ୟା କରିଥିବା ଏସ୍‌ଡିପିଓ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର