‘କ୍ଷମାପ୍ରାର୍ଥନା ନକଲେ ପୁରୀରେ ପୂରାଇ ଦିଆଯିବନି’

ଜୟୀ ରାଜଗୁରୁଙ୍କ ଉପରେ ଦାମଙ୍କ ମନ୍ତବ୍ୟ ନେଇ ତୀବ୍ର ପ୍ରତିକ୍ରିୟା

ପୁରୀ : ବିବାଦ କୃଷି ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ପିଛା ଛାଡୁନି। ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ଆକ୍ଷେପ ନେଇ ଉଠିଥିବା ଝଡ଼ ନଥମୁଣୁ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ବୋଲି ମନ୍ତବ୍ୟ ଦେଇ ଏବେ ପୁଣି ବିବାଦରେ ଫସିଛନ୍ତି। ଦାମଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀରହରେକୃଷ୍ଣପୁର ସମେତ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆଜି ପୁରୀରେ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ବେଳେ ସ୍ୱାଧୀନତା ସେନାନୀଙ୍କ ଜନ୍ମମାଟି ବୀରହରେକୃଷ୍ଣପୁରରେ ମଧ୍ୟ ବିକ୍ଷୋଭ ସମାବେଶ କରାଯାଇଛି। ମନ୍ତ୍ରୀ ତୁରନ୍ତ ନିଜ ମନ୍ତବ୍ୟ ପ୍ରତ୍ୟାହାର କରିବା ସହ ଏହି ଅପରାଧ ପାଇଁ କ୍ଷମାପ୍ରାର୍ଥନା ନକଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏପରିକି ଆବଶ୍ୟକ ପଡ଼ିଲେ ମନ୍ତ୍ରୀ ଦାମୋଦରଙ୍କୁ ଅଦାଲତକୁ ଟଣାଯିବ ବୋଲି ପୁରୀ ସଚେତନ ନାଗରିକ ମଞ୍ଚ ଧମକ ଦେଇଛି।

ଦାମଙ୍କ ମନ୍ତବ୍ୟ ପ୍ରତିବାଦରେ ଆଜି ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଘୋଡ଼ା ବଜାରରେ ଥିବା ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେଠାରେ ଦାମବାବୁଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ପରେ ତାଙ୍କ ବାସଭବନ ଘେରାଉ କରାଯିିବ ବୋଲି ଚେତାବନୀ ଦିଆଯାଇଥିଲା। ଦାମ ବ୍ରିଟିଶ ଦଲାଲଙ୍କ ଭଳି କଥା କହୁଛନ୍ତି ବୋଲି ଆକ୍ଷେପ କରି ମଞ୍ଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଥିଲେ ଯେ ଯଦି ଓଡ଼ିଶାର ବରପୁତ୍ରଙ୍କୁ ସମ୍ମାନ ଦେଇ ଶିଖି ନାହାନ୍ତି; ତେବେ କାହାକୁ ଅସମ୍ମାନ କରନ୍ତୁ ନାହିିଁ। ରାଜ୍ୟ ସରକାର ଜୟୀ ରାଜଗୁରୁଙ୍କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀର ଆଖ୍ୟା ଦେଇଥିବା ବେଳେ କେନ୍ଦ୍ର ସରକାର ସଂସଦରେ ତାଙ୍କର ତୈଳଚିତ୍ର ସ୍ଥାପନ କରାଇଛନ୍ତି। ଯଦି ସ୍ୱାଧୀନତା ସଂଗ୍ରାମୀ ନ ଥିଲେ ତେବେ ଇଂରେଜ ତାଙ୍କୁ ଫାଶୀ ଦେଲେ କାହିଁକି? ଏଭଳି ସ୍ଥିତିରେ ଦାମଙ୍କର ଏହି ଚିତ୍ରଣ ପ୍ରତ୍ୟେକ ଓଡ଼ିଆଙ୍କୁ ଆନ୍ଦୋଳିତ କରିଛି ଓ ମାନସିକସ୍ତରରେ ଆଘାତ ଦେଇଛି। ଏଣୁ ଦାମ କ୍ଷମାପ୍ରାର୍ଥନା କରନ୍ତୁ; ନଚେତ୍‌ ତାଙ୍କୁ ଗିରଫ କରାଯାଉ ବୋଲି ମଞ୍ଚ ଦାବି କରିଛି।

ସେହିଭଳି ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀରହରେକୃଷ୍ଣପୁର ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବରପୁତ୍ରଙ୍କ ସମ୍ବନ୍ଧରେ ବିଜେଡି ନେତାଙ୍କ ମନ୍ତବ୍ୟକୁ ଗ୍ରାମବାସୀ ଗ୍ରହଣ କରି ପାରିନାହାନ୍ତି। ସ୍ୱାଧୀନତା ପାଇଁ ପଶ୍ଚିମବଙ୍ଗର ବାଗିତୋଟା ଠାରେ ଗଛରେ ବାନ୍ଧି ତାଙ୍କୁ ଦୁଇଫାଳ କରି ଦିଆଯାଇଥିଲା। ତାଙ୍କୁ ସମ୍ମାନ ଜଣାଇବା ପରିବର୍ତ୍ତେ ବିଜେଡିର ଦାୟିତ୍ଵବାନ୍‌ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇ ତାଙ୍କ୍‌ୁ ଅପମାନିତ କରିଛନ୍ତି। ମନ୍ତ୍ରୀ ତୁରନ୍ତ ତାଙ୍କ ମନ୍ତବ୍ୟ ଫେରାଇ ନିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମରେ ଥିବା ପ୍ରତିମୂର୍ତ୍ତିି ନିକଟରେ କୁଶପୁତ୍ତଳିକା ଦାହ କରାଯିବା ସହ ଦାମ ଏହି ବରପୁତ୍ରଙ୍କୁ ସମ୍ମାନ ଜଣାଇ କ୍ଷମା ମାଗନ୍ତୁ; ନଚେତ୍‌ ଆଗକୁ ଦାମଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର