ଜେଏମ୍‌ଏଫ୍‌ସିରେ ହା‌ଜରହେଲେ ଜୟନାରାୟଣ

ରାଜ୍ୟ ବାହାରକୁ ଗଲେ କୋର୍ଟକୁ ଜଣାଇବେ, କୌଣସି ମାମଲାରେ ସଂପୃକ୍ତ ରହିବେ ନାହିଁ

ଭୁବନେଶ୍ବର : ବହୁଚର୍ଚ୍ଚିତ ଦିଲେଶ୍ବର ସାହୁ ହତ୍ୟା ମାମଲାରେ ଶୁକ୍ରବାର ଦିନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍‌-୩ରେ ହାଜର ହୋଇ ପକ୍ଷ ରଖିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ୧୧ଜଣ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ତେବେ ହାଜର ପାଇଁ ଗତ ୧୪ତାରିଖରେ ତାଙ୍କୁ କୋର୍ଟ ପକ୍ଷରୁ ନୋଟିସ୍‌ କରାଯାଇଥିଲା।

ସୂଚନା ମୁତାବକ, ୨୦୧୮ ମସିହା ବିଜେପୁର ଉପନିର୍ବାଚନ ସମୟରେ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜୟନାରାୟଣଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ସେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ପାଇଥିବା ବେଳେ କେବଳ ଔପଚାରିକତା ଦୃଷ୍ଟିରୁ ଏଠାରେ ପୁଣି ଜାମିନ ମଞ୍ଜୁର ହୋଇଛି। ତେବେ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଆଗାମୀ ଦିନରେ ଏଠାର ମାମଲାର ଶୁଣାଣି ହେବ। ପୂର୍ବରୁ ଜେଏମ୍‌ଏଫ୍‌ସି ସୋହେଲା କୋର୍ଟର ମଧ୍ୟ ସେ ଜାମିନ ପାଇଥିଲେ। ତଳ କୋର୍ଟର ଯେଉଁ ସର୍ତ୍ତ ଥିଲା, ସେହି ସର୍ତ୍ତ କାଏମ ରଖିଛନ୍ତି ସ୍ୱତନ୍ତ୍ର କୋର୍ଟ। ଶ୍ରୀ ମିଶ୍ର ରାଜ୍ୟ ବାହାରକୁ ଗଲେ କୋର୍ଟକୁ ଜଣାଇବେ, ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ କୌଣସି ମାମଲାରେ ସଂପୃକ୍ତ ରହିବେ ନାହିଁ। ସାକ୍ଷୀ ଓ ପ୍ରମାଣ ନଷ୍ଟ କରିବା ପାଇଁ କୌଣସି ପ୍ରକାର ଉଦ୍ୟମ କରିବେ ନାହିଁ ବୋଲି କୋର୍ଟ ପକ୍ଷରୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶ‌ଯୋଗ୍ୟ, କିଛି ଦିନ ତଳେ ବିମଲ ଭୁଏ ନାମକ ଜଣେ ବ୍ୟକ୍ତି ଜୟନାରାୟଣଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ କରିଥିଲେ ଯେ ଜୟନାରାୟଣ ହାଇକୋର୍ଟଙ୍କ ସର୍ତ୍ତାବଳୀକୁ ଉଲ୍ଲଂଘନ କରୁଛନ୍ତି। ଅସୁସ୍ଥତା ଆଳ ଦେଖାଇ କୋର୍ଟରେ ହାଜର ହେଉନାହାନ୍ତି। କିନ୍ତୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ, ରାଲି ଓ ଧାରଣାରେ ସାମିଲ ହେଉଛନ୍ତି।

ସମ୍ବନ୍ଧିତ ଖବର