ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ରହିଥିବା ମାଓ କ୍ୟାମ୍ପ ଅଫିସକୁ ପୁଲିସ ଓ ବିଏସଏଫ ଯବାନ ନିଜ କବଜାକୁ ନେଇ ଆଶ୍ରୟସ୍ଥଳରେ ପରିଣତ କରିଛନ୍ତି। ଯେଉଁ କ୍ୟାମ୍ପ ଅଫିସରେ ମାଓବାଦୀ ଦିନେ ନିଜର ସଭା, ପ୍ରଜାମେଳି, ଆକ୍ରମଣର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଭଳି କାମ କରୁଥିଲେ। ଆଜି ସେହି ମାଓ କ୍ୟାମ୍ପ ଅଫିସ ପୁଲିସ ଓ ଯବାନଙ୍କ କବଜାରେ। ସ୍ବାଭିମାନ ଅଂଚଳର ଯଡାମ୍ବ ଠାରେ ପୁଲିସ ଥାନା ପ୍ରତିଷ୍ଠା ହେବା ପରେ ପୁଲିସ ଏହି ମାଓ କ୍ୟାମ୍ପ ଅଫିସକୁ ନିଜ କବଜାକୁ ନେଇଥିଲା। ଏବେ ଏଠାରେ ବିଏସଏଫ ଯବାନଙ୍କ ଦବଦବା ରହିଥିବା ବେଳେ ନକ୍ସଲ ଏଠାରୁ ପଛଘୁଞ୍ଚା ଦେଇଛନ୍ତି। ଏକଦା ଏଠାରେ ନିଜର ଗଡ କରି ନିଜର ଆଇନ କାନୁନ ଚଳାଉଥିଲେ ମାଓବାଦୀ। ଏହି ଅଂଚଳ ସଂପୂର୍ଣ୍ଣ ଭାବେ ବିଛିନ୍ନ ହୋଇ ରହିଥିବା ବେଳେ ଦିନରେ ବି ମାଓବାଦୀ ଏଠାରେ ପଇଁତରା ମାରୁଥିବା ଦେଖିବାକୁ ମିଳୁଥିଲା। ଏବେ ପରିସ୍ଥିତି ବଦଳିଛି ଲୋକେ ଶାନ୍ତିରେ ଜୀବନଯାପନ କରୁଛନ୍ତି।
Advertisment
ପ୍ରକାଶ ଥାଉକି ପୂର୍ବରୁ ପୁଲିସ ଏଠାରେ ପହଞ୍ଚି ପାରୁନଥିବାରୁ ମାଓବାଦୀ ଏଠାରେ ନିଜର ସ୍ଥାୟୀ କ୍ୟାମ୍ପ କରି ରହିଥିଲେ। ଏଠାରେ ସେଣ୍ଟ୍ରାଲ କମିଟିର ମେମ୍ବର ଏବଂ ଅନ୍ୟ କ୍ୟାଡର ନକ୍ସଲମାନେ ଆସି ରହୁଥିଲେ। ଏଥିସହ ଏହି କ୍ୟାମ୍ପ ଅଫିସରେ ମୃତ କମ୍ରେଡମାନଙ୍କର ଫଟୋ ଗୁଡିକକୁ ସୁସଜ୍ଜିତ କରି ରଖାଯାଇଛି। ଗୋଟିଏ କଠୋରୀରେ ମାଓବାଦୀମାନେ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ରୋଷେଇ ଘର ମଧ୍ୟ ରହିଛି। ଏହି ଅଂଚଳ ସଂପୂର୍ଣ୍ଣ ଭାବେ ନିରାପଦ ଥିବାରୁ ସେଣ୍ଟ୍ରାଲ କମିଟିର ଅଧ୍ୟକ୍ଷ ସହ ବହୁ ନେତା ଏଠାରେ ରାତ୍ରୀଯାପନ କରୁଥିବା ସ୍ଥାନୀୟ ଲୋକେ କହନ୍ତି।
ଗୁରୁପ୍ରିୟା ସେତୁ ହେବା ପରେ ହିଁ ଯବାନ ଧୀରେଧୀରେ ସ୍ବାଭିମାନ ଅଂଚଳକୁ ନିଜ ଅକ୍ତିଆରକୁ ନେଇଥିଲେ।ସ୍ବାଭିମାନ ଅଂଚଳରେ ରହିଥିବା ୯ଟି ପଞ୍ଚାୟତରେ ବିଏସଏଫ କ୍ୟାମ୍ପ ରହିଛି। ଯବାନ ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳର ୧୫୨ଟି ଗ୍ରାମକୁ ଜଗି ରହିଛନ୍ତି। ଯଡ଼ାମ୍ବ ଥାନା ପ୍ରତିଷ୍ଠା ହେବା ପରେ ଏହି ଅଂଚଳରେ ଶାନ୍ତି ବଜାୟ ରହିବା ସହ ଲୋକେ ପୁଲିସ ପ୍ରଶାସନ ଉପରେ ହରାଇଥିବା ବିଶ୍ବାସକୁ ପୁଣି ଫେରି ପାଇଥିବା କୁହାଯାଇଛି।
ସେପଟେ ନକ୍ସଲ ଏବେ ବିଳବିଳାଉଛନ୍ତି। ନକ୍ସଲ ସ୍ବାଭିମାନ ଅଂଚଳ ଭିତରେ ପଶି ପାରୁନଥିବାରୁ କୌଣସି ପ୍ରକାରେ ଲୋକଙ୍କୁ ଭୁତାଇବାକୁ ଚେଷ୍ଟା କରାଯାଉଛି। କିନ୍ତୁ ଲୋକେ ଏଥର ସଚେତନ ହେଲେଣି।ନକ୍ସଲଙ୍କର ଧମକ ଆଉ ବନ୍ଧୁକକୁ ଡରୁନାହାନ୍ତି। ଚଳିତ ନିର୍ବାଚନରେ ସ୍ବାଭିମାନ ଅଂଚଳର ୨୩ଟି ଯାକ ବୁଥରେ ୭୧ ପ୍ରତିଶତ ଭୋଟିଂ ହୋଇଥିଲା।ଯାହାକି ରେକର୍ଡ ସୃଷ୍ଟି କରିଛି। ନକ୍ସଲ ଗୋଟେ ବି ବ୍ୟାନର କିମ୍ବା ପୋଷ୍ଟର ମାରିପାରିନଥିଲେ। ଯବାନ ସଂପୂର୍ଣ୍ଣ ସୁରକ୍ଷା ଦେଇଥିଲେ। ବିଶେଷକରି ପୁଲିସ, ବିଏସଏଫ ଏବଂ ଜିଲ୍ଲା ପ୍ରଶାସନର ଅବଦାନ ପ୍ରଶଂସନୀୟ। ମାଓ କ୍ୟାମ୍ପ ଅଫିସକୁ ତତ୍କାଳୀନ ଡିଜିପି ନଭାଙ୍ଗିବାକୁ ପରାମର୍ଶ ଦେଇଥିଲେ। କାରଣ ଆଗାମୀ ପିଢି ପାଇଁ ଏହା ଇତିହାସ ଏବଂ ସେମାନଙ୍କ ସଂପର୍କୀୟଙ୍କ ମୃତ୍ୟୁର ମୁକସାକ୍ଷୀ ହୋଇ ରହିବ।