ପିଏସ୍‌ଓ ଫେରାଇଲେ ଜୟ ନାରାୟଣ

ଭୁବନେଶ୍ବର : ନିଜ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ(ପିଏସ୍‌ଓ)ଙ୍କୁ ଫେରାଇ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। କିଛିଦିନ ତଳେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିଜ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ(ପିଏସ୍‌ଓ)ଙ୍କ ଉପସ୍ଥିତିରେ ଜଣେ ପୁଲିସ ଅଧିକାରୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବାରୁ ରାଜ୍ୟ ସରକାରଙ୍କ ଦ୍ବାରା ନିୟୋଜିତ ତାଙ୍କ ପିଏସ୍‌ଓଙ୍କୁ ଫେରାଇଦେବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସ୍ବର୍ଗତ ଦାସଙ୍କୁ ଜଣେ ପୁଲିସ ହତ୍ୟା କରିବା ପରେ ଓଡ଼ିଶା ପୁଲିସ ଉପରେ ବିଶ୍ବାସ ହରାଇଛନ୍ତି। ଓଡ଼ିଶା ପୁଲିସ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଅଛନ୍ତି ଓ ସେମାନଙ୍କ ଉପରେ ଆଉ କୌଣସି ଭରସା ନାହିଁ। ଅପରପକ୍ଷରେ ସ୍ବର୍ଗତ ଦାସଙ୍କ ମୃତ୍ୟୁକୁ ନେଇ ସେ ରାଜ୍ୟ ସରକାରଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି। ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ଯେ ତାଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ରହିଥିଲା ? ଝାରସୁଗୁଡ଼ାରେ କରାଯାଇଥିବା ଇସିଜି ରିପୋର୍ଟ କ’ଣ କହୁଥିଲା ? ନବ ଦାସ ଭୁବ‌ନେଶ୍ବର ସ୍ଥାନାନ୍ତର କରିବା ଭଳି ସ୍ଥିତିରେ ରହିଥିଲେ କି ନାହିଁ ? ଏୟାରପୋର୍ଟ ପକ୍ଷରୁ ରେଡି ଟୁ ଫ୍ଲାଏ ଅନୁମତି ଦିଆଯାଇଥିଲା କି ? ସେ ଆହୁରିମଧ୍ୟ କହିଛନ୍ତି ଯେ ସ୍ବର୍ଗତ ଦାସଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତି କରାଯିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ହାତ ଯୋଡ଼ିଥିଲେ ? ପ୍ରଥମଥର ଲାଗି ଜଣେ ମୃତ ବ୍ୟକ୍ତିଙ୍କ ଶରୀରରେ ଅପରେସନ୍ କରାଯାଇଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।

ଉଲ୍ଲେଖ ଯେ ଗତମାସ ୨୯ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଏଏସଆଇ ଗୋପାଳ ଦାସ ଗୁଳି ମାଡ଼ କରିଥିଲା। ଆପୋଲୋ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିଲା। ତତ୍କାଳୀନ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ମିତ୍ରଭାନୁ ଦେଓଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର