ଜଙ୍ଗଲ ରାସ୍ତାରୁ ବାଇକ୍‌ ଉଦ୍ଧାର; ଡ୍ରୋନ୍‌ ସହାୟତାରେ ବନ ବିଭାଗର ଅନୁସନ୍ଧାନ, ଯବାନଙ୍କ ପତ୍ତା ମିଳୁନି

ଜଙ୍ଗଲ ରାସ୍ତାରୁ ବାଇକ୍‌ ଉଦ୍ଧାର; ଡ୍ରୋନ୍‌ ସହାୟତାରେ ବନ ବିଭାଗର ଅନୁସନ୍ଧାନ, ଯବାନଙ୍କ ପତ୍ତା ମିଳୁନି

ଚଣ୍ଡିଖୋଲ : ଜଗତସିଂହପୁର ଜିଲ୍ଲା ଏରସମା ଥାନା ସୋମପୁର ଗ୍ରାମର ନିଖୋଜ ଯବାନ ସୂର୍ଯ୍ୟକାନ୍ତ କୁଅଁରଙ୍କ ବାଇକ୍‌ଟିକୁ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳ ବାରୁଣାବନ୍ତ ପାହାଡ଼ ପାଦଦେଶରୁ ଗତକାଲି ଉଦ୍ଧାର ହୋଇଛି। ହୋଣ୍ଡା ୟୁନିକର୍ଣ୍ଣ (ଓଡି ୨୧ କେ ୮୬୭୪) ବାଇକ୍‌ଟି ଧାନମଣ୍ଡଳ ଝୋଟକଳ ଜଙ୍ଗଲିଆ ରାସ୍ତାରେ ଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ବଡ଼ଚଣା ପୁଲିସ ପହଞ୍ଚି ବାଇକ୍‌ ନମ୍ବର ଯାଞ୍ଚ କରି ଏରସମା ଥାନା ସହିତ ଯୋଗାଯୋଗ କରି ସୂର୍ଯ୍ୟକାନ୍ତ କୁଅଁରଙ୍କ ପରିବାରକୁ ଜଣାଇଥିଲେ। ଖବର ପାଇ ସୂର୍ଯ୍ୟକାନ୍ତଙ୍କ ପତ୍ନୀ ବିଜାତା ମହାନ୍ତି ଓ ଭାଇ କମଳାକାନ୍ତ ଆଜି ଧାନମଣ୍ଡଳରେ ପହଞ୍ଚି ବାଇକଟିକୁ ଚିହ୍ନଟ କରିଥିଲେ। ଜଙ୍ଗଲର ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ ସୂର୍ଯ୍ୟକାନ୍ତଙ୍କ ପତ୍ତା ମିଳିନଥିଲା। ଜଙ୍ଗଲ ବିଭାଗ ପକ୍ଷରୁ ଡ୍ରୋନ୍‌ ସାହାଯ୍ୟରେ ଖୋଜାଖୋଜି କରାଯାଇଥିଲେ ବି କିଛି ସୂଚନା ମିଳିପାରି ନାହିଁ।

ସୂର୍ଯ୍ୟକାନ୍ତ ଜଣେ ସିଆର୍‌ପିଏଫ୍‌ ଯବାନ। ବର୍ଷକ ତଳେ ତାଙ୍କର ବିବାହ​ ହୋଇଥିଲା। ବିବାହ ପରେ ଦମ୍ପତି ଜଗତସିଂହପୁର ସହରରେ ଭଡ଼ାଘରେ ରହୁଥିଲେ। ନିକଟରେ ସେ ୨୦ ଦିନ ପାଇଁ ଛୁଟିରେ ଆସିଥିଲେ। ତାଙ୍କ ବୁଢ଼ୀମାଆଙ୍କର ଦେହାନ୍ତ ହେବାରୁ ସେ ଏକୁଟିଆ ଗାଁକୁ ଯାଇଥିଲେ। ପରେ ସେଠାରୁ ଜଗତସିଂହପୁରକୁ ଫେରୁଥିଲେ। ଗତ ୧୬ ତାରିଖରୁ ସେ ହଠାତ ନିଖୋଜ ହୋଇଯାଇଥିଲେ।

ପତ୍ନୀଙ୍କ କହିବା ଅନୁଯାୟୀ ସେଦିନ ସେ ମୋବାଇଲରେ କଥା ହୋଇଥିଲେ। ମୁଁ ଖୁବ୍‌ଶୀଘ୍ର ପହଞ୍ଚୁଛି ବୋଲି କହିଥିଲେ ସୂର୍ଯ୍ୟକାନ୍ତ। ହେଲେ ସେ ଆଉ ଫେରି ନଥିଲେ। ପରେ ମୋବାଇଲ ଫୋନ୍‌ ବନ୍ଦ ହୋଇଯାଇଥିଲା। ୧୭ ତାରିଖ ସୁଦ୍ଧା ଘରକୁ ନଫେରିବାରୁ ତାଙ୍କ ପତ୍ନୀ ଜଗତସିଂହପୁର ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ। ସେ ଜଗତସିଂହପୁର ଅଞ୍ଚଳରୁ ବଡ଼ଚଣାର ଧାନମଣ୍ଡଳ ପର୍ଯ୍ୟନ୍ତ କାହିଁକି ଆସିଥିଲେ ଏବଂ ତାଙ୍କ ସାଥିରେ ଆଉ କିଏ ଥିଲେ କି ନାହିଁ ତାହା ଅନୁସନ୍ଧାନ ସାପେକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe