ଲାଲ୍ ବାହିନୀର ତାଣ୍ଡବ ପରେ ନିୟମଗିରିରେ ପଶିଲେ ଯବାନ

ରାୟଗଡ଼ା : ଲାଲ୍ ବାହିନୀର ତାଣ୍ଡବ ପରେ ନିୟମଗିରିରେ ପଶିଛନ୍ତି ଯବାନ। କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ କମ୍ବିଂ ଓ ସର୍ଚ ଅପରେସନକୁ ଜୋରଦାର୍ କରାଯାଇଛି। ପୁଲିସ ଓ ସିଆରପିଏଫ୍ ଯବାନଙ୍କ ସମେତ କମ୍ବିଂରେ ସାମିଲ୍ ହୋଇଛନ୍ତି ଏସଓଜି, ଆଇଆରବି ଯବାନ। ଯବାନଙ୍କ କମ୍ବିଂ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି। ୧୫ରୁ ଊର୍ଧ୍ବ ମାଓବାଦୀ କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ଘୂରି ବୁଲୁଛନ୍ତି। ପୁଣି ସ୍ଥିତି ଜାହିର ପାଇଁ ମାଓବାଦୀ ଆପ୍ରାଣ ଉଦ୍ୟମ କରିବା ସହ ସୁଯୋଗ ଦେଖି ପୁଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି। ନିୟମଗିରିରେ ମାଓବାଦୀ ମେଳି ବାନ୍ଧୁଥିବା ନେଇ ପୁଲିସ ନିକଟରେ ସୂଚନା ରହିଛି। ତେବେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ମିଳି ପାରୁନଥିବା ଯୋଗୁଁ ପୁଲିସକୁ ମାଓ ଦମନରେ ସଫଳତା ମିଳି ପାରୁନାହିଁ । ଯାହା ଗତ ୨୧ ତାରିଖ ରାତିରେ ମାଓବାଦୀ ଠିକା କ୍ୟାମ୍ପରେ ଘଟାଇଥିବା ତାଣ୍ଡବରୁ ସ୍ପଷ୍ଟ ହୋଇଛି ।

ଠିକା କ୍ୟାମ୍ପ‌କୁ ଆସିବା ପାଇଁ ମାଓ ସଂଗଠନ ଗତ ସପ୍ତାହେ ହେଲା ସୁଯୋଗକୁ ଅପେକ୍ଷା କରି ରହିଥିଲା। ଘଟଣା ଦିନ ମାଓବାଦୀମାନେ ୨ ଶ୍ରମିକଙ୍କୁ ନିସ୍ତୁକ ପିଟିବା ପରେ ରାସ୍ତା କାମରେ ନିୟୋଜିତ ୧ କୋଟିରୁ ଊର୍ଧ୍ବ ଟଙ୍କାର ମେସିନକୁ ପୋଡ଼ି ଦେଇଥିଲେ। ନିୟମଗିରିକୁ ବିକାଶ ଛୁଇଁଲେ ଏହାର ଖଣିଜ ସଂପଦ ଲୁଟ ହେବ ବୋଲି ଅଭିଯୋଗ କରି ସିପିଆଇ ମାଓବାଦୀ ରାୟଗଡ଼ା ଏରିଆ କମିଟି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି। ତେବେ ଅଘଟଣ ଘଟାଇବା ପରେ ମାଓବାଦୀ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଦୁର୍ଗମ ଇଲାକାରେ ଆତ୍ମଗୋପନ କରିଥିବାରୁ ଦୁଇ ଦିନ ଧରି ଚାଲିଥିବା କମ୍ବିଂ ଅପରେସନରେ ମାଓବାଦୀଙ୍କ ଗତିବିଧି ସଂପର୍କରେ ରାୟଗଡ଼ା ପୁଲିସ କୌଣସି ସୂଚନା ପାଇ ପାରିନି। ସିଆରପିଏଫ୍, ରାଜ୍ୟ ପୁଲିସ ନିଜ ସ୍ତରରେ ଗୁଇନ୍ଦା ସୂଚନାକୁ ଭିତ୍ତି କରି ତିନି ଜିଲ୍ଲାର ସୀମାନ୍ତ ଉପରେ କଡ଼ା ନଜର ରଖିଛନ୍ତି। ତେବେ ସୀମାନ୍ତ ଅଞ୍ଚଳର ବହୁ ସ୍ଥାନରେ ମୋବାଇଲ୍ ନେଟୱାର୍କ ନଥିବାରୁ ମାଓବାଦୀଙ୍କ ଗତିବିଧି ସଂପର୍କରେ ପୁଲିସକୁ ଠୋସ୍ ସୂଚନା ମିଳିପାରୁନି।

ସମ୍ବନ୍ଧିତ ଖବର