ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ ଜୋରଦାର ଚାଲିଛି। ସଂପୂର୍ଣ୍ଣ ନକ୍ସଲ ଦମନ ନେଇ ସରକାର ଏକ ପ୍ରକାର ନିଷ୍ପତ୍ତି ନେଇସାରିଛନ୍ତି।ପ୍ରତିଦିନ ଜଂଗଲରୁ ଯବାନଙ୍କ ଅପରେସନର ଭିନ୍ନଭିନ୍ନ ଦୃଶ୍ୟର ଭିଡିଓ ଭାଇରାଲ ହେବାକୁ ଲାଗିଛି। ଆଜି ଆସିଥିବା ଭିଡିଓରେ ଯବାନ ବର୍ଷାରେ ଜଂଗଲରେ କମ୍ବିଂ ଅପରେସନ କରୁଥିବା ବେଳେ ଜଂଗଲରେ ପାଣିର ଘୋର ଅଭାବ ରହିଥିଲା। ତେଣୁ ବର୍ଷା ଜଳକୁ ଏକ ପଲିଥିନରେ ସଂଗ୍ରହ କରିବା ପରେ ତାକୁ ବୋତଲରେ ଭର୍ତ୍ତି କରୁଥିବାର ଦୃଶ୍ୟ ମନ ଛୁଇଁଥିଲା
ସେହିପରି ଗତକାଲି କାଂକେର ଜିଲ୍ଲାର ଜଣେ ମହିଳା ମାଓବାଦୀକୁ ମାରିବା ପରେ ତାର ଶବକୁ କାନ୍ଧରେ ବୋହି ନଦୀ ପାର କରୁଥିବା ଦୃଶ୍ୟ ଅତି ଭୟାନକ ଥିଲା। ଯବାନ ମନୁଷ୍ୟ ଶୃଙ୍ଖଳା କରି କ୍ଷୀପ୍ର ଗତିରେ ବହୁଥିବା ନଦୀକୁ ପାର କରୁଥିଲେ। ଏହି ଦୁଇଟି ଭିଡିଓ ଏବେ ବେଶ ଭାଇରାଲ ହେବାକୁ ଲାଗିଛି। ଦିନ ରାତି ଏକ କରି ଜୀବନକୁ ପାଣି ଛଡାଇ ଦେଶ ମାତୃକାର ସେବାରେ ଲାଗିଛନ୍ତି ପଡୋଶୀ ଛତିଶଗଡ଼ରେ ମୁତୟନ ସୁରକ୍ଷା ବହିନୀ। ନକ୍ସଲ ବିରୋଧରେ ଶେଷ ଲଢେଇ ପାଇଁ ଏବେ ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ଅପ୍ରତିକୂଳ ପରିସ୍ଥିତିରେ ଯବାନଙ୍କ ଅପରେସନର ଭିଡ଼ିଓ ସାମ୍ନାକୁ ଆସୁଛି। ଯବାନଙ୍କ ଏହି କାର୍ଯ୍ୟକୁ ଦେଖିଲେ ମନେ ହେଉଛି ଯେ ନିଶ୍ଚିତ ଭାବରେ ଛତିଶଗଡ଼ରୁ ମାଓବାଦୀଙ୍କୁ ବିତାଡିତ କରିବାରେ ସଫଳ ହେବେ। ଉଭୟ ଚିତ୍ର ପଡ଼ୋଶୀ ଛତିଶଗଡ଼ର ଆବୁଝମାଡ଼ ଜଙ୍ଗଲର ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଛତିଶଗଡ଼ରେ ଚଳିତ ବର୍ଷ ଜାନୁଆରି ୧ ତାରିଖରୁ ଅପରେସନ ‘କଗାର’ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୦ରୁ ଊର୍ଦ୍ଧ୍ବ ନକ୍ସଲଙ୍କୁ ବିଭିନ୍ନ ଏନକାଉଣ୍ଟରରେ ମାରି ଗଡାଇଛନ୍ତି ସୁରକ୍ଷା ବାହିନୀ। ତେବେ ଛତିଶଗଡ଼ରେ ମୁତୟନ ଥିବା କେନ୍ଦ୍ରୀୟ ସୁରକ୍ଷା ବହିନୀ ବିଏସଏଫ, ସିଆରପିଏଫ, ଆଟିବିପିଙ୍କ ସମେତ ରାଜ୍ୟ ସୁରକ୍ଷା ବହିନୀ ଡିଆରଜି, ଏସଟିଏଫ ଓ ପୁଲିସଙ୍କ ମିଳିତ ଅପରେସନରେ ମାଓ ସଂଗଠନର ମେରୁଦଣ୍ଡକୁ ଭାଙ୍ଗି ଦେଇଛି।