ବିମାନ ବନ୍ଦରରେ ଉତ୍ତେଜନା : ଗାର୍ଡ ଅଫ୍ ଅନର ଦାବିରେ ଯବାନଙ୍କ ପରିବାରର ଧାରଣା

ଭୁବନେଶ୍ବର : ଜଣେ ମୃତ ଯବାନଙ୍କୁ ଗାର୍ଡ ଅଫ୍ ଅନର ଓ ଖୋଲା ଆମ୍ବୁଲାନ୍ସରେ ନିଜ ପୈତୃକ ଗ୍ରାମକୁ ସ-ସମ୍ମାନେ ନେବା ପାଇଁ ଦାବି କରି ଆଜି ପରିବାର ଲୋକ ଭୁବନେଶ୍ବର ବିମାନ ବନ୍ଦରରେ‌ ହୋ-ହାଲ୍ଲା କରିବା ସହିତ ଧାରଣା ଦେଇଥିଲେ। ଏହି କାରଣରୁ ଆଜି ବିମାନବନ୍ଦର ବାହାରେ ଯବାନଙ୍କ ମୃତଦେହ ପାଖାପାଖି ୪ ଘଣ୍ଟା କାଳ ଅଟକି ରହିଥିଲା। ଖବର ପାଇ ଏୟାରପୋର୍ଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଦିନ ପ୍ରାୟ ୨ଟାବେଳେ ମୃତ ଯବାନଙ୍କୁ ତାଙ୍କ ପୈତୃକ ଗ୍ରାମ ଯାଜୁପର ଜିଲ୍ଲା ସଦର ଥାନା ଅଧୀନ କଚେରୀ ଗାଁକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ମୃତ ଯବାନ ଜଣକ ହେଉଛନ୍ତି ଆସାମ-୮ ରାଇଫଲ୍ସରେ ଗନମ୍ୟାନ ପ୍ରବୀର କୁମାର ନାୟକ।

ମିଳିଥିବା ସୂଚନା ମୁତାବକ, ଗତ ରବିବାର ପ୍ରବୀର ଡ୍ୟୁଟି କରୁଥିବା ସମୟରେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ସ୍ପଷ୍ଟ ହୋଇଛି।

ଆଜି ପ୍ରବୀରଙ୍କ ମୃତଦେହ ବିମାନ ଯୋଗେ ଭୁବନେଶ୍ବର ପହଞ୍ଚିଥିଲା। ଖବର ପାଇ ୧୨୦ ବାଟାଲିଅନର ବରିଷ୍ଠ ଅଧିକାରୀ ଓ ସିପାହୀମାନେ ପହଞ୍ଚି ମୃତଦେହକୁ ଯାଜପୁର ନେବାକୁ ବନ୍ଦୋବସ୍ତ ଆରମ୍ଭ କରୁଥିଲେ। ପୂର୍ବରୁ ଅପେକ୍ଷା କରିଥିବା ମୃତ ଯବାନଙ୍କ ବଡ଼ ଭାଇ ପ୍ରଦୀପ ଓ ତାଙ୍କ ସମ୍ପର୍କୀୟ ଏହାକୁ ଘୋର ବିରୋଧ‌ କରିଥିଲେ।

ସେମାନଙ୍କର ଅଭିଯୋଗ ଥିଲା, ତାଙ୍କ ଭାଇ ଦେଶ ପାଇଁ ଦୀର୍ଘ ୨୦ ବର୍ଷ ହେବ ସେବା କରି ଆସିଥିଲେ। ଘଟଣା ରାତିରେ ତାଙ୍କର ଡ୍ୟୁଟି ଚୀନ ସୀମାରେ ପଡ଼ିଥିଲା। ଅତ୍ୟଧିକ ଥଣ୍ଡା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ମୃତ ଯବାନଙ୍କ ଶରୀର ଭୁବନେଶ୍ବରରେ ପହଞ୍ଚିବା ପରେ କୌଣସି ରାଜନେତା କିମ୍ବା ପ୍ରଶାସନ ଭେଟିବାକୁ ନ ଆସିବା ଘଟଣା ତାଙ୍କୁ ବ୍ୟଥିତ କରିଛି। ମର ଶରୀର ଉପରେ ଜାତୀୟ ପତାକା ପକା ଯାଇଥିଲେ ମଧ୍ୟ କାହିଁକି ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ନାହିଁ ବୋଲି ସେମାନେ ଜିଦ୍ କରିଥିଲେ। ଏପରିକି ପରିବାର ଲୋକ ମର ଶରୀରକୁ ଗ୍ରହଣ କରି ନ ଥିଲେ। ଶେଷରେ ଖବର ପାଇ ବିମାନ ବନ୍ଦର ଥାନା ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଇଥିଲେ କି, ଯେଉଁମାନେ ଯୁଦ୍ଧ ସମୟ ବା ଶତ୍ରୁ ସହିତ ମୁକାବିଲା ସମୟରେ ମୃତ୍ୟୁ ବରଣ କରିଥାନ୍ତି, ସେମାନଙ୍କୁ ସହିଦର ଆଖ୍ୟା ଦିଆଯାଇଥାଏ। ତେଣୁ ପ୍ରବୀରଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇ ପାରିବ ନାହିଁ। ଶେଷରେ ପୁଲିସ ପକ୍ଷରୁ ଏକ ଖୋଲା ଆମ୍ବୁଲାନ୍ସ ଯୋଗାଡ଼ କରାଯିବା ପରେ ପରିବାର ଲୋକ ମୃତଦେହକୁ ନେଇ ଯାଜପୁର ଯାଇଥିଲେ।

ସଂପୃକ୍ତ ଯବାନଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ହଜାର ହଜାର ଲୋକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ପ୍ରକାଶଥାଉକି, ପ୍ରବୀର ୮ ବର୍ଷ ତଳେ ବିବାହ କରିଥିବାବେଳେ ତାଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ପ୍ରବୀରଙ୍କ ବ୍ୟତୀତ ତାଙ୍କର ଅନ୍ୟ ଦୁଇ ଭାଇ ମଧ୍ୟ ସେନାରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର