ମାଲକାନଗିରି ଜିଲ୍ଲାରୁ ନକ୍ସଲଙ୍କୁ ତଡିବା ପାଇଁ ଦିନରାତି ଏକ କରୁଛନ୍ତି ଯବାନ

ମାଲକାନଗିରି: ନକ୍ସଲ ପ୍ରଭାବିତ ଗତିବିଧିର ସ୍ଥିତି ପୂର୍ବପେକ୍ଷା ଯଥେଷ୍ଟ କମିଛି। ଏବେ ଜିଲ୍ଲାରେ ଲୋକେ ବେଧଡକ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ରାତିରେ ମଧ୍ୟ ଯିବା ଆସିବା କରିପାରୁଛନ୍ତି। ନିଜର ମନମୁତାବକ ମୋବାଇଲ ଧରିବା ସହ ପୋଷାକ ପରିଧାନ କରିପାରୁଛନ୍ତି। ଏପରିକି ଭଲ ଘର ଖଣ୍ଡେ ତିଆରି କରିବା ସହ ଗାଈଗୋରୁ ମଧ୍ୟ ରଖିବା ଆରମ୍ଭ କଲେଣି। ଏସବୁ ପଛରେ ବିଏସଏଫ, ଡିଭିଏଫ ଏବଂ ଏସଓଜି ଯବାନଙ୍କ ବଳିଦାନ ରହିଛି। ଗତ ୧୦ ବର୍ଷ ତଳେ ଜିଲ୍ଲାରେ ନକ୍ସଲ ଉତ୍ପାତ ମଚାଉଥିଲେ। ଯାହାକୁ ପାରିଲେ ହତ୍ୟା କରୁଥିଲେ, ଅପହରଣ ମଧ୍ୟ କରୁଥିଲେ। ପୁଲିସ ଦିନ ବେଳା ଥାନାରେ ରହୁଥିଲେ ରାତି ହେଲେ ଥାନା ଛାଡୁଥିଲେ। ପରିସ୍ଥିତି ସଂଗୀନ ରହିଥିଲା। ଧିରେ ଧିରେ ସଂପୂର୍ଣ୍ଣ ଜିଲ୍ଲାକୁ ବିଏସଏଫ ନିଜ କବଜାକୁ ନେବା ସହ ଏସଓଜି ଏବଂ ଡିଭିଏଫ ଯବାନଙ୍କର ଘନ ଘନ ଚଢଉରେ ନକ୍ସଲ ବ୍ୟତିବ୍ୟସ୍ତ ହୋଇପଡିଲେ।

ଏବେ ଜିଲ୍ଲାରେ ପୂର୍ବାପେକ୍ଷା ସ୍ଥିତି ଭଲ ଥିଲେ ମଧ୍ୟ କୌଣସି ମୁହର୍ତ୍ତରେ ନକ୍ସଲ କିଛି ବି ଘଟାିବାର ସମ୍ଭାବନା ରହିଥିବାରୁ ଯବାନ ଏବେ ବି ନକ୍ସଲ ପ୍ରବଣ ଅଂଚଳରେ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଏବେ ମାଲକାନଗିରି ଜିଲ୍ଲାରେ ୪୫ ଡିଗ୍ରୀ ଉତ୍ତାପରେ ସଢୁଛି। ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ଏହି ସମୟରେ ଯବାନ ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ କରୁଛନ୍ତି। ୪୫ ଡିଗ୍ରୀ ଖରାରେ ଯବାନ ଦୁର୍ଗମ ଅଂଚଳ ଏବଂ ମୁଖ୍ୟ ରାସ୍ତାଗୁଡିକରେ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ପାଖରେ ପାଣି ବୋତଲ ଟିଏ ରଖିବା ସହ ପ୍ରାୟ ୩୫ କିଲୋ ଓଜନର ବ୍ୟାଗ ପିଠିରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଗରମରେ ସିଝିଯାଉଥିଲେ ମଧ୍ୟ ଯବାନ ଥକି ଯାଉନାହାନ୍ତି। ନିଜର ଡ୍ୟୁଟିକୁ ଭଗବାନ ଭାବି କାର୍ଯ୍ୟ କରିଚାଲିଛନ୍ତି। ନକ୍ସଲକୁ ଆଉ କୌଣସି ସୁଯୋଗ ନଦେବା ପାଇଁ ଏଭଳି ଦିନରାତି ପଇଁତରା ମାରୁଛନ୍ତି।

ଜିଲ୍ଲାର ସବୁଠାରୁ ବିପଦପୂର୍ଣ୍ଣ ହେଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳ। ଏଠାରେ ମଧ୍ୟ ଯବାନ ଖରାରେ କୁମ୍ବିଂ କରୁଥିବା ଦେଖବାକୁ ମିଳିଥିଲା। ନକ୍ସଲଙ୍କର ସମସ୍ତ ଗତିବିଧି ଉପରେ ନଜର ରଖିବା ସହ ପୁଲିସ ଇନଫର୍ମରମାନଙ୍କୁ ସବୁବେଳେ ସଜାଗ ରହିବାକୁ କୁହାଯାଉଥିବା ଦେଖିବାକୁ ମିଳିଛି। ସେହିପରି ଗୁଇନ୍ଦା ବିଭାଗର କର୍ମଚାରୀମାନେ ମଧ୍ୟ ନକ୍ସଲ ଜିଲ୍ଲାର ହଟିଥିଲେ ନିଜର ଗୁଇନ୍ଦାଗିରି ଜାରି ରଖିଛନ୍ତି। ଗ୍ରୀଷ୍ଣର ପ୍ରଖର ଉତ୍ତାପରେ ଦିନରାତି ଯବାନଙ୍କ କୁମ୍ବିଂ ଯୋଗୁଁ ଆଜି ଜିଲ୍ଲାବାସୀ ସୁଖଶାନ୍ତିରେ ରହୁଛନ୍ତି। ଏବେ କାଁ ଭାଁ ଅଂଚଳରେ ନକ୍ସଲଙ୍କ ଗତିବିଧି ରହିଥଲେ ମଧ୍ୟ କୌଣସି ଅଘଟଣ ଘଟାଇବାରେ ସଫଳ ହୋଇପାରୁନାହାନ୍ତି। ପ୍ରାୟ ୩୦ଟି ବିଏସଏଫ କ୍ୟାମ୍ପ ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ଅବସ୍ଥାପିତ ହେବା ନକ୍ସଲ ହଟିବାର ମୁଖ୍ୟ କାରଣ ବୋଲି କୁହାଯିବ। ସେହିପରି ଏସପିଙ୍କ ନେତୃତ୍ବରେ ମଧ୍ୟ ଜିଲ୍ଲାରେ ନକ୍ସଲଙ୍କୁ ହଟାଇବା ନେଇ ଯେଉଁ ରଣନୀତି ପ୍ରସ୍ତୁତ କରାଯାଉଛି ତାହା ମଧ୍ୟ ସଫଳତା ହାସଲ କରିଚାଲିଛି। ତେବେ ପୁଲିସ ଓ ଯବାନମାନଙ୍କ ଏହି ବଳିଦାନକୁ ଜିଲ୍ଲାବାସୀ ଭୃୟସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର