ଦେବଦୂତ ସାଜିଲେ ଯବାନ : ଗର୍ଭବତୀଙ୍କୁ ସହାୟ ହେଲେ

ମାଲକାନଗିରି : ନକ୍ସଲ ଦମନ ପାଇଁ ସୀମାନ୍ତ ଛତିଶଗଡ଼ରେ ମୁତୟନ ଆଇଟିବିପି ଯବାନ ପୁଣି ଜଣେ ପ୍ରସୂତିଙ୍କ ପାଇଁ ଦେବଦୂତ ସାଜିଲେ। ପାଦେ ପାଦେ ବିପଦ ରହିଥିଲେ ବି ଏହାକୁ ଖାତିର କରି ନଥିଲେ ସାହସୀ ଯବାନ। ଦୁର୍ଗମ ଅଞ୍ଚଳରୁ ଜଣେ ପ୍ରସୂତିଙ୍କୁ କାନ୍ଧରେ ବୋହି ୭କିଲୋମିଟର ଦୂରରେ ଥିବା କ୍ୟାମ୍ପକୁ ନେଲେ। ଠିକ ସମୟରେ ପ୍ରସୂତିଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଯାହାଫଳରେ ସ୍ୱାସ୍ଥ୍ୟ ଅବସ୍ଥା ବିପଦମୁକ୍ତ ରହିଥିବା ସୂଚନା ମିଳିଛି। ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଥିଲା ନକ୍ସଲ ଅଧ୍ୟୁଷିତ କୋଣ୍ଡାଗାଁଓ ଜିଲ୍ଲା ହରିଜନପଡ଼ା ଗାଁରେ।

ସୂଚନା ଅନୁଯାୟୀ ହାଡଲେ ଗ୍ରାମରେ ୪୧ବାଟାଲିୟନ ଆଇଟିବିପି ଯବାନଙ୍କୁ ନକ୍ସଲ ଅପରେସନ ପାଇଁ ମୁତୟନ କରାଯାଇଛି। ଆଜି ସକାଳେ ଯବାନମାନେ କମ୍ବିଂ ଅପରେସନ ପାଇଁ କ୍ୟାମ୍ପ ନିକଟସ୍ଥ ହରିଜନପଡା ଜଂଗଲକୁ ଯାଇଥିଲେ। କମ୍ବିଂ ସମୟରେ ଗର୍ଭବତୀ ଋକ୍ମିଣୀ ବାଘେଲ ଯନ୍ତ୍ରଣାରେ ଛଟପଟ ହେଉଥିବା ଯବାନଙ୍କ ନଜରକୁ ଆସିଥିଲା। ରାସ୍ତା ଭଲ ନଥିବାରୁ ଆମ୍ବୁଲାସନ ଗାଁକୁ ଆସିପାରି ନଥିଲା। ଆର୍ଥିକ ଅବସ୍ଥା ଭଲ ନଥିବାରୁ ଗାଡ଼ି ଭଡ଼ା କରି ମେଡିକାଲ ପାଇଁ ସ୍ୱାମୀ ଅକ୍ଷମତା ପ୍ରକାଶ କରିଥିଲେ। ଏହାପରେ ଯବାନମାନେ ମାନବିକତାର ପରିଚୟ ଦେଇ କମ୍ବିଂ ଅପରେସନକୁ ବନ୍ଦ କରି ଦେଇଥିଲେ। କ୍ୟାମ୍ପରୁ ଷ୍ଟ୍ରେଚର ଆଣି ମହିଳାଙ୍କୁ କାନ୍ଧରେ ବୋହି କାଦୁଅ ଭର୍ତି ରାସ୍ତାରେ ୭କିଲୋମିଟର ଦୂର ଆଇଟିବିପି କ୍ୟାମ୍ପ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଲ୍ୟାଣ୍ଡ ମାଇନର ଭୟ ଏବଂ ନକ୍ସଲଙ୍କ ଆତର୍କିତ ଆକ୍ରମଣର ସମ୍ଭାବନା ରହିଥିଲେ ବି ଗର୍ଭବତୀଙ୍କ ଜୀବନ ବଞ୍ଚାଇବାକୁ ଯବାନମାନେ ସାହସର ସହ ଆଗେଇ ଚାଲିଥିଲେ। କ୍ୟାମ୍ପରେ ପହଞ୍ଚିବା ପରେ ଡାକ୍ତର ଚିକିତ୍ସା କରିଥିଲେ। ମହିଳା ଜଣକ ସୁରକ୍ଷିତ ଭାବେ ପ୍ରସବ କରିଥିବା ସୂଚନା ମିଳିଛି। ଏହାପରେ ଅଧିକ ଯତ୍ନ ନିମନ୍ତେ ମହିଳାଙ୍କୁ ଗୋଟିଏ ଗାଡ଼ିରେ କୋଣ୍ଡାଗାଁଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅସମୟରେ ମହିଳାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଥିବାରୁ ଯବାନଙ୍କ ଉଦ୍ୟମକୁ ପରିବାର ଏବଂ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର