ଡେରାବିଶରେ ‘ଜୟ–ବିଜୟ’ ସମାବେଶ, ତର୍କ ମଂଚ ପାଇଁ ବିଜୟଙ୍କ ଆହ୍ବାନ

କେନ୍ଦ୍ରାପଡା/ଡେରାବିଶ : ବିଜେପିର ବରିଷ୍ଠ ନେତା ପାଟକୁରା ପ୍ରାର୍ଥୀ ବିଜୟ ମହାପାତ୍ର ଓ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ଡେରାବିଶ ବ୍ଲକ ଛତାଠାରେ ଆୟୋଜିତ ମିଶ୍ରଣ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ‘ଲୋକଙ୍କ ସହ ରହିଛି, ରହିବି ଓ ସେମାନଙ୍କ ସହ ମରିବି’ ବୋଲି ବିଜୟ କହିବା ସହ ଖୋଲା ମଞ୍ଚରେ ତର୍କ ପାଇଁ ଆହ୍ବାନ ଦେଇଛନ୍ତି। ଏହା କେବଳ ସମାବେଶର ଶୁଭାରମ୍ଭ। ଏଥିରୁ ହିଁ ସାରା ଓଡ଼ିଶାରେ ନିର୍ବାଚନର ଫଳାଫଳ କ’ଣ ହେବ ସମସ୍ତେ ଜାଣି ସାରିଛନ୍ତି ବୋଲି ସେ କହିଥିଲେ। ରାଜ୍ୟ ସରକାରର ସମସ୍ତ ହିସାବ କିତାବର ପର୍ଦ୍ଦାଫାସ କରିବେ ବୋଲି ମଧ୍ୟ ବିଜୟ କହିଥିଲେ।

ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ବ ଓ ଗଣେଶ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ତା କହିଥିଲେ ଯେ, ବିଜେପି ସହ ମିଶି ବିଜେଡ଼ି ସରକାର ଆରମ୍ଭ ବେଳେ ଭଲ ଥିଲା। ଏବେ ଏମାନେ ବିଜୁଙ୍କ ନାଁକୁ ମାଟିରେ ମିଶାଇ ସାରିଛନ୍ତି। ଏବେ ପରିବର୍ତ୍ତନର ସମୟ ଆସିଛି ବୋଲି ସେ କହିଥିଲେ।

ସମାବେଶରେ ବିଜେପି ନେତା ଭୁବନମୋହନ ଜେନା, ଅମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ସୁକାନ୍ତ ଦ୍ବିବେଦୀ ସଭା ସଂଚାଳନ କରିଥିଲେ। ମିଶ୍ରଣ ପର୍ବରେ ବିଜେଡ଼ିର ଡେରାବିଶ ବ୍ଲକ୍ ଅଧ୍ୟକ୍ଷ ସରୋଜ ସାହୁ ତାଙ୍କର ସମର୍ଥକଙ୍କୁ ନେଇ ବିଜେପିରେ ସାମିଲ ହେବେ ବୋଲି ପ୍ରଚାରିତ ହୋଇଥିଲା। କିନ୍ତୁ ତାଙ୍କର ଦେଖା ମିଳି ନ ଥିଲା। ମଞ୍ଚରେ ଅଭିନେତା ବାବୁ ସାନ୍‌ଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କ ସହ ସେଲ୍‌ଫି ନେବାକୁ ଯୁବକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଜମିଥିଲା। କିଛି ଦିନ ତଳେ ବିଜୟଙ୍କୁ ତୀବ୍ର ବିରୋଧ କରିଥିବା ଦୁର୍ଯ୍ୟୋଧନ ସାହୁ, ଭୁବନମୋହନ ଜେନା ଆଜି ବିଜୟଙ୍କ ସହ ଗୋଟିଏ ମଞ୍ଚରେ ବସିବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର