ଉଜୁଡ଼ା ଜୟଦେବ ପୀଠ ଦେଖି ବ୍ୟଥିତ ହେଲେ କୋଲକାତା ଗବେଷକ ଦଳ

ଭୁବନେଶ୍ବର : କେନ୍ଦୁବିଲ୍ବସ୍ଥିତ ଜୟଦେବ ପୀଠର ଉଜୁଡ଼ା ଚିତ୍ର ପର୍ଯ୍ୟଟକଙ୍କୁ ବ୍ୟଥିତ କରୁଛି। ଅନେକ ସମୟରେ ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକ ଆସୁଥିଲେ ହେଁ ପୀଠର ବିକୃତ ଚିତ୍ର ଦେଖି ଲେଉଟି ଯାଉଛନ୍ତି। ଗତକାଲି ମଧ୍ୟ ଏହିପରି ଏକ ଘଟଣା ଘଟିଛି। କୋଲକାତା ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡ. ଅଜୟ ଚଟ୍ଟୋପାଧ୍ୟାୟଙ୍କ ନେତୃତ୍ବରେ ୫ଜଣିଆ ଏକ ଗବେଷକ ଦଳ ପୁରୀ ଯିବା ବାଟରେ କେନ୍ଦୁବିଲ୍ବ ଗ୍ରାମ ପରିଦର୍ଶନ ସହ ଜୟଦେବ ବାଟିକାକୁ ବୁଲିବାକୁ ଯାଇଥିଲେ। ତେବେ ଫନି ବାତ୍ୟା‌ରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ପୀଠର ଅବସ୍ଥା ଦେଖି ବ୍ୟଥିତ ହୋଇଥିଲେ। ପୂର୍ବରୁ ସେମାନେ ଏହି ମନୋରମ ଉଦ୍ୟାନର ରୂପ ଦେଖି ପ୍ରଶଂସା କରିଥିବା ବେଳେ ଏବେ ଏଭଳି ବିକଳ ଚିତ୍ର ତାଙ୍କୁ ଗଭୀର ଆଘାତ ଦେଇଛି। ପୁନରୁଦ୍ଧାର ପାଇଁ ଏବେଠୁ ପ୍ରୟାସ ନ କଲେ, ଏହା ସମ୍ପୂର୍ଣ୍ଣ ଉଜୁଡ଼ିଯିବ ବୋଲି ଗବେଷକମାନେ କହିଛନ୍ତି।

ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଟ୍ରଷ୍ଟର ଟ୍ରଷ୍ଟି ତଥା ବିଶିଷ୍ଟ ଗବେଷକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିବା ସହ ଶ୍ରୀଜୟଦେବଙ୍କ ଗୀତଗୋବିନ୍ଦ ବଙ୍ଗଳାରେ ଗଢ଼ି ଉଠିଥିବା ବାଉଲ୍‌ ସଂସ୍କୃତି ଉପରେ ଯଥେଷ୍ଟ ପ୍ରଭାବ ପକାଇଛି ବୋଲି ଗବେଷକମାନେ ଯୁକ୍ତି ରଖିଥିଲେ ହେଁ ଡ. ତ୍ରିପାଠୀ ଏହାକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ବାଉଲ୍‌ ସଂଗୀତର ଉଦ୍ଭବ ଅଷ୍ଟାଦଶ ଶତାବ୍ଦୀରେ ହୋଇଥିବା ବେଳେ ପରବର୍ତୀ କାଳରେ ବିଶ୍ବକବି ରବୀନ୍ଦ୍ରନାଥ ଠାକୁର ଏହାର ସଂପ୍ରସାରଣ ପାଇଁ ଯଥେଷ୍ଟ ଉଦ୍ୟମ କରିଥିଲେ। ତାଙ୍କ ଦ୍ବାରା ଶାନ୍ତି ନିକେତନରେ ହେଉଥିବା ପୌଷ ମେଳାରେ ବାଉଲ୍‌ ନୃତ୍ୟ ଓ ସଂଗୀତ ସାମିଲ୍‌ ହୋଇଥିଲା। ସେ ପରମ୍ପରା ଆଜି ବି ସେମିତି ଚାଲିଛି। ତେବେ ଶ୍ରୀଗୀତଗୋବିନ୍ଦର ବାଉଲ୍‌ ସଂଗୀତ ଉପରେ ପ୍ରଭାବ ନଥିଲା। ଓଡ଼ିଶାରେ ଶ୍ରୀଜୟଦେବଙ୍କ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ରହିଥିବା ବେଳେ ଓଡ଼ିଶାର ଗବେଷକମାନେ ଶ୍ରୀଜୟଦେବଙ୍କ ସମ୍ପର୍କିତ ସମସ୍ତ ତଥ୍ୟଗତ ପ୍ରମାଣ ଦେବା ପାଇଁ ଓଡ଼ିଶାର ଗବେଷକମାନେ ପ୍ରସ୍ତୁତ ବୋଲି କହିଥିଲେ। ଏଥିସହ ଡ. ତ୍ରିପାଠୀ ଓ ଅନ୍ୟ ଦୁଇ ବନ୍ଧୁଙ୍କ ସହାୟତାରେ ଲେଖିଥିବା ‘ନିଉ ହରାଇଜନ୍‌ ଅଫ୍‌ ବୁଦ୍ଧିଜିମ୍‌ ଇନ୍‌ ଓଡ଼ିଶା’ ଶୀର୍ଷକ ପୁସ୍ତକ ବାବଦରେ ମଧ୍ୟ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର